39.1 C
Bhubaneswar
Sunday, June 7, 2026
Homeଓଡିଶାଓଡ଼ିଶାରେ ପ୍ରଥମ ଥର ପାଇଁ କ୍ରୀଡ଼ା ‘ଚିନ୍ତନ ଶିବିର’: ଭୁବନେଶ୍ୱରରେ ଦୁଇଦିନିଆ କାର୍ଯ୍ୟକ୍ରମ ଆରମ୍ଭ

ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ରୀଡ଼ା ‘ଚିନ୍ତନ ଶିବିର’: ଭୁବନେଶ୍ୱରରେ ଦୁଇଦିନିଆ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ଓ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଶୀର୍ଷ ସୋପାନ ପର୍ଯ୍ୟନ୍ତ ସୁଦୃଢ଼ କରିବା ଲକ୍ଷ୍ୟରେ ଭୁବନେଶ୍ୱରଠାରେ ଆଜିଠାରୁ ଏକ ଦୁଇଦିନିଆ ‘ଚିନ୍ତନ ଶିବିର’ ଆରମ୍ଭ ହୋଇଯାଇଛି। ଏହି ଅନନ୍ୟ ମଞ୍ଚରେ କ୍ରୀଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ବ୍ୟାପକ ବିଚାର-ବିମର୍ଶ ଓ ଆଲୋଚନାର ଶୁଭାରମ୍ଭ କରାଯାଇଛି। ଏହି ଭବ୍ୟ ଉଦଘାଟନୀ ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଭା ସୃଷ୍ଟିକାରୀ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଶିବିରରେ ରାଜ୍ୟ ତଥା ଦେଶର କ୍ରୀଡ଼ା ଜଗତ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏଥିରେ ବିଶେଷ କରି କ୍ରୀଡ଼ାବିତଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା, ଗ୍ରାମୀଣ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ, କ୍ରୀଡ଼ା ବିଜ୍ଞାନ ଓ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସରକାରୀ-ଘରୋଇ ସହଭାଗିତା , ଇ-ସ୍ପୋର୍ଟସ୍ ଏବଂ ଆଗାମୀ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଓଡ଼ିଶାର ପଦକ ଜିତିବା ସମ୍ଭାବନାକୁ ବୃଦ୍ଧି କରିବା ସହ ଆଗାମୀ ୧୦ ବର୍ଷ ପାଇଁ ଏକ ସ୍ୱତନ୍ତ୍ର ରୋଡ଼ମ୍ୟାପ୍‌ ଉପରେ ଆଲୋକପାତ କରାଯାଇଛି ।

ଏହି ଅବସରରେ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଛନ୍ତି ଯେ, ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଳରେ ହିଁ ଅଛନ୍ତି ଏବଂ ସେମାନଙ୍କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେଇ “ପଡ଼ିଆରୁ ପୋଡ଼ିୟମ୍” ପର୍ଯ୍ୟନ୍ତ ଦୂରତାକୁ କମ୍ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ସମସ୍ତ କ୍ରୀଡ଼ା ସଂଘ, ସ୍କୁଲ୍ ଖେଳ ଶିକ୍ଷକ ଏବଂ ଜିଲ୍ଲା କ୍ରୀଡ଼ା ଓ ଶିକ୍ଷା ଅଧିକାରୀମାନଙ୍କୁ ଗୋଟିଏ ଛାତ ତଳକୁ ଆସି ଏକ ବ୍ୟବସ୍ଥିତ କ୍ରୀଡ଼ା ଇକୋସିଷ୍ଟମ୍ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଛନ୍ତି, ଯାହାଦ୍ୱାରା ୨୦୨୮ ମସିହାରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠିତ ‘ୱାର୍ଲ୍ଡ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍’ ଏବଂ ‘ଏସିଆନ୍ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍’ ଭଳି ଦୁଇଟି ବୃହତ୍ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ଆମର ଖେଳାଳି, ପ୍ରଶିକ୍ଷକ ଏବଂ କ୍ରୀଡ଼ା ପ୍ରଶାସକମାନେ ସମ୍ପୂର୍ଣ୍ଣ ଲାଭବାନ ହୋଇପାରିବେ । ଏହି ପ୍ରସ୍ତୁତି ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ସ୍ୱପ୍ନକୁ ସଫଳ କରିବା ସହ ଆମର ‘ଅମୃତ ପିଢ଼ି’ର ଯୁବ ଖେଳାଳିମାନଙ୍କୁ ବିଶ୍ୱ ଦରବାରରେ ଶୀର୍ଷକୁ ନେବାରେ ସହାୟକ ହେବ ବୋଲି ମନ୍ତ୍ରୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୂନିଆ ସ୍ବାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ କେବଳ ଶାରୀରିକ କ୍ଷମତା ଯଥେଷ୍ଟ ନୁହେଁ, ବରଂ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି। ସେ ତୃଣମୂଳ ସ୍ତରରୁ ଖେଳାଳିମାନଙ୍କୁ ଆଗକୁ ନେବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ।

ଏହି ଚିନ୍ତନ ଶିବିରରେ ଦେଶର କ୍ରୀଡା ବିଶେଷଜ୍ଞ, ବରିଷ୍ଠ ସରକାରୀ ଅଧିକାରୀ, କ୍ରୀଡା ପ୍ରଶାସକ ଏବଂ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଶ୍ରୀମତୀ ଦୀପା ମଲ୍ଲିକ, ସୁଇମିଙ୍ଗ ଫେଡେରେସନ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ମୋନାଲ ଚୋକ୍ସି, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ, ୱାର୍ଲ୍ଡ ଆଥଲେଟିକ୍ସର ଉପସଭାପତି ଶ୍ରୀ ଆଦିଲ୍ ସୁମାରିୱାଲା ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ପ୍ରମୁଖ ଉପସ୍ଥିତ ରହି ଚର୍ଚ୍ଚାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ଏହି ଶିବିରରୁ ବାହାରିବାକୁ ଥିବା ନିର୍ଯାସ ଆଗାମୀ ଦିନରେ ଓଡ଼ିଶାର କ୍ରୀଡ଼ା ପରିବେଶକୁ ବିଶ୍ୱସ୍ତରୀୟ କରିବାରେ ବଡ଼ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଦୁଇ ଦିନିଆ ଚିନ୍ତନ ଶିବିର ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ଦିବସର ଉଦ୍‌ଯାପନୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking