ଭୁବନେଶ୍ୱର: ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଆୟୋଜିତ ଚାରି ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମାଜବାଦୀ ଚିନ୍ତାଧାରା ଓ ଆଜିର ଭାରତର ପରିସ୍ଥିତି ଉପରେ ଆଲୋକପାତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ସ୍ତମ୍ଭକାର ତୁଷାର କାନ୍ତ ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା କବି କେଦାର ମିଶ୍ର, ଏବଂ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ଫରୱାର୍ଡ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ନେତାଜୀଙ୍କ ଜୀବନୀ ଓ ତାଙ୍କ ସଂଗ୍ରାମୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଭାରତ ବର୍ଷ ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତଦେଇ ଗତି କରୁଛି ବୋଲି ଅଭିଯୋଗ କରିଥିଲେ l ଏଭଳି ସମୟରେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ସୁଭାଷବାଦ ଏବଂ ସମାଜବାଦୀ ଚିନ୍ତାଧାରାକୁ ଆଧାର କରି ସଂଗ୍ରାମ କରିବା ଅପରିହାର୍ଯ୍ୟ ହୋଇପଡିଛି l ତେଣୁ ଆଜାଦ ହିନ୍ଦ ବାହିନୀର ସିପାହୀମାନେ ନେତାଜୀ ସୁଭାଷଙ୍କ ଧାରାରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ କରିଥିଲେ l ଆହ୍ୱାନ ଦେଇ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ନେତାଜୀଙ୍କ ବଳିଦାନ ଓ ନୀତିକୁ ପାଥେୟ କରି ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଗେଇ ଆସିବାକୁ ହେବ।
ଚାରି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ସଭାପତିତ୍ୱ କରିଥିଲେ ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ର । ସେ ନିଜର ଉଦଯାପନୀ ଅଭିଭାଷଣରେ ରାଜ୍ୟ ଓ ଦେଶର ସମ୍ପଦ କର୍ପୋରେଟ ନିୟନ୍ତ୍ରଣ ଚାଲିଯିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଓଡ଼ିଶାର ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଓ ଜଳ, ଜମି ଏବଂ ଜଙ୍ଗଲ ଆଜି ବଡ଼ ବଡ଼ ବେପାରୀଙ୍କ ହାତକୁ ଚାଲିଯାଉଛି। ଫଳରେ ସାଧାରଣ ଜନତାଙ୍କ ଅଧିକାର କ୍ଷୁଣ୍ଣ କରାଯାଉଛି। ଦେଶର ସମ୍ପଦ ଯେତେବେଳେ ପୁଞ୍ଜିପତିଙ୍କ ହାତକୁ ଚାଲିଯାଏ, ସେତେବେଳେ ସାଧାରଣ ଜନତାଙ୍କ ମୁକ୍ତି ପାଇଁ ସୁଭାଷବାଦୀ ବିଚାରଧାରା଼ରେ ସଂଗ୍ରାମ ହିଁ ଏକମାତ୍ର ରାସ୍ତା ବୋଲି ପ୍ରକାଶ କରିବା ସହ ଆମ ସମ୍ପଦ ର ସୁରକ୍ଷା ପାଇଁ ଶକ୍ତିଶାଳୀ ଜନଆନ୍ଦୋଳନ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ l ଏହି ଚାରିଦିନିଆ କର୍ମଶାଳାରେ ସର୍ବଶ୍ରୀ ଲଷ୍ମୀ ଦୋରା, ଦିଶା ଆଜାଦ, ରିଙ୍କି ସାହୁ, ଖୋଜନ୍ତି କାଣ୍ଡକି, ଈଶ୍ୱର ଖିଲ, ପାୟଲ ଗୁପ୍ତା, ରାଜୁ ମାଡକାମୀ, ଶ୍ରୀନୁ ମାଢି, ବିକ୍ରମ କାଣ୍ଡି ପ୍ରମୁଖଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ନେତାଜୀ ସୁଭାଷଙ୍କ ଆଦର୍ଶ ଆଧାରରେ ସମାଜ ଓ ଦେଶ ଗଠନରେ ନିଜକୁ ନିୟୋଜିତ କରିବାକୁ ସଂକଳ୍ପ ବଦ୍ଧ ହୋଇଥିଲେ l










