ନୂଆଦିଲ୍ଲୀ: ଦେଶରେ ଘଟୁଥିବା ସଡକ ଦୁର୍ଘଟଣାକୁ ନେଇ ଏନଏଚଏଆଇଙ୍କୁ ସୁପ୍ରମିକୋର୍ଟଙ୍କ କଡା ନିର୍ଦ୍ଦେଶ। ରାଜସ୍ଥାନର ଫାଲୋଡି ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଘଟିଥିବା ସଡକ ଦୁର୍ଘଟଣାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏବଂ ସଡକ ପରିବହନ, ରାଜପଥ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ୧୮ ରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସଡ଼କ ଦୁର୍ଘଟଣାର ସ୍ୱତଃପ୍ରବୃତ୍ତ ବିଚାର କରି ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି।
ଏହି ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜପଥ କଡ଼ରେ ଅନଧିକୃତ ବିଭିନ୍ନ ଖାଦ୍ୟପେୟ ଦୋକାନ ଖୋଲିବା ଦ୍ୱାରା ବଡ଼ ବଡ ଦୁର୍ଘଟଣା ଘଟୁଛି। ଟ୍ରକଗୁଡ଼ିକ ସେଠାରେ ଅଟକିଯାଏ ଏବଂ ଦ୍ରୁତ ଗତିରେ ଯାଉଥିବା ଯାନଗୁଡ଼ିକ ପାର୍କିଂ ହୋଇଥିବା ଟ୍ରକଗୁଡ଼ିକୁ ଦେଖିପାରନ୍ତି ନାହିଁ, ଯାହା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟେ। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଟୋଲ୍ ଆଦାୟ କରାଯାଉଥିଲେ ମଧ୍ୟ ରାସ୍ତା ଖରାପ ଅବସ୍ଥାରେ ଅଛି। ଗର୍ତ୍ତ ଏବଂ ଖରାପ ରକ୍ଷଣାବେକ୍ଷଣ ମଧ୍ୟ ଦୁର୍ଘଟଣାର ଏକ କାରଣ। ଏହି ମାମଲାରେ ସୁପ୍ରିମକୋର୍ଟ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟକୁ ଦୁଇ ସପ୍ତାହ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ଦୁର୍ଘଟଣା ଘଟିଥିବା ଦୁଇଟି ରାଜପଥରେ (ଫାଲୋଡି, ରାଜସ୍ଥାନ ଏବଂ ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶରେ) ହାଇୱେରେ ବିନା ଅନୁମତିରେ କେତେ ଖାଦ୍ୟପେୟ ଦୋକାନ ଅଛି। ଶୁଣାଣି ସମୟରେ, ସୁପ୍ରିମକୋର୍ଟ ରାଜପଥର ଅବସ୍ଥା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଠିକାଦାରଙ୍କ ରକ୍ଷଣାବେକ୍ଷଣ ନିୟମାବଳୀ ପାଳନ ଏବଂ ମାନଦଣ୍ଡ ପୂରଣ ହୋଇଛି କି ନାହିଁ ସେ ବିଷୟରେ ପଚାରିଥିଲେ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ରାଜପଥରେ ଏପରି ଅନିୟମିତତା ଜୀବନହାନିର କାରଣ ହେଉଛି, ଏଥି ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।









