ଭୁବନେଶ୍ୱର: ଆଜି ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରି ଜନସାଧାରଣକୁ ସମ୍ବୋଧନ କରି କହିଛନ୍ତି, ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଷଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ବୀର ସଂଗ୍ରାମୀମାନଙ୍କୁ ମଧ୍ୟ ପ୍ରଣାମ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ନୂଆ ଜାତୀୟ ଶିକ୍ଷା ନୀତି ରାଜନୀତି କାରଣରୁ ଲାଗୁ ହୋଇ ପାରି ନଥିଲା । ଆମେ କିନ୍ତୁ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କଲୁ । ରଙ୍ଗମରା ସ୍କୁଲ ନୁହେଁ, ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି । ଆୟୁଷ୍ମାନ ଭାରତ ଯୋଜନା ବି ରାଜନୀତିର ଶିକାର ହୋଇଥିଲା । ଆମ ସରକାର ଆସିବା ପରେ ଏହାକୁ ଲାଗୁ କଲୁ । ଏହା ଦ୍ୱାରା ସାଢେ ୩ କୋଟି ଲୋକ ଉପକୃତ ହେଉଛନ୍ତି । ଓଡିଆ ଭାଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଉଛୁ । ବାଲିଯାତ୍ରାକୁ ୟୁନେସ୍କୋର ମାନ୍ୟତା ପାଇଁ ଉଦ୍ୟମ ସଫଳ ହେବ ।










