16.1 C
Bhubaneswar
Saturday, December 6, 2025
Homeଓଡିଶାଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ କଲେ ଛାତ୍ରୀ

ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ କଲେ ଛାତ୍ରୀ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ସେବାଶ୍ରମ ସ୍କୁଲରେ ଛାତ୍ରୀ ଅସଦାଚରଣର ଶିକାର ହେଉଥିବା ଭଳି ଅଭିଯୋଗ ବଢ଼ିବାରେ ଲାଗିଛି। ତେବେ ଏଭଳି ଘଟଣା ବୃଦ୍ଧି ପାଇବା ପଛରେ ପ୍ରଶାସନର ଦୁର୍ବଳତା ସାଙ୍ଗକୁ ସରକାରଙ୍କ ନିରବତା ଦାୟୀ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ବ୍ୟବସ୍ଥା ଉପରେ ଭରସା ଓ ବିଶ୍ୱାସ ରଖି ଶିକ୍ଷକଙ୍କ ଦାୟିତ୍ଵରେ ଛାଡୁଛନ୍ତି ଅଭିଭାବକ । ହେଲେ ଏଠି ଶିକ୍ଷକ ନିଜକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ଲଜ୍ଜାଜନକ ଅସଦାଚରଣ ଅଭିଯୋଗରେ ଛନ୍ଦି ହେଉଥିବା ଦେଖିବାକୁ ମିଳୁଛି। ଯାହାକି ବେଟି ବଚାଓ, ବେଟି ପଢାଅ ଭଳି ମହତ୍ୱାକାଂକ୍ଷୀ ସରକାରୀ କାର୍ଯ୍ୟକ୍ରମ ଆହ୍ୱାନର ସମ୍ମୁଖୀନ ହୋଇ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଉଛି।ଏଭଳି ସ୍ଥିତିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସ୍ଥିତିରେ ସୁଧାର ଆଣିବା ସମ୍ଭବ ହେବ ବୋଲି ମତପ୍ରକାଶ ପାଉଛି। ତେବେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧିନରେ ଥିବା ଦେବଶୋଳ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀମାନେ ଜନୈକ ଶିକ୍ଷକଙ୍କ ଦ୍ୱାରା ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗର ସମ୍ମୁଖୀନ ହୋଇଥିବା ଶିକ୍ଷକ ରତ୍ନାକର ହେମ୍ବ୍ରମ ଗତ କିଛିଦିନ ପୂର୍ବରୁ ଦେବଶୋଳ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ | ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନୁସୂଚିତ ଛାତ୍ରୀମାନଙ୍କୁ ଅଶ୍ଳୀଳ କଥା ଏବଂ ଅସଦାଚରଣ କରିଥିବା ନେଇ ଗତ ଅଗଷ୍ଟ ମାସ ୧ ତାରିଖ ଦିନ ଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବଗତ କରି ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇ ଥିଲେ | ଅଭିଯୋଗ ସଙ୍ଗୀନ ଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେଶ କୁମାର ରଣା ସ୍ଥାନୀୟ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଡବ୍ଲୁଇଓ (WEO) ଦୀପକ କୁମାର ମୁର୍ମୁ, ବିଡ଼ିଓ ଅନନ୍ତ କୁମାର ହାଁସଦା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମଜିତ ହେମ୍ବ୍ରମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |

ଅଭିଯୋଗ ପାଇବା ପରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କୁମାର ମୁର୍ମୁ ଦେବଶୋଳ ଆଶ୍ରମ ବିଦ୍ୟାଳୟକୁ ଯାଇ ତଦନ୍ତ କରି ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କୁ ରିପୋର୍ଟ କରିଥିଲେ | ତେବେ ଘଟଣା ଘଟିବାର ଆଜକୁ ଦୀର୍ଘଦିନ ବିତି ଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଅଭିଭାବକ ସମେତ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ କେତେକ ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀ ବିଦ୍ୟାଳୟକୁ ଆସି ଅସଦାଚରଣ ବ୍ୟବହାର କରିଥିବା ଶିକ୍ଷକଙ୍କୁ ବିଦ୍ୟାଳୟରୁ ବାହାର କରିବା ସହିତ ଠେଲାପେଲା କରି ମାଡ ମାରିଥିବା ଅଭିଯୋଗ ହୋଇଛି । ସେହିପରି ତୁରନ୍ତ ଶିକ୍ଷକଙ୍କୁ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିବା ସହିତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଦାବି କରି ଫାଟକ ସମ୍ମୁଖରେ ପ୍ରତିବାଦ କରିଥିଲେ | ଖବରପାଇ ଦୀପକ କୁମାର ଘଟଣାସ୍ଥଳରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ | ଯାହାକୁନେଇ ପ୍ରଧାନଶିକ୍ଷକ ନରେଶ କୁମାର ରଣା ପିଲାଙ୍କ ଅଭିଯୋଗକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଶିକ୍ଷକ ରତ୍ନାକର ହେମ୍ବ୍ରମ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଯାହାକୁନେଇ ଆଜି ବିଦ୍ୟାଳୟରେ ସାଇଟିଫିକ ଟିମ ସହିତ ରାସଗୋବିନ୍ଦପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ସମୟରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଡବ୍ଲୁଇଓ ଦୀପକ କୁମାର କହିଛନ୍ତି ଯେ ରତ୍ନାକର ହେମ୍ବ୍ରମଙ୍କୁ ଡେପୁଟେସନରେ ଅନ୍ୟତ୍ର ବଦଳି କରାଯିବ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking