ଭୁବନେଶ୍ଵର: ବଜେଟ ଅଧିବେଶନର ପଞ୍ଚମ ଦିନରେ ଗୃହ ଅଚଳ। ପଞ୍ଚମ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏନେଇ କହିଛନ୍ତି ଯେ, ଗୃହ ଚଳାଇବା ପାଇଁ ସରକାରଙ୍କ ମାନସିକତା ନାହିଁ। ଆଲୋଚନା ହେଲେ ସରକାରଙ୍କ ଦୋଷ ପଦାକୁ ଆସିଯିବ। ସରକାର ସେଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଗୃହ ଚଳାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। ସରକାର ଆଜି ଯାଏଁ କାହିଁକି ଧାନ କିଣି ପାରୁନାହାନ୍ତି। ଚାଷୀଙ୍କୁ ଟୋକନ ମିଳୁନାହିଁ । ଆମେ କଣ ଏ ପ୍ରସଙ୍ଗ ଉଠାଇବୁ ନାହିଁ। ସରକାର ଗୃହକୁ ଓ ଜନ ସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖରିଫ ଧାନ ଏଯାଏଁ ଉଠୁ ନାହିଁ । ହେଲେ ଏପଟେ ଡାଳୁଆ ଧାନ ଆରମ୍ଭ ହେଲାଣି। ଚାଷୀ ଚିନ୍ତାରେ ଅଛି। ୩ ଦିନ ଧରି ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟନୀ ଛଟନୀ ପ୍ରସଙ୍ଗରେ ଗୃହ କମ୍ପୁଥିବା ବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର ବିରୋଧୀ ନାରାବାଜି କରିଛନ୍ତି। ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ହୋହାଲ୍ଲା ଯୋଗୁଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।










