34.1 C
Bhubaneswar
Sunday, April 26, 2026
Homeଓଡିଶାଜରୁରୀ ମାମଲା ଛାଡି ଅନ୍ଯ ନିବନ୍ଧନ ପ୍ରକ୍ରିୟାରେ କାର୍ଯ୍ୟାଳୟ ପରିସର ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥାକୁ ବନ୍ଦ...

ଜରୁରୀ ମାମଲା ଛାଡି ଅନ୍ଯ ନିବନ୍ଧନ ପ୍ରକ୍ରିୟାରେ କାର୍ଯ୍ୟାଳୟ ପରିସର ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥାକୁ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦଳିଲ୍ ନିବନ୍ଧନ ତଥା ପଞ୍ଜୀକରଣ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥାର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି l ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏ ସଂକ୍ରାନ୍ତରେ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି lଦଲିଲ୍ ନିବନ୍ଧନ କିମ୍ବା ଜମା ପାଇଁ ବହୁ ସଂଖ୍ୟକ ମାମଲାରେ ଘରକୁ ଯାଇ ନିବନ୍ଧନ କାର୍ଯ୍ୟ ସମ୍ପାଦନ କରାଯାଉଥିବା ସରକାରଙ୍କ ନଜରକୁ ଆସିଛି l ଏହା ଭାରତୀୟ ନିବନ୍ଧନ ଆଇନ, ୧୯୦୮ ଏବଂ ଓଡିଶା ନିବନ୍ଧନ ନିୟମ, ୧୯୮୮ର ମୂଳ ଉଦ୍ଦେଶ୍ୟ ତଥା ରୂପରେଖ ଅନୁଯାୟୀ ସମୁଚିତ ନୁହେଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ଉଲ୍ଲେଖ କରାଯାଇଛି l

ଆଇନ୍ ଅନୁଯାୟୀ, ଘରେ ଯାଇ ନିବନ୍ଧନ କେବଳ ବିଶେଷ ସ୍ଥିତିରେ ମାତ୍ର ଅନୁମୋଦନ କରାଯାଇପାରିବ। ଯଦି କୌଣସି ବ୍ୟକ୍ତି ଶାରୀରିକ ଅସୁସ୍ଥତା, ଆଇନଗତ ଗିରଫଦାରୀ କିମ୍ବା ଅନ୍ୟ କୌଣସି ଆବଶ୍ୟକତାବଶତଃ ନିବନ୍ଧନ କାର୍ଯ୍ୟାଳୟକୁ ଯିବାରେ ଅସମର୍ଥ, ସେହି ସ୍ଥିତିରେ ମାତ୍ର ଏପରି ବ୍ୟବସ୍ଥା ଲାଗୁ ହେବ। କେବଳ ଏହି ସବୁ ପରିସ୍ଥିତି ପରିପ୍ରେକ୍ଷୀରେ ନିବନ୍ଧନ କର୍ମକର୍ତ୍ତାଙ୍କୁ ବ୍ୟକ୍ତିଗତ ଘରକୁ ଯାଇ କାର୍ଯ୍ୟ ସମ୍ପାଦନ କରିବାର ଅଧିକାର ରହିଛି।କାର୍ଯ୍ୟାଳୟ ବାହାରେ ନିବନ୍ଧନ କରିବା ଏକ ପୃଥକ୍ ପରିସ୍ଥିତି ଏବଂ ଏହା କେବେ ମଧ୍ୟ ସାଧାରଣ ଭାବେ ପ୍ରଚଳନ ହେବା ଉଚିତ୍ ନୁହେଁ। ଏହିପରି ସମସ୍ତ କାର୍ଯ୍ୟ ଓଡିଶା ନିବନ୍ଧନ ନିୟମ, ୧୯୮୮ର ନିର୍ଦ୍ଦିଷ୍ଟ ପ୍ରକ୍ରିୟା (ଧାରା ୪୮ ରୁ ୫୨) ଅନୁସାରେ ଦୃଢ଼ ଭାବରେ ପାଳନ କରାଯିବା ଆବଶ୍ୟକ।

ଏହାସହିତ, ଏପରି ଘରୋଇ ନିବନ୍ଧନ ପୂର୍ବରୁ ଉଚିତ୍ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ ପୂର୍ବ ଅନୁମତି ନିଆଯିବା ଅନିବାର୍ଯ୍ୟ l ଜିଲ୍ଲା ମଧ୍ୟରେ ମାତ୍ର ଆଇନଗତ କ୍ଷେତ୍ରାଧିକାର ବାହାର ମାମଲାରେ ଏଡିଏମ୍ ତଥା ଜିଲ୍ଲା ରେଜିଷ୍ଟ୍ରାର୍, ଜିଲ୍ଲା ବାହାରେ କିନ୍ତୁ ରାଜ୍ୟ ଭିତରେ ଥିଲେ ଇନ୍ସପେକ୍ଟର୍ ଜେନେରାଲ ଅଫ ରେଜିଷ୍ଟ୍ରେସନ୍ ଏବଂ ରାଜ୍ୟ ବାହାରେ ଥିଲେ ସରକାରଙ୍କ ଅନୁମତି ଆବଶ୍ୟକ ହେବ।କେବଳ ପ୍ରକୃତ ଏବଂ ଯୁକ୍ତିସଙ୍ଗତ ମାମଲାରେ ଘରେ ଯାଇ ନିବନ୍ଧନ କରାଯିବ ଏବଂ ସମସ୍ତ କାରଣ ତଥା ଦଲିଲ୍ ସମ୍ବନ୍ଧୀୟ କାଗଜପତ୍ରର ସଠିକ୍ ଯାଞ୍ଚ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥାର କୌଣସି ଉଲ୍ଲଂଘନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି l ସେହିପରି ସମସ୍ତ ଏଡିଏମ୍ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କୁ ଏହି ଆଇନର କାର୍ଯ୍ୟକାରିତା ନେଇ ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି lସରକାର ଦଳିଲ ନିବନ୍ଧନ ପ୍ରକ୍ରିୟାରେ ସ୍ଵଚ୍ଛତା, ପାରଦର୍ଶିତା, ଦାୟିତ୍ୱବୋଧ ଓ ଆଇନଗତ ନିୟମାବଳୀର କଡା ଅନୁପାଳନ ପ୍ରତି ନିଜର ପ୍ରତିବଦ୍ଧତା ସ୍ପଷ୍ଟ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking