34.1 C
Bhubaneswar
Monday, February 23, 2026
Homeଓଡିଶାସରକାର ମାନିଲେ, ରାଜ୍ୟରେ ନାରୀ ନିର୍ଯାତନା ପରିସ୍ଥିତି ଭୟଙ୍କର: ଭକ୍ତ

ସରକାର ମାନିଲେ, ରାଜ୍ୟରେ ନାରୀ ନିର୍ଯାତନା ପରିସ୍ଥିତି ଭୟଙ୍କର: ଭକ୍ତ

ଭୁବନେଶ୍ୱର: ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସର ଉଦ୍‌ବେଗକୁ ସରକାର ସ୍ବୀକାର କରିଛନ୍ତି; ଚଳିତ ମୌସୁମୀ ଅଧିବେଶନରେ ସରକାର ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ ବୋଲି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦବେଗ ପ୍ରକାଶ କରିଛନ୍ତି। ଏକ ପ୍ରେସ୍ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ସରକାରଙ୍କ ପ୍ରାଥମିକ ଦାୟିତ୍ୱ ନାରୀଙ୍କ ସୁରକ୍ଷା ଏବଂ ସରକାର ଯଦି ପ୍ରାଥମିକ କର୍ତ୍ତବ୍ୟରେ ବିଫଳ ହେଉଛି, ତେବେ ଅନ୍ୟ ଦାୟିତ୍ୱ ଗୁଡିକର ଅବସ୍ଥା କଣ ଥିବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି l ବାରବାଟୀ କଂଗ୍ରେସ ବିଧାୟିକା ଶ୍ରୀମତୀ ସୋଫିଆ ଫିରଦୌଷ ନାରୀଙ୍କ ଉପରେ ହେଉଥିବା ବିଭିନ୍ନ ନିର୍ଯାତନା ଏବଂ ଅତ୍ୟାଚାର ଉପରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସୋମବାର ବିଧାନସଭାରେ ତଥ୍ୟ ରଖିଥିଲେ।

ତଥ୍ୟ ଅନୁଯାୟୀ, ରାଜ୍ୟରେ ଜୁନ ୨୦୨୪ରୁ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ମହିଳାଙ୍କ ଉପରେ ହୋଇଥିବା ମୋଟ ଅତ୍ୟାଚାର ଘଟଣା ସଂଖ୍ୟା ୩୭ ହଜାର ୬୧୧ ଏବଂ ଏଥି ମଧ୍ୟରୁ ୫,୭୫୪ ଜଣ ଗିରଫ ହୋଇଥିବା ବେଳେ ମାତ୍ର ୭୯୯ ଜଣ ଦଣ୍ଡିତ ହୋଇଛନ୍ତି l କେବଳ ଦୁଷ୍କର୍ମ ଘଟଣା ୨,୯୩୩ ହୋଇଥିବା ବେଳେ ୨,୨୮୭ ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ମାତ୍ର ୪୨୬ ଜଣଙ୍କୁ ଦଣ୍ଡ ମିଳିଛି l ଏହି ସମୟ ମଧ୍ୟରେ ନାରୀ ଅପହରଣ ୮,୨୨୭ ହୋଇଥିବା ବେଳେ କେବଳ ୩୪ ଜଣଙ୍କୁ ପୋଲିସ ଅଭିଯୁକ୍ତ କରିବାରେ ସମର୍ଥ ହୋଇଛି। ଯୌନ ନିର୍ଯାତନା ଘଟଣା ୯,୧୮୧ ଗୋଟି ଘଟିଛି l

ଠିକ ସେପରି ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲ ମାନଙ୍କରେ ଗତ ଜୁନ ୨୦୨୪ରୁ ଚଳିତ ମାସ ପର୍ଯ୍ୟନ୍ତ ମୋଟ ୨୦ ଗୋଟି ଆତ୍ମହତ୍ୟା ମାମଲା ଘଟିବା ଦୁଃଖଦାୟକ l ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଅନ୍ୟ ଏକ ତଥ୍ୟ ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ନାରୀ ନିର୍ଯାତନା ୨୦୨୦ରେ ମୋଟ ୨୭ ହଜାର ୮୧୦ ଗୋଟି, ୨୦୨୧ରେ ୩୫ ହଜାର ୩୨୬ ଗୋଟି, ୨୦୨୨ରେ ୨୭ ହଜାର ୯୬୪ ଗୋଟି, ୨୦୨୩ରେ ୩୦ ହଜାର ୭୮ ଗୋଟି, ୨୦୨୪ରେ ୩୦ ହଜାର ୭୭୯ ଗୋଟି ମାମଲା ହୋଇଥିବା ବେଳେ ଏବଂ ୨୦୨୫ ଜୁଲାଇ ଶେଷ ଯାଏ ୧୯ ହଜାର ୩୩୩ ଗୋଟି ନାରୀ ଉପରେ ଅତ୍ୟାଚାର ଘଟଣା ଘଟିସାରିଥିବା କୁହାଯାଇଛି l ଏହି ହାରରେ ନାରୀ ନିର୍ଯାତନା ଚାଲୁ ରହିଲେ ଏ ବର୍ଷ ବିଜେପି ସରକାର ଏହି ଅଲୋ଼ଡା କୀର୍ତ୍ତି ସ୍ଥାପନ କରିବେ ବୋଲି ଶ୍ରୀ ଦାସ ଆଶଙ୍କା ପ୍ରକାଶ କରିଛନ୍ତି। ସରକାର ନାରୀ ନିର୍ଯାତନାର ନିରାକରଣକୁ ପ୍ରାଥମିକତା ଦେଇ ରାଜ୍ୟର ମାଭଉଣୀଙ୍କୁ ମର୍ଯ୍ୟାଦାର ଜୀବନ ଜିଇଁବାକୁ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଏହି ତଥ୍ୟକୁ ନେଇ ଶ୍ରୀ ଦାସ ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି l ଯେଉଁମାନେ ନିଜ ମାଆ ଭଉଣୀର ସୁରକ୍ଷା ଦେବାରେ ସମର୍ଥ ନୁହନ୍ତି ସେମାନେ ସରକାର ଚଳାଇବାକୁ ମଧ୍ୟ ଯୋଗ୍ୟ ନୁହନ୍ତି l ପୁଣି ସେ କହିଥିଲେ, ରାଜ୍ୟରେ ବାଲେଶ୍ବର ଛାତ୍ରୀ ଆତ୍ମହୁତି ଘଟଣା ସାରା ବିଶ୍ୱରେ ରାଜ୍ୟକୁ ବଦନାମ କରିଦେଲା କିନ୍ତୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପୀଡିତା ମାନଙ୍କ ପରିବାର ପାଖକୁ ଯାଇ ସମବେଦନା ଜଣାଇବା ଦୂର କଥା ତୁଣ୍ଡରୁ ସାନ୍ତ୍ୱନା ମୂଳକ ପଦଟିଏ କଥା ବାହାରିଲା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking