ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ ଫ୍ରାନ୍ସରେ ୧୫ ବର୍ଷ କମ୍ ବୟସ୍କ ଶିଶୁଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ବ୍ୟାନ୍। ସରକାର ଶିଶୁ ଏବଂ ନାବାଳକଙ୍କ ଡିଜିଟାଲ୍ ସୁରକ୍ଷାକୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମର୍ଥନରେ ନ୍ୟାସନାଲ ଆସେମ୍ବଲିରେ ବହୁମତରେ ପାସ୍ ହେଲା ବିଲ୍। ଫଳରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଅନଲାଇନ୍ ଧମକ, ହିଂସା ଏବଂ ମାନସିକ ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ସୋମବାର ରାତିରେ ଅନୁଷ୍ଠିତ ଏକ ବୈଠକରେ, ନ୍ୟାସନାଲ୍ ଆସେମ୍ବଲର ସାଂସଦମାନେ ୧୩୦/୨୧ ଭୋଟରେ ବିଲ୍ କୁ ଅନୁମୋଦନ କରିଛନ୍ତି। ନିମ୍ନ ସଦନରେ ଚୂଡ଼ାନ୍ତ ଭୋଟ୍ ପୂର୍ବରୁ ଏହି ଆଇନ ଏବେ ସିନେଟ୍ କୁ ଯିବ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବିଲ୍ କୁ ଶୀଘ୍ର ପାସ୍ କରିବାକୁ ଅନୁରୋଧ କରିଛନ୍ତି। ଆଗାମୀ ସପ୍ତାହଗୁଡ଼ିକରେ ଏହା ଉପରେ ସିନେଟ୍ ରେ ଆଲୋଚନା କରାଯିବ। ଭୋଟ୍ ପରେ, ମାକ୍ରୋନ୍ କହିଛନ୍ତି ଯେ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ବୈଜ୍ଞାନିକନଙ୍କ ସୁପାରିଶ ଏବଂ ଫ୍ରାନ୍ସର ଜନସାଧାରଣଙ୍କ ଦାବି ନିଷ୍ପତ୍ତି ନିଆଯାଇଛି । ସେ ଆହୁରି କହିଛନ୍ତି ଯେ ଆମ ପିଲାମାନଙ୍କ ମନ ବିକ୍ରୟ ପାଇଁ ନୁହେଁ, ନା ଆମେରିକୀୟ ପ୍ଲାଟଫର୍ମ ପାଇଁ ନା ଚୀନ୍ ନେଟୱାର୍କ ପାଇଁ। ସେମାନଙ୍କର ସ୍ୱପ୍ନ ଆଲଗୋରିଦମ ଦ୍ୱାରା ପରିଚାଳିତ ହେବା ଉଚିତ୍ ନୁହେଁ।
ବିଲ୍ କୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମର୍ଥନ ମିଳିଛି। ଏହି ପ୍ରସ୍ତାବ ଏବେ ସଂସଦର ଉଚ୍ଚ ସଦନ ସିନେଟକୁ ଯିବ। ଯଦି ସେଠାରେ ଅନୁମୋଦିତ ହୁଏ, ତେବେ ସ୍ନାପଚଟ୍, ଇନଷ୍ଟାଗ୍ରାମ୍, ଟିକଟକ୍ ଏବଂ ଟ୍ୱିଚ୍ ଭଳି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ୧୫ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ ହୋଇଯିବ। ଫ୍ରାନ୍ସର ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକ ସୋସିଆଲ ମିଡିଆର କ୍ଷତିରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅଧିକ କଠୋର ଆଇନ ପ୍ରଣୟନ କରୁଛନ୍ତି। ଗତ ଡିସେମ୍ବରରେ, ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଇନଷ୍ଟାଗ୍ରାମ, ଟିକଟକ୍ ଏବଂ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ରଖିବାରୁ ନିଷେଧ କରି ଐତିହାସିକ ଆଇନ ପ୍ରଣୟନ କରିଥିଲା।










