22.1 C
Bhubaneswar
Monday, March 23, 2026
Homeଓଡିଶାରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଉଚ୍ଚସ୍ତରୀୟ ବୈଠକ

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବାପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପରିବହନ ପ୍ରାଧିକରଣ ଆନୁକୁଲ୍ଯରେ ଆୟୋଜିତ ଏହି ବୈଠକରେ ସଡକ ଦୁର୍ଘଟଣା କମାଇବା, ଟ୍ରାଫିକ୍ ନିୟମର କଡ଼ା କାର୍ଯ୍ୟାନ୍ବୟନ, ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଏବଂ ସ୍କୁଲ-କଲେଜ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ ଏବଂ ଖୋର୍ଦ୍ଧା ଆଦି ଜିଲ୍ଲାରେ ଦୁର୍ଘଟଣାର ହାର ବୃଦ୍ଧି ପାଉଛି। ବିଶେଷକରି ଦୁଇ ଚକିଆ ଯାନ ଆରୋହୀମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ୫ଟି ଜିଲ୍ଲାରେ ଖୁବଶୀଘ୍ର ୫୦୦ ଟ୍ରାଫିକ ୱାର୍ଡେନ ମୁତୟନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ଏସପି ମାନେ ଏହି ୱାର୍ଡେନ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ ଏବଂ ସେମାନଙ୍କୁ ଟ୍ରାଫିକ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ଦିଆଯିବ ବୋଲି ଡିଜିପି ସୂଚନା ଦେଇଥିଲେ। ଏହାସହ ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଏବଂ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଥିଲେ। ଏହାସହ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମଧ୍ୟ ସେ ଜିଲ୍ଲାର ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବେପରୁଆ ଗାଡିଚାଳନା ଦ୍ଵାରା ସାଧାରଣ ଲୋକଟିଏ ଯେପରି ଦୁର୍ଘଟଣାର ଶିକାର ନହେବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଆରଟିଓ, ପୋଲିସ ଏବଂ ଅନ୍ୟ ବିଭାଗର କର୍ମଚାରୀମାନେ ଦୁର୍ଘଟଣାରେ ସାଧାରଣ ଲୋକଙ୍କ ଜୀବନହାନୀ ରୋକିବାକୁ ସମ୍ମିଳିତ ଉଦ୍ୟମ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।

ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ, ଜାତୀୟ ରାଜପଥରେ ପାଟ୍ରୋଲିଂ, ଫୁଟ ଓଭରବ୍ରିଜ ଏବଂ ଅଣ୍ଡର ପାସରେ ଲୋକଙ୍କ ଯାତାୟତକୁ ସୁନିଶ୍ଚିତ, ନିଶାସକ୍ତ ଗାଡିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଗାଡି ଚଳାଇବା ସମୟରେ ସିଟବେଲ୍ଟ ଏବଂ ହେଲମେଟ ପିନ୍ଧିବାକୁ ସୁନିଶ୍ଚିତ, ଜାତୀୟ ରାଜପଥ ପାର୍ଶ୍ଵରେ ଛିଡାହୋଇ ରହିଥିବା ଭାରୀଯାନ ଉପରେ କଡା କାର୍ଯ୍ୟାନୁଷ୍ଠାନ, ଜାତୀୟ ରାଜପଥ ଉପରେ ଦୁର୍ଘଟଣା ମୃତ୍ୟୁହାର କମାଇବା ପାଇଁ ଆମ୍ବୁଲାନ୍ସ ମୁତୟନ ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଜିର ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଉପକୂଳ ଏବଂ ରେଳବାଇ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ରାଜ୍ୟ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତିଙ୍କ ସମେତ ରାଜ୍ୟ ପରିବହନ ପ୍ରାଧିକରଣର ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଆଭାସୀ ମାଧ୍ୟମରେ ଆଇଜି(କେନ୍ଦ୍ରାଞ୍ଚଳ) ଶ୍ରୀ ଏସ ପ୍ରବୀଣ କୁମାର, ଆଇଜି (ଦକ୍ଷିଣାଞ୍ଚଳ) ଶ୍ରୀ ନୀତି ଶେଖର, , ଡିଆଇଜି (ପୂର୍ବାଞ୍ଚଳ) ଡା ସତ୍ୟଜିତ ନାୟକ, ଡିଆଇଜି (ପଶ୍ଚିମାଞ୍ଚଳ) ଶ୍ରୀ ବ୍ରିଜେଶ କୁମାର ରାୟ ଏବଂ ସମସ୍ତ ଜିଲ୍ଲାର ଏସପି ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking