24.1 C
Bhubaneswar
Sunday, March 22, 2026
Homeଓଡିଶାଦେଓଗାଁ ଅଶାନ୍ତ ଘଟଣା ଦୁର୍ଭାଗ୍ୟଜନକ: ନରସିଂହ

ଦେଓଗାଁ ଅଶାନ୍ତ ଘଟଣା ଦୁର୍ଭାଗ୍ୟଜନକ: ନରସିଂହ

ବଲାଙ୍ଗୀର : ଗତ କିଛି ସପ୍ତାହ ହେଲା ଶାନ୍ତିପୂର୍ଣ୍ଣ ଦେଓଗାଁ ଅଶାନ୍ତ ହୋଇ ପଡ଼ିଛି। ପ୍ରତ୍ୟେକ ଦିନ କୌଣସି ନା କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ସଦ୍ୟ ସଦ୍ୟ ଦେଓଗାଁରେ ଘଟିଯାଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ମୁଁ ଦୃଢ଼ ନିନ୍ଦା କରୁଛି। ପୁଲିସ ଏ କ୍ଷେତ୍ରରେ ବହୁତ ଯତ୍ନବାନ ହେବା ଦରକାର। ଯାହା କିଛି ବି ଘଟିଯାଇଛି ତାର ସଠିକ୍ ତଦନ୍ତ ନିହାତି ହେବା ଦରକାର ଏବଂ ଏହି ଘଟଣାରେ ନିରୀହଙ୍କୁ ଗିରଫ ନ କରି ପ୍ରକୃତ ଦୋଷୀ ଯିଏ ଅଛି ତାହାକୁ ପୁଲିସ ଖୋଜି ଗିରଫ କରୁ ବୋଲି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଜଣାଇଛନ୍ତି।

ସେ ଏହି ପ୍ରେସ୍ ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥାନୀୟ ପୁଲିସ ଆଇଆଇସି ବିନା ତଦନ୍ତରେ ନିରିହ ଲୋକଙ୍କୁ ଉଠାଇ ଆଣୁଥିବାରୁ ଦେଓଗାଁ ଅଞ୍ଚଳରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏପରିକି କାର୍ତ୍ତିକ ପୂର୍ଣ୍ଣମୀ ଦିନ ମଧ୍ୟ ଲୋକେ ମନ୍ଦିର ଦର୍ଶନ କରିବାରେ ଭୟ କରୁଛନ୍ତି। ଯାହା ଫଳରେ ପୂର୍ଣ୍ଣମୀ ଦିନ ଦେଓଗାଁର ପ୍ରାୟତଃ ମନ୍ଦିର ଜନଶୂନ୍ୟ ଓ ଖାଁ ଖାଁ ଅଛି। ଶ୍ରୀ ମିଶ୍ର ଏହି ବିବୃତ୍ତିରେ ଏହା ମଧ୍ୟ କହିଛନ୍ତି ଯେ ଖବର ଅନୁଯାୟୀ ଗାଁ ଲୋକେ ସ୍ଥାନୀୟ ପୁଲିସ ଆଇଆଇସିଙ୍କ ଉପରେ ଭରସା କରୁନାହାନ୍ତି। ତେଣୁ ସ୍ଥାନୀୟ ଆଇଆଇସିଙ୍କୁ ସେହି ଜାଗାରୁ ତୁରନ୍ତ ବଦଳି କରି ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ଦେଓଗାଁରେ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି। ତା’ ସହ ଲୋକଙ୍କ ମନରେ ଥିବା କୋକୁଆ ଭୟ ଦୂର କରିବା ପାଇଁ ପୁଲିସ ଶୀଘ୍ର ପଦକ୍ଷେପ ନେଉ। ଏଠାରେ ସୂଚନାଯୋଗ୍ୟ ଯେ ଗତ ମାସ ୧୩ ତାରିଖରେ କିଛି ସଂଖ୍ୟା ଲଘୁ ଯୁବକ ଦେଓଗାଁ ଅଞ୍ଚଳରେ ଖଣ୍ଡା ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିଥିଲେ। ତେଣୁ ହିନ୍ଦୁ-ମୁସଲିମ ସମ୍ପ୍ରଦାୟ ଭିତରେ ତିକ୍ତତା ଆଣିବା ପାଇଁ କିଛି ଲୋକ ବିଭ୍ରାନ୍ତିକର ଅପପ୍ରଚାର କରୁଛନ୍ତି। ଏହା ଯେପରି ଆଗକୁ ଉଗ୍ର ରୂପ ନ ନିଏ ସେ ଦିଗରେ ପୁଲିସ ଯତ୍ନବାନ ତଥା ସମ୍ବେଦନଶୀଳ ହୋଇ ପଦକ୍ଷେପ ଗ୍ରହଣ କରୁ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମଧ୍ୟ ଯେତେ ଶୀଘ୍ର ହେବ ଏହି ଘଟଣାରେ ହସ୍ତକ୍ଷେପ କରି ଦେଓଗାଁ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଶାନ୍ତି କମିଟି ଗଠନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ପୁଲିସ ଏଫ୍‌ଆଇଆର୍‌ରେ ଯେଉଁ ଲୋକଙ୍କର ନାଁ ନାହିଁ ଏହି ଘଟଣା ସମ୍ପୂର୍ଣ୍ଣ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଅଧିକ ଲୋକଙ୍କୁ ଭୟଭୀତ କରିବା ପାଇଁ ଗିରଫ କରନ୍ତୁ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking