ଭୁବନେଶ୍ବର: ସପ୍ତାହେ ହେଲା ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତିରୁ ମିଳୁନି ତ୍ରାହି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଆକାଶରୁ ନିଆଁବର୍ଷା ଜାରି ରହିଛି। ଉପକୂଳର ଗୁଳୁଗୁଳି ଅଂଶୁଘାତ ସମ୍ଭାବନାକୁ ବଢ଼ାଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଗତକାଲି ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ବଲାଙ୍ଗୀର ଓ ସମ୍ବଲପୁରର ଉତ୍ତପ୍ତ ରାତି ଜନଜୀବନକୁ ଅସହ୍ୟ ଯନ୍ତ୍ରଣା ଦେଉଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା।ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମିବା ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଆରମ୍ଭରୁ ଠକିଛି ମୌସୁମୀ । ମେ’ ୨୬ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। କିନ୍ତୁ, ଛୁଇଁବା ତ ଦୂର କଥା, କେରଳ ଆଖପାଖରେ ମୌସୁମୀର ଚିହ୍ନବର୍ଣ୍ଣ ନାହିଁ ।










