26.1 C
Bhubaneswar
Sunday, December 7, 2025
Homeଓଡିଶାସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ ମାଗିଲେ ନବୀନ, ସମବେତ ହେଲେ ହଜାର ହଜାର ଜନତା

ସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ ମାଗିଲେ ନବୀନ, ସମବେତ ହେଲେ ହଜାର ହଜାର ଜନତା

ବେଇମାନୀର ଜବାବ୍ ୧୧ ତାରିଖରେ ଦେବେ ନୂଆପଡ଼ାବାସୀ
କେବଳ ରଙ୍ଗ ମରା, ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ
ପ୍ରାର୍ଥୀ ଚୋରୀ କରିପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ
୫୦୦ ଦିନରେ ଡବଲ ଇଞ୍ଜିନ୍ ସରକାର ଦେଇଛି ଡ଼ବଲ ଧୋକା
ବିଏସକେୱାଇ ବନ୍ଦ କରି ଲୋକଙ୍କୁ କେବଳ ଯନ୍ତ୍ରଣା ଦେଉଛନ୍ତି
ବିଜେଡି ସରକାର ଅମଳରେ ସବୁ୍ କ୍ଷେତ୍ରର ବିକାଶ ହୋଇଥିଲା
ଆଜି ସାରା ରାଜ୍ୟରେ ବିକାଶ କାମ ପୂରା ବନ୍ଦ

ନୂଆପଡ଼ା/ଭୁବନେଶ୍ୱର: ଖାଲି ରଙ୍ଗ ମାରି ଦେଲେ ବିକାଶ ହୁଏ ନାହିଁ । ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ । ମିଛ କହି ସରକାର ଗଠନ କରିପାରନ୍ତି, ପ୍ରାର୍ଥୀ ଚୋରୀ କରିପାରନ୍ତି । କିନ୍ତୁ ଲୋକଙ୍କ ହୃଦୟକୁ ଜିତି ପାରିବେ ନାହିଁ । ଆଜି ସାରା ରାଜ୍ୟରେ ବିକାଶ କାମ ପୂରା ବନ୍ଦ । ଶାସନ କରିବାର ୫୦୦ ଦିନ ମଧ୍ୟରେ ଡବଲ ଇଞ୍ଜିନ୍ ସରକାର ଲୋକଙ୍କୁ କେବଳ ଦେଇଛି ଧୋକା, ଧୋକା, ଡବଲ ଧୋକା । ଲୋକଙ୍କ ସହିତ, ବିଜେଡି ସହିତ ଓ ତାଙ୍କ ସହିତ କିପରି ବେଇମାନି କରାଗଲା ନୂଆପଡାବାସୀ ତାହା ଭଲ ଭାବେ ଜାଣନ୍ତି । ଏହାର ଜବାବରେ ନୂଆପଡାର ଭୋଟରମାନେ ୧୧ ତାରିଖ ଦିନ ଭୋଟରେ ଦେବେ । ଆଜି ନୂଆପଡ଼ାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ଅବସରରେ ଶାସକ ବିଜେପିକୁ ଏପରି ଭାବେ କଟାକ୍ଷ କରିଥିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଖରିଆର ରୋଡ଼ ଓ ନୂଆପଡ଼ା ଏନଏସିରେ ଆୟୋଜିତ ରୋଡ଼ ଶୋ ଏବଂ ଜନସଭାରେ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଥିଲେ । ପାରକୋଟ ଜନସଭାରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସନ୍ତୃପ୍ତ ମିଶ୍ର, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, ଅରୁଣ ସାହୁ, ଟୁକୁନି ସାହୁ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀ ପଟ୍ଟନାୟକ ଆଜି ଦିନିକିଆ ନୂଆପଡା ଗସ୍ତରେ ଯାଇ ସେଠାରେ ମାରାଥନ୍ ନିର୍ବାଚନ ପ୍ରଚାର କରିଥିଲେ । ଖରିଆର ରୋଡ ଓ ନୂଆପଡାରେ ବିଶାଳ ରୋଡ ଶୋ’ ରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ ଦେବା ପାଇଁ ନୂଆପଡ଼ାବାସୀଙ୍କୁ ନିବେଦନ କରିଥିଲେ । ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ରୋଡ’ଶୋ ରେ ହଜାର ହଜାର ଲୋକ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ରୋଡ଼ ଶୋ’ପରେ ଅପରାହ୍ନ ୩ଟାରେ ନୂଆପଡ଼ା ବ୍ଲକର ପରକୋଡ ପଞ୍ଚାୟତ ଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ୱୋଧିତ କରି ଶ୍ରୀ ପଟ୍ଟନାୟକ ବିଜେପି ସରକାର ଉପରେ ତୀବ୍ର ଆକ୍ରମଣ କରି କହିଥିଲେ ଯେ, ମିଛ ପ୍ରଚାରରେ ବିକାଶ ହୁଏ ନାହିଁ । ବିଜୁ ଜନତା ଦଳ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପାନୀୟ ଜଳ, ଜଳସେଚନ, ଆଦିବାସୀ କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭୂତ ବିକାଶ ଆସିଥିଲା । ନୂଆପଡାରେ ହଜାର ହଜାର ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଥିଲା । ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଆସିଥିଲା । ତାଙ୍କ ସରକାର ସମୟରେ ହୋଇଥିବା ବିଜୁ ଏକ୍ସପ୍ରେସ ୱେ ଆଜି ନୂଆପଡାର ଆର୍ଥିକ ବିକାଶ ପାଇଁ ସୁଯୋଗ ଆଣି ଦେଇଛି ।

୫୦୦ ଦିନ ପୁରଣ କରିଥିବା ବିଜେପି ସରକାର ଲୋକଙ୍କ ପାଇଁ କ’ଣ କରିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ୩୦୦ ୟୁନିଟ୍ ମାଗଣା ବିଜୁଳି, ୩୫୦୦ ଟଙ୍କା ପେନ୍ସନ୍, ଚାଷୀ ଭାଇଙ୍କୁ ୟୁରିଆ ସାର, ଯୁବକଙ୍କୁ ଚାକିରୀ ଆଦି ପ୍ରତିଶ୍ରୁତି ପୂରଣରେ ସରକାର ବିଫଳ ହୋଇଛି ବୋଲି ସେ କଟାକ୍ଷ କରିଥିଲେ । ମିଶନ ଶକ୍ତି ମା’ ମାନଙ୍କୁ ଲୋନ୍ ନ ମିଳିବା ଓ କଟ୍ନୀ ଛଟ୍ନୀ ବନ୍ଦ ନ ହୋଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ବି.ଏସ୍.କେ.ୱାଇ କାର୍ଡରେ ଲୋକଙ୍କୁ ସେବା ମିଳୁଥିଲା । କିନ୍ତୁ ଏବେ ଆୟୁଷ୍ମାନ କାର୍ଡରେ କେବଳ ଟେନ୍ସନ୍ ହିଁ ମିଳୁଛି ବୋଲି କ୍ଷୋଭର ସହ କହିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏମାନେ ମିଛ କହି ସରକାର କରିପାରନ୍ତି । ପ୍ରାର୍ଥୀ ବି ଚୋରୀ କରି ପାରନ୍ତି । କିନ୍ତୁ ସେମାନେ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ । କୋମନା ସଭାରେ ଲୋକଙ୍କ ମନରେ ଯେଉଁ କ୍ରୋଧ ଓ ଦୁଃଖ ସେ ଦେଖିଥିଲେ ଆଜି ମଧ୍ୟ ନୂଆପଡାରେ ଲୋକଙ୍କ ଆଖିରେ ସେହି କ୍ରୋଧ ଓ ଦୁଃଖ ରହିଛି । ନୂଆପଡାରେ ରହି ନୂଆପଡାବାସୀଙ୍କ ସେବା କରିବା ପାଇଁ ଶ୍ରୀ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଦେ୍ର୍ଦଶ ଦେଇଥିବା ବିଷୟ ତାଙ୍କ ଭାଷଣରେ ଉଲ୍ଲେଖ କରିବା ସହ ତାଙ୍କୁ ବହୁ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଗତ ତିନି ତାରିଖ ଦିନ ତାଙ୍କ ସଭାକୁ ଯେପରି ଲୋକ ନ ଆସିପାରିବେ, ସେଥିପାଇଁ ଅନେକ ଚେଷ୍ଟା କରାଯାଇଥିଲା । କିନ୍ତୁ କୋମନାରେ ଭୋଟର ଭାଇ ଭଉଣୀମାନେ ବହୁ ସଂଖ୍ୟାରେ ତାଙ୍କ ସଭାରେ ଯୋଗ ଦେଇଥିବାରୁ ଶ୍ରୀ ପଟ୍ଟନାୟକ ତାଙ୍କ ଭାଷଣରେ ଧନ୍ୟବାଦ ଜଣାଇଥିଲେ । ଆଜି ରୋଡ ଶୋ’ ଅବସରରେ ଶ୍ରୀ ପଟ୍ଟନାୟକ ରାସ୍ତାର ଦୁଇ ପଟରେ ଥିବା ହଜାର ହଜାର ଶୁଭେଚ୍ଛୁ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ଖରିଆର ରୋଡର ଡାଗା ଛକ, ବିଜୁ ପଟ୍ଟନାୟକ ଛକ ଓ ଲଖନିଆ ପେଟ୍ରୋଲ୍ ପମ୍ପ ଛକ ମାନଙ୍କରେ ଜନସାଧାରଣଙ୍କୁ ସମ୍ୱୋଧିତ କରିଥିଲେ । ସେହିପରି ନୂଆପଡା ଏନ.ଏ.ସି. ଅଞ୍ଚଳର ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ମଧ୍ୟ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ୱୋଧନ କରି ଆଗାମୀ ଏଗାର ତାରିଖ ନିର୍ବାଚନରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିବା ସହିତ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବରିଷ୍ଠ ନେତା କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଶ୍ରୀକାନ୍ତ ସାହୁ, ପ୍ରଦୀପ ସାହୁ, ନିରଂଜନ ବିଶି, ବର୍ଷା ସିଂ ବରିହା, ମନୋହର ରନ୍ଧାରୀ, ସୁଦର୍ଶନ ହରିପାଲ, ଧ୍ରୁବ ଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଦେବାଶିଷ ମାରାଣ୍ଡି, ସାରଦା ଜେନା, ପ୍ରଶାନ୍ତ ବେହେରା, ନିହାର ବେହେରା, ଦେବାଶିଷ ପଟ୍ଟନାୟକ, ବେଣୁଧର ପ୍ରଧାନ, ସାନନ୍ଦ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking