ଭୁବନେଶ୍ୱର: ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ’ (ଏସଆଇଆର) ସଫଳତାର ସହ ଷଷ୍ଠ ଦିନରେ ପହଞ୍ଚିଛି। ଗତ ପାଞ୍ଚ ଦିନର ବ୍ୟାପକ ସଫଳତା ପରେ ଆଜି ମଧ୍ୟ ରାଜ୍ୟର କୋଣ-ଅନୁକୋଣରେ ଭୋଟରମାନଙ୍କ ମଧ୍ୟରେ ଏହି ଅଭିଯାନକୁ ନେଇ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି (ଗୁରୁବାର) ସନ୍ଧ୍ୟା ୦୬ଟା ସୁଦ୍ଧା ରାଜ୍ୟର ସମୁଦାୟ ୧କୋଟି ୨ଲକ୍ଷ ଲକ୍ଷ ୩୨ ହଜାର ୨୭୯ ଜଣ ଅର୍ଥାତ ମୋଟ ଭୋଟର ର ୩୦.୬୪ ପ୍ରତିଶତ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଣ୍ଟନ କରାଯାଇ ସାରିଛି। ଏହି ସ୍ବତନ୍ତ୍ର ଅଭିଯାନକୁ ଶତପ୍ରତିଶତ ସଫଳ କରିବା ପାଇଁ ସାରା ରାଜ୍ୟରେ ୪୫,୨୫୫ ଜଣ ବୁଥସ୍ତରୀୟ ଅଧିକାରୀ (ବିଏଲ୍ଓ) ନିୟୋଜିତ ହୋଇଛନ୍ତି। ବିଏଲ୍ଓମାନେ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ସମେତ ସହର ଓ ଗ୍ରାମାଞ୍ଚଳର ପ୍ରତିଟି ଘରକୁ ଯାଇ ପରିଗଣନା ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି।ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯାଉଛି।
ଭୋଟରମାନେ ଫର୍ମ ପୂରଣ କରିବା ପରେ ବିଏଲ୍ଓ ଗୋଟିଏ ନକଲ ନିଜ ପାଖରେ ରଖୁଛନ୍ତି ଏବଂ ଦ୍ଵିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ବୀକୃତି ପତ୍ର ଭାବେ ଫେରସ୍ତ କରୁଛନ୍ତି। ଏହି ସ୍ୱୀକୃତି ପତ୍ରକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବାକୁ କୁହାଯାଇଛି।ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ଅଧିକ ସଫଳ ଏବଂ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସକ୍ରିୟ ହୋଇଉଠିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବା ପାଇଁ ଏକ ବ୍ୟାପକ ଜନ-ସଚେତନତା ଅଭିଯାନ ଆରମ୍ଭ କରାଯାଉଛି।ନାଗରିକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ସଚେତନତା ରଥ ଗାଁ କୁ ଗାଁ ବୁଲି ସଚେତନ କରିବା ସହିତସହରଗୁଡ଼ିକରେ ମାଇକ୍ ପ୍ରଚାର, ହୋର୍ଡିଂ, ଏଲ୍.ଇ.ଡି ସ୍କ୍ରିନ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଯୁବପିଢ଼ିଙ୍କୁ ସାମିଲ କରାଯାଉଛି।ଗ୍ରାମାଞ୍ଚଳରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପାରମ୍ପରିକ ଲୋକକଳା, ପାଲା, ଦାସକାଠିଆ, ଏବଂ ଡେଙ୍ଗୁରାପିଟା ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି।
ବକ୍ତୃତା, ଚିତ୍ରାଙ୍କନ ଓ ରଙ୍ଗୋଲୀ ପ୍ରତିଯୋଗିତା ଆୟୋଜନ କରାଯାଇ ନୂତନ ଏବଂ ଯୁବ ଭୋଟରମାନଙ୍କୁ ପଞ୍ଜୀକରଣ ପାଇଁ ଉତ୍ସାହିତ କରାଯାଉଛି।ଏହି ପରିଗଣନା ପ୍ରକ୍ରିୟାକୁ ସହଜ କରିବା ପାଇଁ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦସ୍ତାବିଜ ବା ଡକ୍ୟୁମେଣ୍ଟ ସଂଗ୍ରହ କରାଯାଉ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ। ଅଭିଯାନକୁ ସମନ୍ୱିତ ଏବଂ ସ୍ୱଚ୍ଛ କରିବା ଦିଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ୩୩,୦୨୬ ଜଣ ବୁଥସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ମଧ୍ୟ କ୍ଷେତ୍ର ସ୍ତରରେ ବିଏଲ୍ଓମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ରାଜ୍ୟର କୌଣସି ବି ଯୋଗ୍ୟ ମତଦାତା ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି।










