14.1 C
Bhubaneswar
Saturday, December 6, 2025
Homeଓଡିଶାଆମେ ଏକାଠି ହୋଇ ଲଢିଲୁ ଏବଂ ଐତିହାସିକ ବିଜୟ ଲାଭ କରିଲୁ: ମୁଖ୍ୟମନ୍ତ୍ରୀ

ଆମେ ଏକାଠି ହୋଇ ଲଢିଲୁ ଏବଂ ଐତିହାସିକ ବିଜୟ ଲାଭ କରିଲୁ: ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ଦିନ ଥିଲା ସବୁ ପୋଲିଂ ବୁଥରେ ଆମର ଏଜେଂଟ ନଥିଲେ । ପରାଜୟରୁ ଶିକ୍ଷା ଗ୍ରହଣ କରି ଏବଂ ପରାଜୟର ସମୀକ୍ଷା କରି, ଆଜି ଆମେ ବିଜୟୀ ହୋଇଛୁ । ନୂଆପଡା ଉପନିର୍ବାଚନରେ ଆମେ ସମସ୍ତେ ଏକାଠି ହୋଇ ଲଢିଲୁ ଏବଂ ଐତିହାସିକ ବିଜୟ ଲାଭ କରିଲୁ । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ନିଜ ଆସନ୍ନ ପରାଜୟର ଭୟରେ ଅନେକ ମିଛ କଥା କହି ଆମକୁ ଆକ୍ରମଣ କଲେ । ଏପରିକି ଭୋଟ ଚୋରୀ, ବେଇମାନ ଭଳି ଅପଶବ୍ଦ ମଧ୍ୟ ବ୍ୟବହାର କରିବାକୁ ପଛାଇଲେ ନାହିଁ । କିନ୍ତୁ ବିରୋଧୀଙ୍କ ମିଛ କାମ ଦେଲା ନାହିଁ ଏବଂ ନୂଆପଡାବାସୀ ସେମାନଙ୍କୁ ଉଚିତ ଜବାବ୍ ଦେଲେ । ଅପରେସନ ସିନ୍ଦୁର ଭଳି ଅପରେସନ ନୂଆପଡା ହେଲା । ନୂଆପଡାବାସୀ ବହୁଳ ସଂଖ୍ୟାରେ ରେକର୍ଡ ପରିମାଣରେ ନିଜ ମତଦାନ ସାବ୍ୟସ୍ତ କରି ଐତିହାସିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିଜୟୀ କରାଇଛନ୍ତି । ଯାହା ରାଜ୍ୟରେ ରାଜନୈତିକ ମୋଡ ବଦଳାଇ ଦେଇଛି । ବିଭୀଷଣଙ୍କ ପାଇଁ କଂଗ୍ରେସ ପରାଜୟବରଣ କରିଲା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ରାଜ୍ୟ ସଭାପତି ଶ୍ରୀ ଭକ୍ତ ଦାସ କହିଛନ୍ତି । ଯଦି ତାହା ହୁଏ, ତାହେଲେ ୭୦ ପ୍ରତିଶତ ବିଭୀଷଣ ଥିବା କଂଗ୍ରେସ ଦଳ ସଂପୂର୍ଣ୍ଣ ମୂଳପୋଛ ହୋଇଯିବ ବୋଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ନୂଆପଡା ଉପନିର୍ବାଚନରେ ପାର୍ଟୀର ଦେବଦୁର୍ଲଭ କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ଆମ ଦଳର ବିଶାଳ ବିଜୟ ହୋଇଛି । ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ଯେଉଁ ଅଂଚଳରେ ଥିଲେ, ସେ ଅଂଚଳର ସ୍ଥାନୀୟ ସମସ୍ୟାଗୁଡିକର ତାଲିକା ପ୍ରସ୍ତୁତ କରିବେ ସମସ୍ତ ସମସ୍ୟାର ସମାଧାନ କରାଯିବ । ନୂଆପଡାର ବିକାଶ ଦାୟୀତ୍ୱ ମୋର ବୋଲି ମୁଁ ପୂର୍ବରୁ କହି ସାରିଛି । ଯାହା ଘୋଷଣା ହୋଇଛି, ସେ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବି । ନୂଆପଡାରେ ଜଳସେଚନଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା କରାଯିବ । ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଅତିଶୀଘ୍ର ନୂଆପଡା ଯାଇ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇବି ବୋଲି କହିବା ସହିତ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ନୂଆପଡାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଆମେ ସଂଗଠିତ ହୋଇ ନିର୍ବାଚନ ଲଢିଲୁ । ନିର୍ବାଚନ ଏକ ଯୁଦ୍ଧ । ଯୁଦ୍ଧ ପାଇଁ ସଠିକ ରଣନୀତି ଆବଶ୍ୟକ । ରଣନୀତି ପାଇଁ ଯୋଜନା ପ୍ରସ୍ତୁତ କରାଗଲା । ଯୋଜନାକୁ କାର୍ଯ୍ୟକର୍ତାମାନେ କ୍ରିୟାନ୍ୱୟନ କରିଲେ । କାର୍ଯ୍ୟକର୍ତାଙ୍କ ଆତ୍ମବିଶ୍ୱାସ ହିଁ ବିଜେପିକୁ ବଡ ବିଜୟ ଦେଲା । ପ୍ରଥମେ ୫ଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତାଙ୍କୁ ନେଇ ନିର୍ବାଚନ ଲଢିବାର ରଣକ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା । ପରବର୍ତୀ ସମୟରେ ମନ୍ତ୍ରୀମାନଙ୍କୁ ମଣ୍ଡଳ, ବିଧାୟକମାନଙ୍କୁ ପଂଚାୟତ ଦାୟୀତ୍ୱ ପ୍ରଦାନ କରାଗଲା । ରାଜ୍ୟସ୍ତରରୁ ପଂଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତାଙ୍କୁ ବିଭିନ୍ନ ସ୍ଥାନରେ ଦାୟୀତ୍ୱ ଦିଆଗଲା । ଯେଉଁ କାର୍ଯ୍ୟକର୍ତାଙ୍କୁ ଯେଉଁଠି ଦାୟୀତ୍ୱ ଦିଆଗଲା, ସେମାନେ ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଲେ । ସ୍ଥାନୀୟ ଲୋକ ନିର୍ବାଚନ ଲଢିଲେ ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ ବାହାରୁ ଯାଇଥିବା ନେତା ଓ ମନ୍ତ୍ରୀ କେବଳ ସହଯୋଗ କରିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର କାର୍ଯ୍ୟ ଓ ସଫଳତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚାଇଲେ । ନୂଆପଡାବାସୀ ଆସ୍ଥା ପ୍ରକଟ କରିଲେ । ଭୋଟଦାନର ୭ ଦିନ ପୂର୍ବରୁ ଏକପାଖିଆ ବିଜୟ ହେବ ବୋଲି ସ୍ପଷ୍ଟ ଜଣାପଡିଥିଲା । ଗତ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରତି ନୂଆପଡାବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଲା ଏବଂ ରେକର୍ଡ ସଂଖ୍ୟାରେ ଭୋଟ ଦେଇ ଆମକୁ ପ୍ରଥମ କରିଲେ । ବିଜେପି ସରକାରର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ପାର୍ଟିର ବରିଷ୍ଠ ନେତୃବୃନ୍ଦ, ସମସ୍ତ ମୋର୍ଚ୍ଚା ଓ ପ୍ରକୋଷ୍ଠର ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ନୂଆପଡା ନିର୍ବାଚନ ଆମ ପାଇଁ ବଡ ଚ୍ୟାଲେଂଜ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇଟି ବିରାଟ ରୋଡ ସୋ ଗେମ ଚେଂଜର ଥିଲା । ଛତିଶଗଡ ରାଜ୍ୟର ସୀମାନ୍ତବର୍ତୀ ନୂଆପଡା ଜିଲ୍ଲା ହୋଇଥିବାରୁ ଛତିଶଗଡ ବିଜେପି କାର୍ଯ୍ୟକର୍ତାଙ୍କ ସକ୍ରିୟ ଓ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିଲା । ଛତିଶଗଡର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଜେପି ନେତୃବୃନ୍ଦଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଯୋଗଦେଇ କହିଛନ୍ତି ଯେ, ନୂଆପଡା ଉପନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରି ବୃହତ ବିଜୟ ପ୍ରଦାନ କରିଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଏଥି ସହ ନୂଆପଡାବାସୀ ବିଜେପିର ଡବଲ ଇଂଜିନ ସରକାରରେ ନିଜକୁ ସାମିଲ କରିଥିବାରୁ ନୂଆପଡାବାସୀଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂପଦ ସ୍ୱାଇଁ, ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପ ବଳସାମନ୍ତ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରାଂଚି ନାରାୟଣ ତ୍ରିପାଠୀ ପ୍ରମୁଖଙ୍କ ସମେତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଅନେକ ସାଂସଦ, ବିଧାୟକ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଓ ପ୍ରକୋଷ୍ଠର କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking