ରାୟଗଡା: ରାୟଗଡା ଜିଲ୍ଲାରେ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ସଂପର୍କିତ ଏକ ସମ୍ବେଦନଶୀଳ ମାମଲାରେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୧) ଅନୁଯାୟୀ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ୧୨୦ ଦିନ ମଧ୍ୟରେ ଏହି ମାମଲାରେ ଅଭିଯୁକ୍ତକୁ ଦଣ୍ଡାଦେଶ ହେବା ଓଡ଼ିଶା ପୋଲିସର ଦ୍ରୁତ ତଦନ୍ତର ଏକ ଉତ୍କୃଷ୍ଟ ଉଦାହରଣ।
ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ମସିହା ନଭେମ୍ବର ୧୮ ତାରିଖରେ ଏହି ଘଟଣା ଘଟିଥିଲା। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଏବଂ ତାଙ୍କ ସ୍ୱାମୀ କୋରାପୁଟକୁ ଫେରିବା ପାଇଁ ରାୟଗଡାରେ ଅପେକ୍ଷା କରିଥିଲେ। ଅଭିଯୁକ୍ତଜଣକ ଉଭୟଙ୍କୁ ନିଜ ଘରେ ରହିବାର ବ୍ୟବସ୍ଥା କରିବା ବାହାନାରେ ରୟୋତ କଲୋନୀକୁ ନେଇଥିଲା। ପରେ ଏକୁଟିଆ ପାଇ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲା। ।ଘଟଣା ସଂପର୍କରେ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।ମାନ୍ୟବର ଅଦାଲତ ଆଜି ମାମଲାର ଚୁଡାନ୍ତ ରାୟ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଏପରି ମାମଲାରେ ତ୍ୱରିତ ତଦନ୍ତ, ଦୃଢ଼ ପ୍ରମାଣ ସଂଗ୍ରହ ଓ ସମୟସୀମା ମଧ୍ୟରେ ଚାର୍ଜସିଟ ଦାଖଲ ଫଳରେ ଦୋଷୀଙ୍କୁ ଶୀଘ୍ର ଦଣ୍ଡାଦେଶ ନିଶ୍ଚିତ କରାଯାଉଛି। ଏହା ମହିଳାଙ୍କ ସୁରକ୍ଷା ପ୍ରତି ପୋଲିସର ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରତିଫଳନ।ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ରାୟଗଡା ଜିଲ୍ଲା ଏସପିଙ୍କ ସମେତ ସରକାରୀ ଓକିଲ ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକରି ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି।










