ଭୁବନେଶ୍ୱର: ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣାରେ ଜୀବିତ ୩ ବର୍ଷର ଶିଶୁଙ୍କୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଶିଶୁ ରହୁଥିବା ବ୍ରହ୍ମପୁର ସ୍ଥିତ ଉକ୍ରଳ ବାଳାଶ୍ରମ ଗସ୍ତ କରି ଦଳର ଏକ ପ୍ରତିନିଧିମଣ୍ଡଳୀ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଶିଶୁ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ଏହି ଅର୍ଥ ରାଶି ରଖିବା ପାଇଁ ବାଳାଶ୍ରମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଡ. ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ ଓ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ପ୍ରମୁଖ ରହିଥିଲେ ।










