ଭୁବନେଶ୍ୱର: ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ସରକାରଙ୍କ ଏହି ଆକ୍ରୋଶମୂଳକ ପଦକ୍ଷେପକୁ ନେଇ ରାଜ୍ୟବାସୀଙ୍କ ମନରେ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟବାସୀଙ୍କ ଏହି ଅସନ୍ତୋଷକୁ ଦୂର କରିବା ଲକ୍ଷ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ଗୁରୁବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜାରି କରାଯାଇଥିବା ବିବୃତିରେ ଦଳର ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ତୋଗଲକି ନିଷ୍ପତ୍ତି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ଜାନୁଆରୀ ୮ ତାରିଖ ଦିନ ସକାଳ ୧୦ ଘଟିକାରେ ଆରଟିଓ-୧ ଭୁବନେଶ୍ୱର ଅଫିସ ସମ୍ମୁଖରେ ଏକ ବିଶାଳ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ । ଚାଲାଣ ଥିଲେ ପଲୁ୍ୟସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଏହି ଗଣଧାରଣା ଆୟୋଜିତ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନେ୍ଦାଳନ କାର୍ଯ୍ୟ ଜାରି ରଖିବ । ରାଜ୍ୟ ସରକାର ଏହି ବେଆଇନ ନିଷ୍ପତ୍ତି ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିବ ।ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କର ଏପରି ବେଆଇନ ନିଷ୍ପତ୍ତି ବିରୋଧରେ ଗୁରୁବାର ସକାଳେ ହେବାକୁ ଯାଉଥିବା ଗଣଧାରଣା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବହୁସଂଖ୍ୟାରେ ଯୋଗଦେବାକୁ ଶ୍ରୀ ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ନିବେଦନ କରିଛନ୍ତି ।









