ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ ହେବା ଦୁର୍ଭାଗ୍ୟଜନକ
ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ପିଲାଙ୍କ ଭବିଷ୍ୟତ ସହ ଖେଳ ନ ଖେଳନ୍ତୁ ସରକାର
ଭୁବନେଶ୍ୱର: ବିଜେପି ସରକାରରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ନୁ୍ୟ ଇଣ୍ଡିଆର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ଏବେ ଲିକ୍ ଇଣ୍ଡିଆର ପରିଚୟ ସୃଷ୍ଟି କରୁଛି । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହେବା ଦୁର୍ଭାଗ୍ୟଜନକ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଛନ୍ତି, ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି କେନ୍ଦ୍ର ସରକାର । ଜଣେ ପରୀକ୍ଷାର୍ଥୀଙ୍କ ପରିଶ୍ରମ ବୁଝିବାକୁ ଏ ସରକାର ଅସମର୍ଥ । ଚାରି ଚାରି ଥର ନିଟ୍ ପେପର ଲିକ୍ ଘଟଣା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ନିଟ୍ ପରୀକ୍ଷାର ପେପର ଲିକ୍ ଘଟଣାରୁ ଜଣାପଡୁଛି, କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଆଉ ନାହିଁ ଦେଶର ଶିକ୍ଷା ବ୍ୟବସ୍ଥା । ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ବିଭାଗର ଦାୟିତ୍ୱ କଥା ପାସୋରି ଯାଉଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ ଓଡ଼ିଶାରେ ଥିବାବେଳେ ଦେହ ଦିଲ୍ଲୀରେ ରହୁଥିବାରୁ ବାରମ୍ବାର ନିଟ୍ ପରୀକ୍ଷାର ପେପର ଲିକ୍ ହେଉଛି । ଶ୍ରୀ ପ୍ରଧାନ ନିର୍ବାଚନ ପରିଚାଳନା ଠିକ୍ ଭାବେ ତୁଲାଉଥିବା ବେଳେ ନିଜ ବିଭାଗର ଦାୟିତ୍ୱ ଠିକ୍ ଭାବେ କ’ଣ ପାଇଁ ତୁଲାଇ ପାରୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ । ଯଦି ନିଜ ବିଭାଗର ଦାୟିତ୍ୱ ତୁଲାଇ ପାରୁନାହାନ୍ତି, ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଇପ୍ସୀତା ସାହୁ କହିଥିଲେ ଯେ, କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଗୁରୁ ଯେମିତି, ରାଜ୍ୟରେ ତାଙ୍କ ଶିଷ୍ୟ କହୁଥିବା ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ଠିକ୍ ସେମିତି। କାରଣ ରାଜ୍ୟରେ ବିଗତ ୨୩ ମାସ ଭିତରେ ୨୩ଟି ପେପର ଲିକ୍ ଯୋଗୁଁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ପରୀକ୍ଷାର୍ଥୀ ମାନେ ରାତି ଅନିଦ୍ରା ହୋଇ ପାଠପଢ଼ି ଫଳାଫଳକୁ ଅପେକ୍ଷା କରିଥିବା ବେଳେ ତାଙ୍କ ଭାଗ୍ୟ ସହ ଖେଳୁଥିବା ବିଜେପି ନେତାମାନେ ସେ କଷ୍ଟକୁ ଅନୁଭବ କରିପାରୁ ନାହାନ୍ତି । ତେଣୁ ବାରମ୍ବାର ରାଜ୍ୟ ଏବଂ ଦେଶରେ ପେପର ଲିକ୍ ଭଳି ଘଟଣା ଦେଖିବାକୁ ମିଳୁଛି ।










