ଭୁବନେଶ୍ୱର: ହୋଲି ପାଇଁ ସାରା ଓଡ଼ିଶା ଏବେ ଉତ୍ସବ ମୁଖର ହୋଇଉଠିଛି । ଫଗୁ ଦଶମୀରୁ ହିଁ ପୁର ପଲ୍ଲୀରେ ରଙ୍ଗ ଓ ଆନନ୍ଦର ମାହୋଲ ତିଆରି ହୋଇଯାଇଛି । ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଫଗୁ ରଙ୍ଗରେ ମହକୁଛି, ଆଉ ଜୟ ରାଧେ ଗୋବିନ୍ଦ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଲୋକେ ରଙ୍ଗ ଓ ଅବିର ବୋଳାବୋଲି ହୋଇ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି । ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ । ପବିତ୍ର ଦୋଳ ପୂର୍ଣ୍ଣିମା ହେଉଛି ଗୋପାଳ ଜାତି ସମୂହଙ୍କ ଏକ ଶ୍ରେଷ୍ଠପର୍ବ । ଏହି ଅବସରରେ ଗୋପାଳମାନେ ଗୋ-ସମ୍ପଦ ଅଥବା ଗୋମାତାଙ୍କ ସେବା ପୂଜା ଧେନୁପୂଜା କରି ମଙ୍ଗଳ କାମନା କରିଥାନ୍ତି । ଗୋପୂଜନ ଅବସରରେ ସ୍ୱାଦିଷ୍ଟ ଭୋଜନ ସହ ନୂତନ ବସ୍ତ୍ର ପରିଧାନ ହେଉଛି ଏହି ପର୍ବର ଅନ୍ୟତମ ଅଂଶ । ନୂତନ ବସ୍ତ୍ରରେ ସଜ୍ଜିତ ଗୋପାଳମାନେ ଲଉଡ଼ି ଖେଳ କରି ଗ୍ରାମ୍ୟ ପରିକ୍ରମା ପୂର୍ବକ ଆନନ୍ଦିତ ହେବା ସହ ଏକ ମଧୁମୟ ପରିବେଶ ସୃଷ୍ଟି କରି ପଲ୍ଲୀଜୀବନକୁ କୁସୁମିତ, ଆନନ୍ଦିତ ଓ ପୁଲକିତ କରି ଗଢ଼ି ତୋଳିଥାନ୍ତି ।










