ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାରରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଆଇନ ପ୍ରବର୍ତ୍ତନ ଅଧିକାରୀ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବୋମାଟି ପୋଲିସ ମୋବାଇଲ ଭ୍ୟାନ ରାସ୍ତାରେ ଲଗାଯାଇଥିଲା । ଫଳରେ ବିସ୍ଫୋରଣ ହୋଇଛି । ବରିଷ୍ଠ ପୋଲିସ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର କିଛି ପ୍ରମାଣ ସଂଗ୍ରହ କରାଯାଉଛି । ସୂଚନାଥାଉକି, ସେପ୍ଟେମ୍ବର ୩୦ ତାରିଖରେ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଫ୍ରଣ୍ଟିୟର କର୍ପସ ମୁଖ୍ୟାଳୟ ନିକଟରେ ଯିବା ଆସିବା ରାସ୍ତାରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଥିଲେ ।










