ଗଞ୍ଜାମ : ପଣା ସଂକ୍ରାନ୍ତିରେ ଅଘଟଣ । ମାମୁ-ଭଣଜାକୁ ଘୋଷାଡ଼ି ନେଲା ଦ୍ରୁତଗତିରେ ଆସୁଥିବା ଏକ କାର୍ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ।ଖବର ଅନୁଯାୟୀ, ଦୁଇ ଜଣ ଆରୋହୀ ଏକ ବାଇକ ଯୋଗେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ । ବାଇକରେ ଯାଉଥିବା ଦୁଇ ଜଣ ସଂପର୍କରେ ମାଆ-ଭଣଜା ହେବେ । ଦିଗପହଣ୍ଡି ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ବାଇକକୁ ପଛରୁ ଧକ୍କା ଦେଇଥିଲା । ଏପିରିକି ବାଇକକୁ ୪୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା କାର୍ । ଦୁର୍ଘଟଣା ପରେ ବାଇକରେ ଥିବା ଦୁଇ ଜଣ ଛିଟକି ପଡ଼ିଥିଲେ । ଏତେ ବଡ଼ ଦୁର୍ଘଟଣାରେ ଦୁଇ ଜଣ ଆରୋହୀ ଗୁରୁତର ହୋଇପଡିଥିଲେ। ଏହାପରେ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରୁଛି । ଏହାସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଥାନାକୁ ନେଇଯାଇଛି । ତେବେ ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ଠପ୍ ହୋଇଥିଲା ।










