ଭୁବନେଶ୍ୱର: ବିଜୁ ପଟ୍ଟନାୟକ ପାର୍କ କୁ ଯାଇ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ନବୀନ ପଟନାୟକ । କହିଛନ୍ତି ଆଜି ମହାନ ଜନନାୟକ ବିଜୁ ବାବୁଙ୍କ ଜନ୍ମ ଦିବସ । ବିଜୁ ବାବୁ ଥିଲେ ଓଡିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ସୁବର୍ଣ୍ଣ ସେତୁ । ସେ କେବଳ ଆମ ଅତୀତ ଗୌରବ କୁ ନେଇ ଗର୍ବ କରୁ ନ ଥିଲେ । ଆମର ଉତ୍ତର ପିଢ଼ି ପାଇଁ ଏକ ସମୃଦ୍ଧ ଭବିଷ୍ୟତର ଯୋଜନା ମଧ୍ୟ କରିଥିଲେ । ବିଜୁ ବାବୁ କେବଳ ଜଣେ ରାଜନେତା ନ ଥିଲେ। ସେ ଓଡ଼ିଆ ଭାବନାର ପ୍ରତିନିଧିତ୍ୱ କରନ୍ତି। ଓଡିଆ ସ୍ୱାଭିମାନ ଥିଲା ତାଙ୍କର ସବୁଠାରୁ ବଡ ଶକ୍ତି । ଓଡିଶାର ବିକାଶ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ତଥା ପଞ୍ଚାୟତିରାଜ ବ୍ୟବସ୍ଥାକୁ ତାଙ୍କର ଅବଦାନକୁ କେହି ଭୁଲି ପାରିବେ ନାହିଁ । ଲୋକଙ୍କ ଶକ୍ତିକୁ ସମ୍ମାନ ଦେଉଥିବା ନେତା ହିଁ ପଂଚାୟତି ରାଜ ବ୍ୟବସ୍ଥା କୁ ମଜବୁତ କରି ପାରିବ । ପଂଚାୟତି ରାଜ ବ୍ୟବସ୍ଥା ଦୁର୍ବଳ ହେଲେ ଲୋକଙ୍କ ଭରସା ମଧ୍ୟ ନଷ୍ଟ ହୋଇଥାଏ । ଏହା ଚିନ୍ତାର ବିଷୟ ଯେ ଓଡ଼ିଶାରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ଏବେ ବଡ଼ ବିପଦରେ ଅଛନ୍ତି। ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ ପଂଚାୟତି ରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଜନ ସଚେତନା ସୃଷ୍ଟି କରିବ । ତାହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।










