37.8 C
Bhubaneswar
Thursday, June 4, 2026
Homeଓଡିଶାଶିବସେନା, ତୃଣମୂଳ ପରେ ବିଜେଡି ପାଳି ନୁହେଁ ତ?

ଶିବସେନା, ତୃଣମୂଳ ପରେ ବିଜେଡି ପାଳି ନୁହେଁ ତ?

ଭୁବନେଶ୍ୱର:ମହାରାଷ୍ଟ୍ରର ଶିବସେନା ପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସରେ ଯେଉଁ ଝଟ୍‌କା ଲାଗିଛି ଏହା ପଛରେ ବିଜେପିର ହାତକୁ କେହି ଅଶ୍ୱୀକାର କରୁନାହାଁନ୍ତି। ଏହି ଦୁଇ ରାଜ୍ୟର ସ୍ଥିତିକୁ ଦେଖିଲା ପରେ ଓଡ଼ିଶାରେ ବିଜେଡି ସତର୍କ ନରହିଲେ ପରିଣତି ଆଗକୁ ଯେ ଏପରି ନହେବ ତାହା କୁହାଯାଇ ନପାରେ। ରାଜ୍ୟସଭା ସାଂସଦମାନଙ୍କ ଘଟଣାରେ ବିଜେପି ସୂଚନା ଦେଇସାରିଲାଣ। ଏଣୁ ଦଳର ସଭାପତି ନୀବନ ପଟ୍ଟନାୟକ ନିଜ କାର୍ଯ୍ୟଧାରାରେ ପରିବର୍ତ୍ତନ ନକଲେ ରାଜ୍ୟସଭା ସାଂସଦଙ୍କ ପରେ ବିଧାୟକମାନଙ୍କ କ୍ଷେତ୍ରରେ ଏପରି ଘଟିବାର ଆଶଙ୍କାକୁ ଏଡ଼ାଯାଇ ନପାରେ ବୋଲି ଆଲୋଚନା ହେଉଛି। ପଶ୍ଚିମବଙ୍ଗ ଘଟଣା ବିଜେଡି ପାଇଁ ଏକ ସତର୍କ ଘଣ୍ଟି ବୋଲି କହିଲେ ଅତ୍ୱିକ୍ତି ହେବ ନାହିଁ।

ରାଜନୀତିକ ବିଶେଷଜ୍ଞମାନଙ୍କ ମତରେ ବିଜେଡି ପ୍ରତି ଏବେବି ଲୋକଙ୍କର ଭଲପାଇବା ରହିଛି। ବିଜେପି କ୍ଷମତାକୁ ଆସିବା ପରେ ତାହାର କାର୍ଯ୍ୟଧାରା ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଲୋକଙ୍କ ସରକାର ବୋଲି ଡିମ୍ ଡିମ୍ ପିଟୁଥିଲେ ବି ବାସ୍ତବତା ଭିନ୍ନ। ବିଜେଡି ଉପରେ ଅତିଷ୍ଠ ହୋଇ ଲୋକେ ଯେଉଁ ଆଶା ଓ ଭରସା ନେଇ ବିକଳ୍ପ ବାଛିଥିଲେ ସେ ଆଶା କ୍ରମେ ମଉଳିବାରେ ଲାଗିଛି। ନବୀନଙ୍କ ପ୍ରତି ଲୋକଙ୍କ ଦରଦୀ ମନୋଭାବ ବଢ଼ୁଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏଣୁ ନବୀନ ଯଦି ଦଳୀୟ ନେତାମାନଙ୍କୁ ଏକାଠି ନରଖିନ୍ତି ଓ ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଦୂର ନକରନ୍ତି ତେବେ ବିଜେପିକୁ ବେଶି ସମୟ ଲାଗିବ ନାହିଁ ବିଜେଡିକୁ ଭାଗ କରିବା ପାଇଁ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ୮୦ ବିଧାୟକଙ୍କ ମଧ୍ୟରେ ପ୍ରାୟ ୬୦ ବିଧାୟକ ଏକାଠି ହୋଇ ଦଳର ନେତ୍ରୀ ମମତାଙ୍କ ବିରୋଧରେ ଏକାଠି ହୋଇପାରିଲେ। ଏହି ବିରୋଧୀ ବିଧାୟକମାନେ ଏବେ ବାଚସ୍ପତିଙ୍କ ଦ୍ୱାରା ପ୍ରକୃତ ବିରୋଧୀ ଦଳର ମାନ୍ୟତା ମଧ୍ୟ ପାଇଗଲେ। ବିଜେଡିର ୫୧ ବିଧାୟକ ଥିଲେ। ନୂଆପଡ଼ା ଉପନିର୍ବାଚନରେ ଗୋଟିଏ ଆସନ ହରାଇବା ପରେ ସଂଖ୍ୟା ୫୦କୁ ଖସିଲା। ପରେ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ନିଲମ୍ବିତ କରାଗଲା। ଏହାପରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାରେ ଆଉ ୬ଜଣ ବିଧାୟକଙ୍କୁ ନିଲମ୍ବିତ କରାଗଲା। ନିୟମ ଦୃଷ୍ଟିରୁ ନିଲମ୍ବିତ ହେଲେ ବି ଏହି ବିଧାୟକମାନେ ଦଳଛାଡ଼ି ଯାଇପାରିବେ ନାହିଁ। ଏହି ୮ଜଣ ବିଧାୟକ ଦଳ ବିରୋଧରେ ଯାଇ ସାରିଛନ୍ତି। ଆଉ ଯେଉଁ ୪୨ ବିଧାୟକ ରହିଲେ ସେମାନଙ୍କ ଭିତରୁ ୨୦ ରୁ ୨୫ଜଣ ଏକାଠି ହୋଇ ଏମାନଙ୍କ ସହ ମିଶି ଭିନ୍ନ ଦଳ ଗଠନ କରିବା କିଛି ଅସ୍ୱାଭାବିିକ ନୁହେଁ। ବିଜୁ ଲିଗାସୀ ନା’ରେ ଯେଉଁ ସଂଗଠନ ଗଠନ କରାଯାଇଛି ସେମାନେ ବିଜେପି ସହ ଯୋଗାଯୋଗରେ ରହି ବିଜେଡିକୁ କିଭଳି ଭାଙ୍ଗିବେ ସେ ଉଦ୍ୟମରେ ଅଛନ୍ତି ବୋଲି ସବୁଆଡ଼େ ଆଲୋଚନା ହେଉଛି।

ଏ କ୍ଷେତ୍ରରେ କୁହାଯାଉଛି ଯେ, ଦଳର ନେତା ଓ କର୍ମକର୍ତ୍ତାମାନଙ୍କର ମୂଳ ଯେଉଁ ଅଭିଯୋଗ ଓ ଅସନ୍ତୋଷ ରହିଛି ତାହା ହେଉଛି ନବୀନଙ୍କ ସହ ସିଧାସଳଖ କଥା ହୋଇ ନପାରିବା ଓ ଆଲୋଚନା ନକରିବା। ଦଳର ସଭାପତିଙ୍କୁ ଜଣେ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ପ୍ରମୁଖ କର୍ମକର୍ତ୍ତାମାନେ କଥା ହେବାକୁ ସୁଯୋଗ ନମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଅନେକ ମତ ଦେଉଛନ୍ତି। ୨୦୨୪ ନିର୍ବାଚନ ପରେ ବିଜେଡି ଯେଉଁ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି ସେଥିରୁ ଦଳକୁ ମୁକାଳୀ ଆଗକୁ ବଢ଼ାଇବା ଏବଂ ନେତା ଓ କର୍ମୀମାନଙ୍କ ମନୋବଳ ବଢ଼ାଇବା କାର୍ଯ୍ୟ ହେଉଛି ସଭାପତିଙ୍କର। ଆଉ ସଭାପତି ଯଦି ନିଜେ ଏସବୁକୁ ଧ୍ୟାନ ନଦେବେ ତେବେ ବିରୋଧୀ ଫାଇଦା ନେବା ସ୍ୱଭାବିକ। ନବୀନ କହୁଛନ୍ତି ତାଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ। କିନ୍ତୁ ବାସ୍ତବ ଚିତ୍ର ହେଉଛି ଭିନ୍ନ। ଯେଉଁମାନେ ଦଳରୁ ଯାଇଛନ୍ତି ଓ ଅସନ୍ତୁଷ୍ଟ ହୋଇ ରହିଛନ୍ତି ସେମାନେ ଖୋଲାଖୋଲି ଭାବେ କହୁଛନ୍ତି ଯେ ନବୀନଙ୍କ ସହ ସେମାନଙ୍କୁ ସାକ୍ଷାତ କରିବାକୁ ଦିଆଯାଉ ନାହିଁ। ତେବେ ସେ ମନର କଥା ଓ ଅସନ୍ତୋଷ କାହା ଆଗରେ ବଖାଣିବେ ବୋଲି ପ୍ରଶ୍ନ ଉଠୁଛି।

ପୂର୍ବରୁ ଯେଉଁ ଦୁଇଜଣ ସାଂସଦ ଦଳ ଛାଡ଼ିଥିଲେ ଓ ଏବେ ଦଳ ଛାଡ଼ିଥିବା ସାଂସଦ ଦେବାଶିଷ ସାମନ୍ତରାୟ ସମସ୍ତଙ୍କ ଏକା ଅଭିଯୋଗ ଯେ, ନବୀନଙ୍କ ସହ କଥା ହେବାକୁ ସୁଯୋଗ ଦିଆଯାଉ ନାହିଁ। ଏପରିକି ପ୍ରଭାତ ବିଶ୍ୱାଳ ହୁଅନ୍ତୁ, ପ୍ରଭାତ ତ୍ରିପାଠୀ ହୁଅନ୍ତୁ କି ବିଧାୟକ ସନା ମାହକୁଡ଼, ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ସ୍ୱଭିକ୍ ବିଶ୍ୱାଳ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅଧିକାଂଶଙ୍କ ଅଭିଯୋଗ ଏକା। ଜିଲ୍ଲା ସଭାପତିଙ୍କ ଅଭିଯୋଗ ନ କହିଲେ ଭଲ। ବରିଷ୍ଠ ନେତାଙ୍କ ଭିତରେ ବିଦ୍ରୀ ନାରାୟଣ ପାତ୍ର ମଧ୍ୟ ଖୋଲା ଖୋଲି ଭାବେ ଦଳର କାର୍ଯ୍ୟଧାରା ନେଇ ଅସନ୍ତୁଷ୍ଟ ଥିବା କହି ସାରିଛନ୍ତି। ଏପରିକି ରାଜ୍ୟସଭା ନିର୍ବାଚନ ବେଳେ ପ୍ରାର୍ôଥତ୍ୱ ନେଇ ଚାଲିଥିବା ଚର୍ଚ୍ଚାରେ ସେ ଘୋର୍ ବିରୋଧ କରିଥିଲେ ଏବଂ ଦଳ ଛାଡ଼ି ଦେବେ ବୋଲି କହିଥିଲେ। ପ୍ରଭାତ ବିଶ୍ୱାଳ ମଧ୍ୟ ପ୍ରାର୍ôଥତ୍ୱ ନେଇ ବିଶୋଦଗାର କରିଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ସଭାପତି ଭାବେ ନବୀନ ଯଦି ଦଳକୁ ସଂଗଠିତ କରି ରଖିବାକୁ ଚାହାଁନ୍ତି ତେବେ ତାଙ୍କ ଦ୍ୱାର ଉନ୍ମୁକ୍ତ ବୋଲି ଯାହା ଭାଷଣରେ କହୁଛନ୍ତି ତାହା ବାସ୍ତବରେ ପରିଲକ୍ଷିତ ହେବା ଦରକାର। ଯେଉଁ ଦଳୀୟ ନେତା ଯେତେବେଳେ ଫୋନ୍‌କଲେ ସଭାପତି ଭାବେ ତାଙ୍କ ସହ ଆଲୋଚନା କଲେ ଦଳ ଭିତରେ ଥିବା ଅସନ୍ତୋଷ ଅନେକାଂଶରେ କମିଯିବ। ଯାହାକୁ ନେଇ ଦଳ ଭିତରେ ଅଧିକାଂଶଙ୍କର ଅସନ୍ତୋଷ ରହିଛି ତାଙ୍କୁ ଦୂରେଇ ରଖିବା ସବୁଠାରୁ ବୁଦ୍ଧିମାନର କାମ ହେବ। ଯେଉଁମାନଙ୍କ ମାଧ୍ୟମରେ ଦଳର ବାର୍ତ୍ତା ଦିଆଯାଉଛି ଓ ବିରୋଧୀ ପକ୍ଷଙ୍କୁ ମୁକାବିଲା କରିବା ପାଇଁ ମତ ରଖାଯାଉଛି ସେମାନଙ୍କ ମଧରୁ ଅଧିକାଂଶ  ଆଗ ଧାଡ଼ିର ନେତା ନୁହଁନ୍ତି କି ସେମାନେ ଲୋକଙ୍କୁ ପ୍ରଭାବିତ କରିପାରିବେ ନାହିଁ। ଏାମନଙ୍କ ଉପରେ ଭରସା କରି ଦଳର ନେତା ଆଗେଇବାକୁ ଚାହୁଁଛନ୍ତି ତେବେ ବିପଦକୁ ଆପଣାଛାଏଁ ଡ଼ାକିବେ। ଏଣୁ ମୁଖିଆଙ୍କ ଉପରେ ଏବେ ଗୁରୁଦାୟିତ୍ୱ ରହିଛି। ତାଙ୍କ ପଦକ୍ଷେପ ଉପରେ ହିଁ ସବୁକିଛି ନିର୍ଭର କରୁଛି। ଏ ସବୁ ଯଦି କରାନଯାଏ ତେବେ ଶିବସେନା ଓ ତୃଣମୂଳ କଂଗ୍ରେସ ଭଳି ସ୍ଥିତି ଭିଜେଡିକୁ ଭୋଗିବାକୁ ପଡ଼ିପାରେ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking