18.1 C
Bhubaneswar
Saturday, December 6, 2025
Homeଓଡିଶାନିର୍ବାଚନ କମିସନ ବିଜେଡି ଠାରୁ ସତ୍ୟପାଠ 
ଦାବି କରିନାହାନ୍ତି: ବିଜେଡି

ନିର୍ବାଚନ କମିସନ ବିଜେଡି ଠାରୁ ସତ୍ୟପାଠ 
ଦାବି କରିନାହାନ୍ତି: ବିଜେଡି

ନିର୍ବାଚନ କମିସନ ଓ ବିଜେଡି ମଧ୍ୟରେ ପତ୍ର ବିନିମୟ ଜାରି ରହିଛି
ନିର୍ବାଚନରେ ଅସଙ୍ଗତିକୁ ନେଇ ଲିଖିତ ଭାବେ ପ୍ରଶ୍ନ ଉଠାଇଛି ବିଜେଡି
ସତ୍ୟପାଠକୁ ନେଇ ଗଣମାଧ୍ୟମରେ ଭ୍ରମାତ୍ମକ ଖବର ପ୍ରକାଶିତ ହୋଇଛି

ଭୁବନେଶ୍ୱର: ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା କିଛି ଅସଙ୍ଗତିକୁ ନେଇ ବିଜୁ ଜନତା ଦଳ ନିର୍ବାଚନ କମିସନଙ୍କ ସମ୍ମୁଖରେ ଉଠାଇଥିବା ପ୍ରସଙ୍ଗରେ, ବିଜୁ ଜନତା ଦଳ ସତ୍ୟପାଠ ଦାଖଲ ନକରି କେବଳ ଉପର ଠାଉରିଆ ଭାବେ ଅଭିଯୋଗ କରିଛି ବୋଲି କିଛି ବୈଦୁ୍ୟତିକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ ଏହି ଖବରକୁ ଖଣ୍ଡନ କରିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା ଅସଙ୍ଗତିକୁ ନେଇ ଲିଖିତ ଭାବେ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିର୍ବାଚନ କମିସନଙ୍କ ତରଫରୁ କୌଣସି ସମୟରେ ବିଜେଡିକୁ ସତ୍ୟପାଠ ମଗାଯାଇ ନାହିଁ, ତେଣୁ ଏହି ସତ୍ୟପାଠ ଦେବାର ଆବଶ୍ୟକତା ନାହିଁ ।

ଶ୍ରୀ ମିହିର ରାୟ କହିଥିଲେ, ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଅନୁଶୀଳନ କରିବା ପରେ, ଅନେକ ଅସଙ୍ଗତି ପରିଲକ୍ଷିତ ହୋଇଥିଲା ।ଏହି ଅସଙ୍ଗତି ଗୁଡିକର ତଥ୍ୟ ଦେଇ ବିଜୁ ଜନତା ଦଳ ଲିଖିତ ଭାବେ ନିର୍ବାଚନ କମିସନଙ୍କୁ ୨୦୨୪ ମସିହା ଡିସେମ୍ୱର ୧୯ ତାରିଖ ଦିନ ପତ୍ର ମାଧ୍ୟମରେ ଜଣାଇବା ସହିତ, ଏହାର ସ୍ପଷ୍ଟୀକରଣ ଚାହିଁଥିଲା । ବିଜେଡି ପତ୍ରର ଉତ୍ତରରେ, ନିର୍ବାଚନ କମିସନଙ୍କ ତରଫରୁ ୧୦ ମାର୍ଚ୍ଚ ୨୦୨୫ ତାରିଖରେ ଉତ୍ତର ଦିଆଯାଇଥିଲା । ଏହି ଉତ୍ତର ସନ୍ତୋଷଜନକ ହୋଇ ନଥିବାରୁ, ବିଜେଡି ତରଫରୁ ଏପ୍ରିଲ ମାସରେ ଆଉ ଏକ ଚିଠି ପ୍ରଦାନ କରାଯାଇଥିଲା । ଏହି ପତ୍ରର ଉତ୍ତରରେ ନିର୍ବାଚନ କମିସନ ଜୁଲାଇ ୧୪ ତାରିଖରେ ଉତ୍ତର ଦେଇଥିଲେ, ଯାହା ମଧ୍ୟ ବିଭିନ୍ନ ଦୃଷ୍ଟିରୁ ସନ୍ତୋଷଜନକ ନଥିଲା । ଏହାପରେ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ କ୍ରମେ, ଆଜି ନିଜେଡିର ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ନିର୍ବାଚନ କମିସନଙ୍କୁ ଭେଟିଛନ୍ତି । ନିର୍ବାଚନ କମିସନ ଓ ବିଜେଡି ମଧ୍ୟରେ ଗତ ଡିସେମ୍ୱର ମାସରୁ ନିୟମିତ ଭାବେ ବାର୍ତ୍ତାଳାପ ଚାଲିଥିବା ବେଳେ, କୌଣସି ସମୟରେ ବିଜେଡିକୁ ସତ୍ୟପାଠ କରିବା କଥା ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇ ନାହିଁ । ନିର୍ବାଚନକୁ ଗଣତନ୍ତ୍ରର ମେରୁଦଣ୍ଡ ଭାବେ ବିଚାର କରାଯାଉ ଥିବାରୁ ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱର ଉତ୍ତୋଳନ କରିବା ଅର୍ଥ ଗଣତନ୍ତ୍ରକୁ ମଜବୁତ କରିବା । ତେଣୁ, ନିର୍ବାଚନ କମିସନଙ୍କ ଚିଠିର ଉତ୍ତର ବିଜେଡି ଦେଉନାହିଁ ବା ସତ୍ୟପାଠ ଦାଖଲ କରିବା ପାଇଁ ବିଜେଡି ପଛଘୁଞ୍ଚା ଦେଉଛି ବୋଲି ଗଣମାଧ୍ୟମରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ । ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗଣମାଧ୍ୟମ ପ୍ରତି ସମ୍ମାନ ରହିଛି, କିନ୍ତୁ ଗଣମାଧ୍ୟମର ମଧ୍ୟ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି । ତେଣୁ, ଏଭଳି ଭ୍ରମାତ୍ମକ ଖବର ପ୍ରକାଶରୁ ନିବୃତ ରହିବାକୁ ଆମେ ନିବେଦନ କରୁଛୁ ବୋଲି ଶ୍ରୀ ରାୟ କହିଥିଲେ ।

ଡ଼ ଲେନିନ ମହାନ୍ତି କହିଥିଲେ, ବିଜେଡି ତରଫରୁ ନିର୍ବାଚନରେ ପରିଲକ୍ଷିତ ହୋଇଥିବା ତାରତମ୍ୟ ଗୁଡିକ ଦର୍ଶାଯାଇଛି । ଏହାର ଉତ୍ତର ମଧ୍ୟ ସନ୍ତୋଷଜନକ ହୋଇପାରି ନାହିଁ । ଉଦାହରଣ ସ୍ୱରୂପ, ଯଦିଓ ଫର୍ମ ୧୭ସି ପ୍ରଦାନ କରିବା ପାଇଁ ନିୟମ ରହିଛି, ଏହା ପ୍ରଦାନ କରିବା ପାଇଁ ନିର୍ବାଚନ କମିସନ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି । ଯେହେତୁ କିଛି ନିର୍ବାଚନ ମାମଲା କୋର୍ଟରେ ବିଚାରାଧୀନ ରହିଛି, ସେହି କାରଣରୁ ଫର୍ମ ୧୭ସି ପ୍ରଦାନ କରାଯାଇ ପାରିବ ନାହିଁ ପାଇଁ ବୋଲି ନିର୍ବାଚନ କମିସନ କହିଛନ୍ତି । କିନ୍ତୁ, ମାତ୍ର ୨୮ଟି ନିର୍ବାଚନ ମଣ୍ଡଳୀରେ କେସ୍ ହୋଇଛି । ତେଣୁ, କେସ୍ ନ ହୋଇଥିବା ନିର୍ବାଚନ ମଣ୍ଡଳୀର ଫର୍ମ ୧୭ସି କାହିଁକି ପ୍ରଦାନ କରାଯିବ ନାହିଁ, ତାର ସ୍ପଷ୍ଟତା ମିଳିନାହିଁ । ସେହିପରି, ଭୋଟ ବାକ୍ସରେ ପଡ଼ିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ତାରତମ୍ୟ ଦେଖିବାକୁ ମିଳିଛି । ଅଧିକ ଭୋଟ ବାହାରିଥିବା ଅଭିଯୋଗର ଉତ୍ତରରେ ମକ୍ ପୋଲ ଭୋଟ ରହି ଯାଇଥିବା କଥା ନିର୍ବାଚନ କମିସନ କହିଛନ୍ତି । କିନ୍ତୁ, ଯଦି ତାହା ହୋଇଥାଏ, ଏହା ସ୍ୱଚ୍ଛ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି, ଭୋଟ କମ ବାହାରିଥିବା ବିଷୟରେ ଇଭିଏମ ତ୍ରୁଟି ଥିଲେ ଏଥିରେ ଥିବା ଭୋଟକୁ ଗଣତିକୁ ନେଉ ନାହାନ୍ତି ବୋଲି କହିଛନ୍ତି । ଯାହା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ମହାନ୍ତି କହିଥିଲେ । ଗଣମାଧ୍ୟମ ପ୍ରତି ବିଜୁ ଜନତା ଦଳର ଯଥେଷ୍ଟ ସମ୍ମାନ ରହିଛି । ତେଣୁ, ଗଣମାଧ୍ୟମ ମଧ୍ୟ ଦାୟିତ୍ୱବାନ ଗଣମାଧ୍ୟମର ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି ବୋଲି ଡ଼ ମହାନ୍ତି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking