25.1 C
Bhubaneswar
Monday, March 23, 2026
Homeଓଡିଶାଡବଲ ଇଞ୍ଜିନ ସରକାରରେ କୃଷକ ସମସ୍ୟା ଉତ୍କଟ ହୋଇଛି: ବିଜେଡି

ଡବଲ ଇଞ୍ଜିନ ସରକାରରେ କୃଷକ ସମସ୍ୟା ଉତ୍କଟ ହୋଇଛି: ବିଜେଡି

– କୃଷକମାନଙ୍କ ପ୍ରତିବାଦରେ ଭୟଭୀତ ହୋଇ ସରକାର ଜଟିଳ ପଞ୍ଜିକରଣ ବ୍ୟବସ୍ଥାକୁ ପ୍ରତ୍ୟାହାର କଲେ
– ବିଜେପିର ପ୍ରତିଶ୍ରୁତି ଅନୁଯାୟୀ ଧାନର ଏମଏସପି ମୂଲ୍ୟ ୩୧୦୦ ଟଙ୍କା କରାଯାଉ
– କଟ୍‌ନୀ ଛଟ୍‌ନୀ ଓ ଦଲାଲ ରାଜ ବନ୍ଦ ହେଉ

ଭୁବନେଶ୍ୱର: ରାଜ୍ୟର ଚାଷୀ ସମୁଦାୟଙ୍କ ସମସ୍ୟାକୁ ନେଇ ବିଜୁ ଜନତା ଦଳର ଆହ୍ୱାନରେ ଆଜି ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ, ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ହଜାର ହଜାର ଚାଷୀ, ସମସ୍ତ ଆଗ ଧାଡ଼ିର କୃଷକ ଅନୁଷ୍ଠାନ ଓ ବିଜେଡିର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ, ରାଜ୍ୟ ସରକାରଙ୍କ କୃଷକ ମାରାଣ ନୀତି ବିରୋଧରେ ଗର୍ଜିଥିଲେ। ଗତ ୧୪ ମାସର ଡବଲ ଇଞ୍ଜିନ ସରକାରଙ୍କ ଅମଳରେ ରାଜ୍ୟରେ କୃଷକ ସମସ୍ୟା ଉତ୍କଟ ହୋଇଛି ବୋଲି ଦଳର ବରିଷ୍ଠ ନେତାମାନେ କହିଥିଲେ । ସଭା ଶେଷ ହେବା ପରେ ରାଜ୍ୟରେ କୃଷକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକରଣ ପାଇଁ ଜଟିଳ ସର୍ତ୍ତ ରଖାଯାଇଥିଲା, ଯାହା ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ଦର୍ଶାଉଛି। ଏହି ଜଟିଳ ପଞ୍ଜିକରଣ ସର୍ତ୍ତ ଚାଷୀ ମାନଙ୍କୁ ଧାନ କିଣା ପ୍ରକିୟାରୁ ନିବୃତ କରିବାକୁ ଉର୍ଦ୍ଦିଷ୍ଟ ଥିଲା। ରାଜ୍ୟ ସରକାରଙ୍କ ଏହି ନୀତିକୁ ବିଜୁ ଜନତା ଦଳ ବିରୋଧ କରିଥିଲା। ରାଜ୍ୟର କୃଷକ ସମାଜ ଏହି ନୀତି ବିରୋଧରେ ବିଜେଡି ନେତୃତ୍ୱରେ ଏକତ୍ରିତ ହେଉଥିବାରୁ, ରାଜ୍ୟ ସରକାର ଭୟଭୀତ ହୋଇ ଏହି ନିଷ୍ପତ୍ତିକୁ ତରବରିଆ ଭାବେ ଗତକାଲି ପ୍ରତ୍ୟାହାର କରିଛନ୍ତି। ସେହିପରି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଜେପି ସରକାରଙ୍କ ସବୁଠୁ ବିଫଳତମ ଯୋଜନାରେ ପରିଣତ ହୋଇଛି । ବୀମା ନାଁରେ ଚାଷୀ ଭାଇମାନଙ୍କୁ ଠକିବା ଓ କମ୍ପାନୀ ମାନଙ୍କୁ ମୁନାଫା ଦେବା ଏହି ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହୋଇଛି । ପ୍ରତ୍ୟେକ ବର୍ଷ କୃଷକଙ୍କୁ ବାଧ୍ୟ କରାଯାଉଛି ଫସଲ ବୀମାକରଣ କରିବା ପାଇଁ । କିନ୍ତୁ ମରୁଡି, ବନ୍ୟା, ବାତ୍ୟା ଭଳି ଦୈବୀ ଦୁର୍ବିପାକରେ ବୀମା କ୍ଷତିପୂରଣ ଦେବା ସମୟରେ ଜଟିଳ ପ୍ରକ୍ରିୟା ଅବଲମ୍ବନ କରିବାରୁ ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ବୀମା ଅର୍ଥ ପ୍ରଦାନ କରିବା ନିୟମାବଳୀକୁ ସରଳୀକରଣ କରିବା ପାଇଁ ବିଜୁ ଜନତା ଦୃଢ଼ ଦାବି ରଖୁଛି । ବିଗତ ରବି ଧାନ ସଂଗ୍ରହ ସମୟରେ ଅହେତୁକ କଟନୀ ଛଟନୀ, ଟୋକନ ବ୍ୟବସ୍ଥା, ଦଲାଲ ରାଜ, ବିଳମ୍ବିତ ପ୍ରାପ୍ୟ ପ୍ରଦାନ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ ଓ ବିଫଳ କରିଛି । ବିନା କଟ୍‌ନୀଛଟ୍‌ନୀରେ ଧାନ କିଣା, ଦଲାଲମୁକ୍ତ ମଣ୍ଡି ଓ ୪୮ ଘଣ୍ଟାରେ ପ୍ରାପ୍ୟ ପ୍ରଦାନ ଇତ୍ୟାଦି ବିଜେପିର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରହସନରେ ପରିଣତ ହୋଇଛି । ଗତ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଦଲାଲ, ମିଲର ଓ ଅଫିସରଙ୍କ ମର୍ଜି ଉପରେ ନିର୍ଭରଶୀଳ ଥିଲା । କ୍ୱିଣ୍ଟାଲ ପିଛା ୧୦ରୁ ୨୦ କେଜି ଧାନ ଖୁଲମାଖୁଲା କଟନୀଛଟନୀ ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱରେ ଲକ୍ଷ ଲକ୍ଷ ନାମମାତ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ‘କାଳିଆ ଯୋଜନା’ ହୋଇଥିଲା । ବର୍ତ୍ତମାନର ସରକାର ଶାସନଭାର ଗ୍ରହଣ କଲା ପରେ ‘କାଳିଆ ଯୋଜନା’ର ନାମ ପରିବର୍ତ୍ତନ କରି ‘ସିଏମ୍ କିଷାନ ଯୋଜନା’ କରିଛନ୍ତି । ଏହି ଯୋଜନାରେ ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ କୌଣସି ସହାୟତା ରାଶି ପ୍ରଦାନ କରାଯାଉ ନାହିଁ। ସ୍ୱାମୀନାଥନ କମିଟି ତାଙ୍କ ସୁପାରିଶରେ ଚାଷୀର ଉତ୍ପାଦିତ ଖର୍ଚ୍ଚର ଦେଢ଼ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାରଙ୍କ ଉଦାସୀନତା ଓ ଚାଷୀକୂଳଙ୍କ ପ୍ରତି ଚରମ ଅବହେଳା ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ । ଆଜି ବିହନ, ସାର, କୃଷି ଶ୍ରମିକ, ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ଘଟିବା ହେତୁ ଚାଷୀ ସବୁବେଳେ କ୍ଷତିଗ୍ରସ୍ତ ହେଉଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ବରଗଡ଼ ଚାଷୀ ସମାବେଶରେ ୩୧୦୦ ଟଙ୍କା ଏମ୍‌ଏସ୍‌ପି ଦେବେ ବୋଲି ଘୋଷଣା କରିଥିଲେ, କିନ୍ତୁ ତାହା ପରବର୍ତ୍ତୀ ସମୟରେ ଧୂଆଁବାଣରେ ପରିଣତ ହେଲା । ତେଣୁ ବିଜୁ ଜନତା ଦଳ ଦାବି କରୁଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାୟୀ ଧାର୍ଯ୍ୟ କରାଯାଉ ଓ ଏମ୍‌ଏସ୍‌ପିକୁ ଆଇନ ସିଦ୍ଧ କରାଯାଉ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି ।

ଏହି କୃଷକ ସମାବେଶରେ ବିଜେଡିର ବରିଷ୍ଠ ନେତାମାନେ ଯଥା, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ରୋହିତ ପୂଜାରୀ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ପ୍ରଦୀପ ଅମାତ, ଶ୍ରୀମତୀ ରୀତା ସାହୁ, ଶ୍ରୀମତୀ ବର୍ଷା ସିଂ ବରିହା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଶ୍ରୀ ପ୍ରଦୀପ ଦିଶାରୀ, ଶ୍ରୀ ଅଧିରାଜ ପାଣିଗ୍ରାହୀ, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀ ସୁଦର୍ଶନ ହରିପାଲ, ଶ୍ରୀ ଯୋଗେଶ ସିଂ, ଶ୍ରୀ ରୋହିତ ଯୋଶେଫ ତିର୍କୀ, ଶ୍ରୀ ନଳିନୀ ପ୍ରଧାନ, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ସଂଗ୍ରାମ ମହାପାତ୍ର, ଆୟୁବ ଖାନ, ଶ୍ରୀ କିଶୋର ନାୟକ, ଶ୍ରୀ ରାଜେନ୍ଦ୍ର ଛତ୍ରିଆ, ଶ୍ରୀ ସରୋଜ ମେହେର, ଶ୍ରୀ ଦୁଷ୍ମନ୍ତ ନାୟକ, ଶ୍ରୀ ନିହାର ବେହେରା, ଶ୍ରୀ ଆକାଶ ମିଶ୍ର, ଶ୍ରୀ ଗିରିରାଜ ସିଂ, ଶ୍ରୀ ନାରାୟଣ ଲୁହା, ଶ୍ରୀମତୀ କଳ୍ପନା ମାଝୀ, ଶ୍ରୀମତୀ ମାନିନୀ ଭୋଇ, ଶ୍ରୀ ରାଜେଶ ଅଗ୍ରୱାଲ, ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଶ୍ରୀ କରନ ସିକନ୍ଦର, ଶ୍ରୀମତୀ ମିନାକ୍ଷୀ ମିଶ୍ର, ଶ୍ରୀ ପ୍ରଫୁଲ୍ଲ ନାୟକ, ଶ୍ରୀ ଉମେଶ ପଣ୍ଡା, ଶ୍ରୀ ଗୌରହରି ମିଶ୍ର, ଶ୍ରୀ ବିକ୍ରମ ସିଂହଦେଓ, ଶ୍ରୀ ଦେବାନନ୍ଦ ଗଡ଼ତିଆ, ଶ୍ରୀ ନାରଦ ବରିହା, ଶ୍ରୀ ଲମ୍ବୋଦର ନିଆଲ, ଶ୍ରୀ ସିଦ୍ଧାର୍ଥ ଦାସ, ଶ୍ରୀ ମନୋଜ ମହାପାତ୍ର, ଶ୍ରୀ ହୀରାଲାଲ ବେହେରା, ଶ୍ରୀମତୀ କୁମୁଦିନୀ ନାୟକ, ଶ୍ରୀ କିଶୋର ମିଶ୍ର, ଶ୍ରୀ ସୁନିଲ କିଷାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାବେଶରେ ଶ୍ରୀ ସୁଶାନ୍ତ ମହାପାତ୍ର ସଭାପତିତ୍ୱ କରିଥିଲା ବେଳେ ଶ୍ରୀ କିଶୋର ଦେବତା ଧନ୍ୟବାଦ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking