29.1 C
Bhubaneswar
Friday, April 3, 2026
Homeଓଡିଶାପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ପୂର୍ବତଟରୁ କାଢି ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିଜେଡିର ବିରୋଧ

ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ପୂର୍ବତଟରୁ କାଢି ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିଜେଡିର ବିରୋଧ

ଏହା ଡବଲ ଇଞ୍ଜିନ ସରକାରଙ୍କର ଓଡ଼ିଶା ଦିବସର ଉପହାର
ଆନ୍ଧ୍ରକୁ ଖୁସି କରିବା ପାଇଁ ଓଡିଶାର ଅଞ୍ଚଳକୁ ଟେକି ଦିଆଯାଇଛି
ଓଡ଼ିଶାର ୨୦ ଜଣ ଲୋକସଭା ସାଂସଦ ଓ ରାଜ୍ୟ ବିଜେପି ନେତାଙ୍କ ମୁହଁ ଚୁପ୍ କାହିଁକି?

ଭୁବନେଶ୍ୱର: ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରରେ ଓଡିଶାକୁ ଅଧିକ ମିଳିବା ପରିବର୍ତ୍ତେ ଓଡ଼ିଶାର ହକ୍କୁ ଛଡାଇ ନିଆଯାଉଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଓଡ଼ିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଓଡିଶାରେ ଥିବା ପୂର୍ବତଟ ରେଳବାଇରୁ କାଢିନେଇ ଆନ୍ଧ୍ରପ୍ରଦେଶରେ ଥିବା ଦକ୍ଷିଣତଟ ରେଳବାଇରେ ମିଶ୍ରଣ କରାଯାଇଛି, ଯାହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଡବଲ ଧୋକା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୂର୍ବତଟ ରେଳବାଇ ଦେଶରେ ଥିବା ସମସ୍ତ ରେଳବାଇ ଡିଭିଜନ ଭିତରେ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଡିଭିଜନ । ଆନ୍ଧ୍ରକୁ ଖୁସି କରାଇବାକୁ ଯାଇ ଓଡ଼ିଶାରେ ଥିବା ପୂର୍ବତଟ ରେଳବାଇକୁ ଦୁର୍ବଳ କରିବାକୁ ଲଗାତର ଉଦ୍ୟମ ହେଉଛି । ପ୍ରାୟ ୧ ବର୍ଷ ତଳେ କୋରାପୁଟ ଜିଲ୍ଲା ଓ ରାୟଗଡା ଜିଲ୍ଲାର କିଛି ଅଂଶକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଥିଲା । ଏବେ ଓଡ଼ିଶା ଦିବସ ପାଳିତ ହେଉଥିବା ବେଳେ ପଲାସା ଓ ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପିର ନେତାମାନେ ରାଜ୍ୟ ପ୍ରତି ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି । ପୂର୍ବତଟ ରେଳବାଇକୁ ଲଗାତର ଭାବେ ସଙ୍କୁଚିତ କରାଯାଉଛି, କିନ୍ତୁ ଓଡ଼ିଶାର ୨୦ ଜଣ ଲୋକସଭା ବିଜେପି ସାଂସଦ ଓ ରାଜ୍ୟର ନେତୃତ୍ୱ ମୁହଁରେ ତୁଣ୍ଡି ଦେଇ ବସି ରହିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ । ଯେଉଁ ୨୦ ଜଣ ଲୋକସଭା ବିଜେପି ସାଂସଦ ରାଜ୍ୟରୁ ଯାଇଛନ୍ତି, ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ସେମାନଙ୍କ ଭୂମିକା କ’ଣ? ଏହାଛଡା ଜଣେ ଓଡ଼ିଶାର ସାଂସଦ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଓଡ଼ିଶାର ସ୍ୱାର୍ଥକୁ ଆନ୍ଧ୍ର ପାଖରେ ବନ୍ଧା ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଥିଲେ । ଡ଼ ଲେନିନ ମହାନ୍ତି କହିଥିଲେ, ରାଜ୍ୟରେ ଅନୁନ୍ୟ ୬ଟି ଜିଲ୍ଲାକୁ ରେଳ ସଂଯୋଗ ହୋଇପାରି ନାହିଁ । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଲେ, ଓଡିଶାକୁ ଅଧିକ କ’ଣ ଦେବେ, ଓଡ଼ିଶାର ହକ୍କୁ ଛଡାଇ ନେଉଛନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ସହିତ ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ରେଳ ଅଞ୍ଚଳ ଗୁଡିକୁ ଦକ୍ଷିଣ-ପୂର୍ବ ରେଳବାଇରୁ କାଢି ପୂର୍ବତଟ ରେଳବାଇରେ ମିଶ୍ରଣ କରି ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଜେଡି ଦାବି କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking