26.1 C
Bhubaneswar
Sunday, December 7, 2025
Homeଓଡିଶା୭୧-ନୂଆପଡା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ବ୍ୟବହୃତ ଇଭିଏମ ସମ୍ବନ୍ଧୀୟ ସବିଶେଷ ସୂଚନା

୭୧-ନୂଆପଡା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ବ୍ୟବହୃତ ଇଭିଏମ ସମ୍ବନ୍ଧୀୟ ସବିଶେଷ ସୂଚନା

ଭୁବନେଶ୍ୱର: ୭୧-ନୂଆପଡା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ବ୍ୟବହୃତ EVM ସମ୍ବନ୍ଧୀୟ ସବିଶେଷ ସୂଚନା…

୧. ଗୋଟିଏ ରାଜନୈତିକ ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା-ଜିଲ୍ଲାପାଳ, ନୂଆପଡାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛି ଯେ, ଜିଲ୍ଲାପାଳ ୦୯.୧୧.୨୦୨୫ ତାରିଖରେ ଗଞ୍ଜାମ ଜିଲ୍ଲାରୁ ବେଆଇନ ଭାବରେ ଗୋଟିଏ ଟ୍ରକ୍‌ EVM (Electronic Voting Machines) ଆଣିଥିଲେ। ଏହି ସମ୍ବାଦକୁ ଗୋଟିଏ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ଏହି କାର୍ଯ୍ୟାଳୟଠାରୁ ଏହାର ସତ୍ୟାସତ୍ୟ ଯାଞ୍ଚ ନ କରି ପ୍ରସାରଣ କରିଥିଲା। ଏହା ଏକ ଅତ୍ୟନ୍ତ ଗୁରୁତର ଅଭିଯୋଗ ହୋଇ ଥିବାରୁ, ଏହି କାର୍ଯ୍ୟାଳୟ ଜନସାଧାରଣ ଓ ମତଦାତାମାନଙ୍କ ଅବଗତି ନିମନ୍ତେ EVM ର ସୁରକ୍ଷା ନେଇ ଭାରତ  ନିର୍ବାଚନ ଆୟୋଗଙ୍କ ନୀତିନିୟମ ଓ ନିର୍ଦ୍ଦେଶାବଳୀ ସ୍ପଷ୍ଟ କରିବା ଆବଶ୍ୟକ ମନେ କରୁଛି ।

୨. ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ EVM ଓ VVPAT ଗୁଡିକ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇଟି ତାଲା ଏବଂ ଚାବି (double lock and key) ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ରଖାଯାଇଥାଏ । ଏହି ଗୋଦାମଗୁଡିକୁ ପୋଲିସ ଦ୍ୱାରା ୨୪ x ୭  ଘଣ୍ଟା ସୁରକ୍ଷା, ୨୪ x ୭ ସିସିଟିଭି ନିରୀକ୍ଷଣ, ଲଗ୍‌ ବୁକ୍ ଇଣ୍ଟ୍ରି ଇତ୍ୟାଦି ସହିତ ସୁରକ୍ଷିତ ଭାବରେ ରଖାଯାଇଥାଏ । ଜିଲ୍ଲାପାଳମାନେ ଏହାର ମାସିକ ଓ ତ୍ରୈମାସିକ ନିରୀକ୍ଷଣ କରନ୍ତି ଏବଂ  ସେହି ନିରୀକ୍ଷଣକୁ ରେକର୍ଡ କରାଯିବା ସହ ତାହାର ରିପୋର୍ଟ କରାଯାଏ ।

୩ . ଗଞ୍ଜାମ ଜିଲ୍ଲାର EVM ଗୋଦାମ ଏହି ମାସରେ ବିଲକୁଲ ଖୋଲାଯାଇନାହିଁ । ମାସିକ ନିରୀକ୍ଷଣ ମଧ୍ୟ ଅଦ୍ୟାବଧି କରାଯାଇନାହିଁ । ଗଞ୍ଜାମ ଜିଲ୍ଲାର CCTV ଫୁଟେଜ୍‌ ଭଲଭାବରେ ଯାଞ୍ଚ କରାଯାଇଛି — ସେଠାରେ କୌଣସି ବି ଟ୍ରକ୍‌ EVM ଗୋଦାମଗୁଡିକୁ ପ୍ରବେଶ କିମ୍ବା ବାହାରିଥିବା ରେକର୍ଡ ହୋଇନାହିଁ ।

୪ . ୭୧-ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳରେ ୩୫୮ ଟି ମତଦାନ କେନ୍ଦ୍ର ରହିଛି । ନିର୍ବାଚନ ଆୟୋଗର  ନିର୍ଦ୍ଦେଶ ମୁତାବକ ମୋଟ ୭୨୦ ସେଟ୍‌ EVM (ଅର୍ଥାତ୍ ୭୨୦ Balloting Units, ୭୨୦ Control Units ଓ ୭୨୦ VVPATs — ଯାହା ଆବଶ୍ୟକ ପରିମାଣର ୨୦୦ ପ୍ରତିଶତ) ପ୍ରଥମ ସ୍ତର ଯାଞ୍ଚ (First Level Checking) ପାଇଁ ଅଣାଯାଇଥିଲା । ଏହି ସମସ୍ତ EVM ନୂଆପଡା ଜିଲ୍ଲାରେ ଉପଲବ୍ଧ ଥିବା ଷ୍ଟକରୁ ନିଆଯାଇଥିଲା। କୌଣସି EVM ଅନ୍ୟ ଜିଲ୍ଲାରୁ ଅଣାଯାଇନଥିଲା କିମ୍ବା କୌଣସି EVM ଅନ୍ୟ ଜିଲ୍ଲାକୁ ପଠାଯାଇନଥିଲା।

୫. ନିର୍ବାଚନ ଆୟୋଗ ନିର୍ଦ୍ଦେଶାନୁସାରେ, EVM ପ୍ରସ୍ତୁତି ଚାରିଟି କ୍ରମରେ ହୁଏ:

1. ପ୍ରଥମ ସ୍ତର ଯାଞ୍ଚ (FLC): ସମସ୍ତ EVM ଗୁଡିକର କାର୍ଯ୍ୟକ୍ଷମତା ଓ ବ୍ୟବହାରିକ ସ୍ଥିତି ଯାଞ୍ଚ ହୁଏ। ଯେଉଁ ଗୁଡିକ ଅକାମି ହୋଇଥାଏ ସେଗୁଡିକୁ ମରାମତି ପାଇଁ ଅଲଗା କରାଯାଏ । କିଛି EVM କୁ ନିର୍ବାଚନୀ ଅଧିକାରୀ/କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଓ ଜନସାଧାରଣଙ୍କ ସଚେତନତା ପାଇଁ ଅଲଗା ରଖାଯାଇଥାଏ ।

2. ପ୍ରଥମ Randomisation: FLC ପରେ ସଠିକ EVM ଗୁଡିକରୁ 160% EVM ଓ 170% VVPAT କମ୍ପ୍ୟୁଟର ମାଧ୍ୟମରେ random ଭାବେ ଚୟନ କରାଯାଏ । ଏହି ଚୟନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସମ୍ମୁଖରେ କରାଯାଇ RO ଙ୍କୁ ଦିଆଯାଇଥାଏ ।

3. ଦ୍ୱିତୀୟ Randomisation: ପ୍ରଥମ ତାଲିକାରୁ ନିର୍ବାଚନ ଦିନ ପାଇଁ ଆବଶ୍ୟକ EVM ଚୟନ ହୁଏ (ମୋଟ କେନ୍ଦ୍ର + ରିଜର୍ଭ)। ଅନ୍ୟ EVMଗୁଡିକ ରିଜର୍ଭ ଭାବେ ରଖାଯାଏ।

4. କମିଶନିଂ (Commissioning): ଏହାର ଅର୍ଥ ହେଉଛି ବ୍ୟାଲଟ୍ ୟୁନିଟରେ ବ୍ୟାଲଟ୍ ପେପର ପ୍ରବେଶ କରାଇବା, VVPAT ରେ ପ୍ରାର୍ଥୀମାନଙ୍କ ଚିହ୍ନ ପ୍ରବେଶ କରାଇବା ଓ Control Unit ରେ ପ୍ରାର୍ଥୀ ସଂଖ୍ୟା ସେଟ୍ କରି ଭଲଭାବରେ ମୁଦ ମାରିବା ।

(‘Randomisation’ କାହାକୁ କୁହାଯାଏ । ଯେଉଁଠି କମ୍ପ୍ୟୁଟର ଏକ ବୃହତ ତଥ୍ୟ ତାଲିକାରୁ ସ୍ୱତଃପ୍ରବୃତ ଭାବେ EVM ବାଛି ନେଇଥାଏ। ଏହି ସଫ୍ଟୱେର ECI ଦ୍ୱାରା ପ୍ରଦାନ କରାଯାଇଥିବା EMS ସିଷ୍ଟମ୍‌ ମାଧ୍ୟମରେ କାର୍ଯ୍ୟ କରିଥାଏ ।)

୬. ୭୧-ନୂଆପଡା ବିଧାନସଭା ଉପନିର୍ବାଚନର ସଠିକ ସମ୍ପାଦନା ପାଇଁ ନିମ୍ନରେ ଉଲ୍ଲେଖିତ ପଦକ୍ଷେପଗୁଡିକୁ ଗ୍ରହଣ କରାଯାଇଛି —

୭ . ପ୍ରଥମ ପଦକ୍ଷେପ (FLC): ନିର୍ବାଚନ ଆୟୋଗର ନିର୍ଦ୍ଦେଶାନୁସାରେ, ବିଧାନସଭା ସିଟ ଖାଲି ହେବା ପରେ ୩୦ ଦିନ ମଧ୍ୟରେ FLC ସମ୍ପାଦିତ ହେବା ଆବଶ୍ୟକ । ଅତଏବ,  22.09.2025 ରୁ 26.09.2025 ତାରିଖ ମଧ୍ୟରେ ECIL ଇଞ୍ଜିନିୟରମାନଙ୍କ ଦ୍ୱାରା ନୂଆପଡାରେ, ଜାତୀୟ ତଥା ରାଜ୍ୟସ୍ତରୀୟ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ FLC କରାଯାଇଥିଲା। ପରେ ସମସ୍ତ ସଠିକ୍ EVM ଓ VVPAT ର କ୍ରମିକ ନମ୍ବରର ତାଲିକା ରାଜନୈତିକ ଦଳମାନଙ୍କୁ ପ୍ରଦାନ କରାଯାଇ ତାହାର ପ୍ରମାଣ ରଖାଯାଇଥିଲା ।

୮ . ଦ୍ୱିତୀୟ ପଦକ୍ଷେପ (1st Randomisation): 09.10.2025 ତାରିଖରେ ନୂଆପଡା ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । କମ୍ପ୍ୟୁଟର ଦ୍ୱାରା Random ଭାବେ ବଛା ଯାଇଥିବା  160% EVM ଓ 170% VVPAT ର ତାଲିକା ରାଜନୈତିକ ଦଳମାନଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଥିଲା  ଏବଂ ତାହାର ଲିଖିତ ପ୍ରମାଣ ରଖାଯାଇଥିଲା ।

୯ . ପ୍ରଥମ Randomisation ପରେ, ସେହି ତାଲିକାର EVM/VVPAT ଗୁଡିକୁ ନୂଆପଡା ନ୍ୟାସନାଲ୍ କଲେଜକୁ ନିଆଯାଇଥିଲା, ଯାହାକୁ ଏହି ଉପନିର୍ବାଚନ ପାଇଁ Returning Officer (RO) ଙ୍କ ଷ୍ଟ୍ରଙ୍ଗ ରୁମ୍‌ ଭାବେ ଘୋଷଣା କରାଯାଇଛି ।

୧୦ . ତୃତୀୟ ପଦକ୍ଷେପ (2nd Randomisation): 27.10.2025 ତାରିଖ ସକାଳେ, R.O. ଷ୍ଟ୍ରଙ୍ଗ ରୁମ୍‌ ଭିତରେ ରହିଥିବା ସମସ୍ତ EVM/VVPAT ଗୁଡିକୁ ନିର୍ବାଚନ ଆୟୋଗର ପର୍ଯ୍ୟବେକ୍ଷକ ଓ ପ୍ରାର୍ଥୀମାନଙ୍କ ପ୍ରତିନିଧିଙ୍କ ସମ୍ମୁଖରେ ଦ୍ୱିତୀୟ Randomisation ଚୟନ ପ୍ରକ୍ରିୟା କରାଯାଇଥିଲା । 358ଟି BU, 358ଟି CU ଓ 358ଟି VVPAT ର ତାଲିକା ପ୍ରାର୍ଥୀମାନଙ୍କୁ ଦିଆଯାଇ ତାଙ୍କ ପ୍ରମାଣ ରଖାଯାଇଥିଲା ।

୧୧. ଚତୁର୍ଥ ପଦକ୍ଷେପ (Commissioning): 27.10.2025 ରୁ 29.10.2025 ତାରିଖ ମଧ୍ୟରେ ଦ୍ୱିତୀୟ Randomisation ତାଲିକା ଅନୁସାରେ EVM ଓ VVPAT କମିଶନିଂ କରାଯାଇଥିଲା। କିଛି କାମ କରୁନଥିବା EVM/VVPAT ପରିବର୍ତ୍ତନ କରାଯାଇଥିଲା (ଯଥା ୦୩ ଟି BU, ୧୧ ଟି CU ଓ ୦୪ ଟି VVPAT ଏଥିରେ ଅନ୍ତର୍ଭୁକ୍ତ)। ଏହି ପରିବର୍ତ୍ତନ ତାଲିକା ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଥିଲା ।

୧୨. ଏହି ଦିନଠୁ ସମସ୍ତ EVM/VVPAT  RO ଷ୍ଟ୍ରଙ୍ଗ ରୁମ୍‌ରେ RO, ପୋଲିସ, CAPF ଏବଂ CCTV ର ୨୪ X ୭ ନିରୀକ୍ଷଣ ସହ ଦୁଇଟି ତାଲା ଓ ଚାବି ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ରଖାଯାଇଥିଲା । ଆଜି ଅର୍ଥାତ  ୧୦.୧୧.୨୦୨୫ ତାରିଖରେ,  ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ସମ୍ମୁଖରେ ଭିଡିଓଗ୍ରାଫି ସହିତ ଷ୍ଟ୍ରଙ୍ଗ ରୁମ୍‌ ଖୋଲାଯାଇଛି ଏବଂ ମତଦାନ କେନ୍ଦ୍ରଗୁଡିକୁ ପ୍ରିଜାଇଡିଂ ଅଫିସରଙ୍କ ହାତରେ ସମସ୍ତ ନିର୍ବାଚନୀ ମେସିନ୍‌ ହସ୍ତାନ୍ତର କରାଯାଉଛି । ଆବଶ୍ୟକ ରିଜର୍ଭ EVM ଗୁଡିକ ସେକ୍ଟର ଅଫିସରଙ୍କୁ ଦିଆଯାଉଛି ।

୧୩. ପ୍ରତ୍ୟେକ BU, CU ଓ VVPAT ର ଅଲଗା ଅଲଗା ସିରିଏଲ୍ ବା କ୍ରମିକ ନମ୍ବର ରହିଥାଏ  । ଏହି ନମ୍ବର ଗୁଡିକୁ ମଧ୍ୟ ପ୍ରାର୍ଥୀମାନଙ୍କୁ ଦିଆଯାଇଥାଏ । ପ୍ରାର୍ଥୀମାନେ ସେଗୁଡିକୁ ତାଙ୍କ ପୋଲିଂ ଏଜେଣ୍ଟମାନଙ୍କୁ ଦେଇଥାନ୍ତି । ଆସନ୍ତାକାଲି ମକ୍ ପୋଲ୍ ଆରମ୍ଭ ହେବା ପୂର୍ବରୁ ପୋଲିଂ ଏଜେଣ୍ଟମାନେ ଏହି ସିରିଅଲ୍ ନମ୍ବର ଯାଞ୍ଚ କରିପାରିବେ।

୧୪ . ମତଦାନ ସମାପ୍ତ ହେଲାପରେ ପ୍ରିଜାଇଡିଂ ଅଫିସରମାନେ “Account of Votes” ଫର୍ମରେ ପୋଲିଂ ଏଜେଣ୍ଟମାନଙ୍କ ଦସ୍ତଖତ ନେଇ ଏବଂ ତାହାକୁ EVM ସହ ସଂଲଗ୍ନ କରିବେ । ଗଣନା ଦିନରେ, ଗଣନା ଆରମ୍ଭ ହେବା ପୂର୍ବରୁ ପ୍ରାର୍ଥୀମାନଙ୍କ ଏଜେଣ୍ଟମାନେ ପୁନର୍ବାର ସିରିଏଲ୍ ନମ୍ବର ଯାଞ୍ଚ କରିପାରିବେ।

୧୫ . ପ୍ରତ୍ୟେକଟି ପଦକ୍ଷେପ/କାର୍ଯ୍ୟ ସଂପୂର୍ଣ୍ଣ ପାରଦର୍ଶିତା ସହିତ ଏବଂ ପ୍ରାର୍ଥୀ ଓ ରାଜନୈତିକ ଦଳମାନଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ ହୋଇଥାଏ। ସମସ୍ତ ରେକର୍ଡ ରଖାଯାଏ ଓ ପ୍ରାର୍ଥୀ କିମ୍ବା ତାଙ୍କର ପ୍ରତିନିଧିମାନଙ୍କ ଦସ୍ତଖତ ସମ୍ବଳିତ ପ୍ରମାଣ ରଖାଯାଇଥାଏ । ନିର୍ବାଚନ ଆୟୋଗଙ୍କ ସମସ୍ତ ନୀତିନିୟମ ଓ ନିର୍ଦ୍ଦେଶାବଳୀ ସଠିକ୍ ଭାବେ ଅନୁପାଳନ କରାଯାଏ ।

୧୬. ଉକ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଗତକାଲି ଅର୍ଥାତ ୦୯.୧୧.୨୦୨୫ ତାରିଖରେ ଗୋଟିଏ ସ୍ମାରକପତ୍ର ବା Memorandum ଦେଇଥିଲେ । ଅଭିଯୋଗ ବିଷୟରେ ଶୁଣିବା ପରେ ସେମାନଙ୍କୁ ଟ୍ରକ୍‌ର ନମ୍ବର କିମ୍ବା ଅବସ୍ଥାନର ପ୍ରମାଣ ଦେବାକୁ କୁହାଯାଇଥିଲା। କିନ୍ତୁ ସେମାନେ କୌଣସି ପ୍ରମାଣ ଦେଇନଥିଲେ । ଏଠି ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ ଅନ୍ୟ ଜିଲ୍ଲାର ଗୋଦାମରୁ କୌଣସି ଜ଼ିଲ୍ଲାପାଳ କିମ୍ବା ବ୍ୟକ୍ତି EVM ଆଣି ତାହାକୁ ନିର୍ବାଚନରେ ବ୍ୟବହାର କରିବା କୌଣସିମତେ ସମ୍ଭବ ନୁହେଁ। ଏଭଳି ବିଭ୍ରାନ୍ତିକର ଅଭିଯୋଗ ଲୋକଙ୍କର ନିର୍ବାଚନ ପ୍ରତି ଥିବା ବିଶ୍ୱାସ ଓ ଆସ୍ଥାକୁ ନଷ୍ଟ କରିଥାଏ ।

୧୭. ଓଡ଼ିଶାର ଜନସାଧାରଣଙ୍କୁ ଆମର ଅନୁରୋଧ — ଏଭଳି ଅମୂଳକ ଅଭିଯୋଗଗୁଡିକୁ ବିଲକୁଲ ବିଶ୍ୱାସ କରନ୍ତୁ ନାହିଁ । ଆଉଥରେ ଆମେ ସ୍ପଷ୍ଟ କରୁଛୁ ଏଭଳି କାର୍ଯ୍ୟ କୌଣସି ବ୍ୟକ୍ତି କରିବା କେବେ ବି ସମ୍ଭବ ନୁହେଁ ।

୧୮. ବି.ଦ୍ର. : ଆପଣମାନେ ସମସ୍ତେ ଜାଣିଛନ୍ତି ଏବେ ନିରବ ଅବଧି / Silence Period ଚାଲୁରହିଅଛି ତେଣୁ ନୂଆପଡା ଉପ-ନିର୍ବାଚନ ସମ୍ପର୍କିତ କୌଣସି ବାଇଟ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking