25.1 C
Bhubaneswar
Saturday, March 21, 2026
Homeଓଡିଶାଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ

ଭୁବନେଶ୍ୱର : ଏମ୍ସ ଭୁବନେଶ୍ବରରେ ଆଜି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ସ୍କ୍ରିନିଂ ଅଭିଯାନ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ ହୋଇଯାଇଛି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏମ୍ସ ଭୁବନେଶ୍ବର ସକ୍ରିୟତାର ସହିତ ସଂଶ୍ଳିଷ୍ଟ ହୋଇଛି। ଏହି ପ୍ରୟାସକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସ ଆଜି ଉଦ୍ଘାଟନ କରିଥିଲେ। ଏଥିସହିତ ଓପିଡି ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର କୁଟୀରକୁ ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି କୁଟୀର ମହିଳା ରୋଗୀ, ସେମାନଙ୍କର ସମ୍ପର୍କୀୟ, କର୍ମଚାରୀ ଏବଂ ସମସ୍ତ ଆଗ୍ରହୀ ମହିଳାମାନଙ୍କ ପାଇଁ ଏକ ସହାୟତା ଏବଂ ପଞ୍ଜିକରଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଏହି ସ୍ଥାନରେ ଆଜିଠାରୁ ସମସ୍ତ ମହିଳାଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ବିଭିନ୍ନ କର୍କଟ ଚିହ୍ନଟ ଏବଂ ଅନ୍ୟାନ୍ୟ ଅଣସଂକ୍ରାମକ ରୋଗ ଚିହ୍ନଟ ସୁବିଧା ପ୍ରଦାନ ଆରମ୍ଭ ହୋଇଛି। ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ମହିଳା ଏବଂ ଶିଶୁମାନଙ୍କ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ଫଳାଫଳ ହାସଲ କରିବାରେ ପ୍ରାରମ୍ଭିକ ଚିହ୍ନଟ, ସଚେତନତା ଏବଂ ସାମୁଦାୟିକ ଅଂଶଗ୍ରହଣର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ମାସ ୨ ପର୍ଯ୍ୟନ୍ତ ୧୬ ଦିନ ଧରି ଆୟୋଜିତ ହେବ। ଏନେଇ ଏମ୍ସ ଭୁବନେଶ୍ୱର ପକ୍ଷରୁ ମହିଳା, କିଶୋରୀ, ଶିଶୁ ଏବଂ ଛାତ୍ରୀ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସମେତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟାପକ ଲାଭ ପହଞ୍ଚାଇବା ନିମନ୍ତେ ସୁଚିନ୍ତିତ ଯୋଜନା କରାଯାଇଛି।

ଦୈନିକ ସ୍ୱାସ୍ଥ୍ୟସେବା ଏବଂ ସଚେତନତା କାର୍ଯ୍ୟକଳାପରେ ଅଣ-ସଂକ୍ରମିତ ରୋଗ (ଏନ୍ସିଡି) ମୁଖ, ଗର୍ଭାଶୟ ଏବଂ ସ୍ତନ କର୍କଟ, ରକ୍ତହୀନତା, ଯକ୍ଷ୍ମା ଏବଂ ସିକଲ୍ ସେଲ୍ ରୋଗ ପାଇଁ ମାଗଣା ଚିହ୍ନଟ ଶିବିର ଅନ୍ତର୍ଭୁକ୍ତ ହେବ। ଏହା ସହିତ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟସେବା, କିଶୋରୀ ଏବଂ ସେମାନଙ୍କ ମା’ମାନଙ୍କ ପାଇଁ ଋତୁସ୍ରାବ ସ୍ୱଚ୍ଛତା ସଚେତନତା, ପୁଷ୍ଟିସାର ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ଶିକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ମଧ୍ୟ ଆୟୋଜିତ ହେବ। ଏହି ଅଭିଯାନରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଆୟୁଷ, କଲେଜ ଅଫ୍ ନର୍ସିଂ, କମ୍ୟୁନିଟି ଏବଂ ଫ୍ୟାମିଲି ମେଡିସିନ୍(ସିଏମଏଫଏମ), ଦନ୍ତଚିକିତ୍ସା, ଚର୍ମରୋଗ, ଇଏନ୍ଟି, ହେମାଟୋଲୋଜି, ହସ୍ପିଟାଲ ପ୍ରଶାସନ, ନବଜାତ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଚକ୍ଷୁ, ଶିଶୁ ରୋଗ, ଶିଶୁ ଶଲ୍ୟଚିକିତ୍ସା, ମନସ୍ତତ୍ତ୍ବ, ପଲ୍ମୋନାରୀ ଔଷଧ, ଟ୍ରାନ୍ସଫ୍ୟୁଜନ ମେଡିସିନ୍ ଏବଂ ବ୍ଲଡ୍ ସେଣ୍ଟର୍ ସମେତ ଏକାଧିକ ବିଭାଗ ଜଡ଼ିତ ହୋଇଛନ୍ତି।

ପ୍ରଥମ ଦିନରେ ଏହି ଅଭିଯାନରେ ଜଡ଼ିତ ସମସ୍ତ ବିଭାଗ ପକ୍ଷରୁ ରୋଗ ଚିହ୍ନଟ ସହିତ ରକ୍ତଦାନ ଶିବିର, ଟିକାକରଣ ନିମନ୍ତେ ସଚେତନତା, ସହରାଞ୍ଚଳ ବସ୍ତିରେ ମୁକ୍ତ ସ୍ବାସ୍ଥ୍ୟସେବା ଶିବିର ଭଳି ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏମ୍ସ ପରିସର ଏବଂ ଗୋଷ୍ଠୀରେ ଏହା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଏନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାୟ ଏକ ହଜାରରୁ ଅଧିକ ମହିଳା ଆଜି ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ଅଭିଜାନର ଅଂଶବିଶେଷ ଏମ୍ସ ଭୁବନେଶ୍ବର ପକ୍ଷରୁ ବିଭିନ୍ନ ସ୍କୁଲ, ବସ୍ତି, ଗ୍ରାମ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ଏବଂ ସଚେତନତା ଶିବିର ଆୟୋଜନ କରାଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡିନ୍ ଡ. ପି ଆର ମହାପାତ୍ର, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ଅଶୋକ କୁମାର ଜେନା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଆଇଟି ଅଧ୍ୟକ୍ଷ ଡ. ମନୋଜ କୁମାର ମହାନ୍ତିଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, ନର୍ସିଂ ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking