15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବିଦେଶୀ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି ବିରୋଧୀ ଦଳ?

ବିଦେଶୀ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି ବିରୋଧୀ ଦଳ?

ନୂଆଦିଲ୍ଲୀ:  ଇଂରାଜୀରେ ଏକ କଥା ଅଛି ‘ଜଏନିଂ ଦି ଡଟ୍‌ସ’ ଏବଂ ହିନ୍ଦୀରେ କୁହାଯାଏ ଯେ ‘ଏକ ଗଭୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ହେଲେ, ବିନ୍ଦୁଗୁଡିକୁ ଯୋଡିକରି ଦେଖିବାକୁ ପଡ଼ିଥାଏ’ । ଆଜିକାଲି ଦେଶରେ ଦୀର୍ଘ ସମୟ ଧରି ଚାଲିଥିବା ଅରାଜକତା, ହିଂସା, ମିଥ୍ୟା, ପ୍ରତାରଣା ଏବଂ ଠକେଇର ରାଜନୀତି, ଏହାର ମୂଳ ଏବଂ ଏହାର ଚାବୁକ୍ ବିଦେଶୀ ମାଲିକମାନଙ୍କ ହାତରେ ଥିବା ପରି ମନେ ହେଉଛି । ଲଗାତାର ମିଳୁଥିବା ପରାଜୟ ଯୋଗୁ ହତାଶ ଏବଂ ନିରାଶ ବିରୋଧୀ ଦଳ କ୍ଷମତା ହାସଲ ପାଇଁ ମିଥ୍ୟା ଏବଂ ପ୍ରତାରଣାର ଆଶ୍ରୟ ନେଇ ଜାତୀୟ ସ୍ୱାର୍ଥ ବିରୁଦ୍ଧରେ ଯେକୌଣସି ସ୍ତରକୁ ମଧ୍ୟ ଖସିଯାଇପାରେ । ଏପରିକି ଏହି ଘୃଣ୍ୟ କାର୍ଯ୍ୟ ପାଇଁ ବିଦେଶୀ ଭାରତ ବିରୋଧୀ ଉପାଦାନମାନଙ୍କଠାରୁ ସାହାଯ୍ୟ ନେବାକୁ ମଧ୍ୟ ସେମାନଙ୍କର କୌଣସି ଦ୍ୱିଧା ନାହିଁ । ସର୍ବପ୍ରଥମେ ବିରୋଧୀ ଦଳ ସଂସଦକୁ କାର୍ଯ୍ୟ କରିବାକୁ ନ ଦେବାର ଉଦାହରଣରୁ ଆରମ୍ଭ କରିବା । ଅପରେସନ ସିନ୍ଦୂର’ ଉପରେ, ସମଗ୍ର ବିରୋଧୀ ଦଳ (ଶଶୀ ଥରୁର ଏବଂ ମନୀଷ ତିୱାରୀ ଭଳି କିଛି କଂଗ୍ରେସ ନେତାଙ୍କୁ ଛାଡି) ପାକିସ୍ତାନର ଭାଷା କହୁଥିଲେ ଯାହାର ନେତୃତ୍ୱ ରାହୁଲ ଗାନ୍ଧୀ ନେଇଥିଲେ ଏବଂ ତାଙ୍କର ବକ୍ତବ୍ୟ ପାକିସ୍ତାନରେ ପ୍ରମୁଖ ଭାବରେ ପ୍ରକାଶିତ ହୋଇଥିଲା ଯେପରିକି ଅପରେସନ ସିନ୍ଦୂରରେ ପାକିସ୍ତାନ ଦ୍ୱାରା ଆମର କେତେ ବିମାନ ଖସାଇ ଦିଆଯାଇଥିଲା, ପି ଚିଦାମ୍ବରମ ପଚାରିଥିଲେ ଯେ ପହଲଗାମରେ ନିରୀହ ଲୋକଙ୍କୁ ହତ୍ୟା କରିଥିବା ଲୋକମାନେ ପାକିସ୍ତାନୀ ଥିଲେ ଏହାର ପ୍ରମାଣ କ’ଣ? ଏସବୁ ପାକିସ୍ତାନର ସ୍ୱର ଥିଲା ଯାହାକୁ ଭାରତୀୟ ବିରୋଧୀ ଦଳ ଜୋରରେ ଉଠାଇ ଚାଲିଥିଲେ । ଭାରତୀୟ ସେନା, ବୈଦେଶିକ ମନ୍ତ୍ରଣାଳୟର ବୟାନ ସହ ଏମାନଙ୍କର କୌଣସି ସମ୍ପର୍କ ନଥିଲା କିନ୍ତୁ ଏମାନେ ପାକିସ୍ତାନୀ ବୟାନକୁ ବିଶ୍ୱାସ କରିବା ଜାରି ରଖିଥିଲେ ।

ଅନ୍ୟପକ୍ଷେ, କିଏ ଜାଣେ ନାହିଁ ଯେ ଆଭ୍ୟନ୍ତରୀଣ ଭାବେ ଆମେରିକା ଭାରତର ପ୍ରଗତି, ବିକାଶ ଏବଂ ଅଭିବୃଦ୍ଧିରେ ଖୁସି ନୁହେଁ । ବିକଶିତ ଭାରତର ସଂକଳ୍ପକୁ ଠୋସ୍ ଆକାର ଦେଇଥିବା ନରେନ୍ଦ୍ର ମୋଦୀଙ୍କ ଶକ୍ତିଶାଳୀ ସରକାରଙ୍କୁ ଅପଦସ୍ତ କରିବା ପାଇଁ ଆମେରିକାର ଡିପ୍ ଷ୍ଟେଟ୍ ବହୁ ବର୍ଷ ଧରି ବଡ଼ ଧରଣର ଷଡ଼ଯନ୍ତ୍ର କରିଆସୁଛି ଏବଂ ଭାରତରେ ଏକ ଦୁର୍ବଳ ସରକାର କ୍ଷମତାକୁ ଆସୁ ଏବଂ ଭାରତ ବିକାଶର ଦ୍ରୁତ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଯାଉ ବୋଲି ଏହା ଚାହୁଁଛି । ଗତ ସାଧାରଣ ନିର୍ବାଚନରେ, ଆମେରିକୀୟ ଡିପ୍ ଷ୍ଟେଟ୍ ଭାରତରେ ମୋଦୀଙ୍କୁ ପରାସ୍ତ କରିବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲା, ଆଉ ଏବେ ଅପରେସନ ସିନ୍ଦୂର ସମୟରେ, ପାକିସ୍ତାନକୁ ଆଇଏମ୍‌ଏଫ୍‌ରୁ ଋଣ ମଞ୍ଜୁର କରାଇବା ପୂର୍ବକ ଆର୍ôଥକ ସହାୟତା କରିଥିଲା । ପାକିସ୍ତାନର ଫିଲ୍ଡ ମାର୍ଶାଲ ମୁନିରଙ୍କୁ ଦୁଇଥର ଆମେରିକା ଡକାଯାଇଥିଲା ଏବଂ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚାଯାଉଛି । ଗୋଟିଏ ପଟେ ଟ୍ରମ୍ପ ମୋଦୀଙ୍କୁ ଜଣେ କଠୋର ମୂଲଚାଲକାରୀ ବୋଲି କହୁଥିବା ବେଳେ ଅନ୍ୟପଟେ ସେ ରୁଷ୍‌ରୁ ତେଲ ଏବଂ ଶକ୍ତି ଉତ୍ପାଦ କିଣିବା ପାଇଁ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରୁଛନ୍ତି । ଆମେରିକାର ଲକ୍ଷ୍ୟ ହେଉଛି ଯେକୌଣସି ଉପାୟରେ ଭାରତକୁ ଦୁର୍ବଳ କରିବା । ଏଭଳି ସ୍ଥିତିରେ ଟ୍ରମ୍ପ ବାରମ୍ବାର କହୁଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରାଇଛନ୍ତି, ଯାହାକୁ ଭାରତୀୟ ପ୍ରଶାସନିକ ବ୍ୟବସ୍ଥା ନିରନ୍ତର ପ୍ରତ୍ୟାଖ୍ୟାନ କରିଆସିଛି । ଏପରିକି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲୋକସଭାରେ ସ୍ପଷ୍ଟ ଭାବେ କହିସାରିଛନ୍ତି ଯେ ସେ ଭାରତ-ପାକ୍ ଯୁଦ୍ଧ ସମୟରେ କୌଣସି ବିଦେଶୀ ନେତାଙ୍କ ସହ କଥା ହୋଇନଥିଲେ । ଏହାସତ୍ତ୍ୱେ ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରି ସଂସଦରେ ହଙ୍ଗାମା କରିଥିଲେ । ସରକାର ଆଲୋଚନା ପାଇଁ ସମୟ ସ୍ଥିର କରିବା ପରେ ମଧ୍ୟ ବିରୋଧୀ ସଂସଦକୁ ସ୍ୱାଭାବିକ ହେବାକୁ ଦେଇନଥିଲେ । ତେବେ ଏସବୁ ବିଶୃଙ୍ଖଳା ବିରୋଧୀ ଦଳ କାହା ଇଙ୍ଗିତରେ ସୃଷ୍ଟି କରିଥିଲେ ତାହା ସ୍ପଷ୍ଟ ହେଉଛି ।

ଯେତେବେଳେ ଅପରେସନ ସିନ୍ଦୂର’ ବିଷୟରେ ଆଲୋଚନା ହୋଇଗଲା, ସେତେବେଳେ କେନ୍ଦ୍ର ନିର୍ବାଚନ ଆୟୋଗ ବିହାରର ନିର୍ବାଚନ ତାଲିକାରୁ ମୃତ, ବାଂଲାଦେଶୀ, ରୋହିଙ୍ଗ୍ୟା କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କୁ ବାଦ୍ ଦେବା ପ୍ରସଙ୍ଗରେ ସଂସଦକୁ ଅଚଳ କରାଯାଉଛି । କୁହାଯାଉଛି ଯେ ଭୋଟ୍ ଚୋରି ହେଉଛି । ସତ କଥା ହେଉଛି ଭୋଟ୍ ଚୋରି ତ ସେତେବେଳେ ହେଉଥିଲା ଯେତେବେଳେ ଏସବୁ ଲୋକଙ୍କ ନାମ ଭୋଟର ତାଲିକାରେ ଥିଲା । ରାହୁଲ କହୁଛନ୍ତି ଯେ ଏହି କାରଣରୁ ସମ୍ବିଧାନ ବିପଦରେ ପଡ଼ିଛି । ରାହୁଲ, ସମ୍ବିଧାନ ସେତେବେଳେ ବିପଦରେ ପଡ଼ିଲା ଯେତେବେଳେ ତୁମେ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ‘ଆମେ କ୍ଷମତାକୁ ଆସିଲା ପରେ ଜଣ ଜଣ କରି ସମସ୍ତଙ୍କୁ ଦେଖିନେବୁ’ ବୋଲି ଖୋଲାଖୋଲି ଧମକ ଦେଇଥିଲ । ସମ୍ବିଧାନ ସେତେବେଳେ ବିପଦରେ ପଡ଼ୁଛି ଯେତେବେଳେ ତୁମେ ବାଂଲାଦେଶୀ, ମୃତ ଏବଂ ପ୍ରବାସୀ ଲୋକଙ୍କୁ ନିର୍ବାଚନ ତାଲିକାରୁ ବାଦ ଦିଆଯିବା ନେଇ ହଙ୍ଗାମା କରୁଛ ।

ଉଲ୍ଲେଖନୀୟ, ଯେତେବେଳେ ଶେଖ୍ ହସିନାଙ୍କୁ ବାଂଲାଦେଶରେ ଅପଦସ୍ତ କରାଯାଇଥିଲା ଏବଂ ତାଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା, ସେତେବେଳେ ଆମେରିକୀୟ ପୋଷ୍ୟପୁତ୍ର ସାଜିଥିବା ମହମ୍ମଦ ୟୁନୁସଙ୍କୁ କ୍ଷମତା ହସ୍ତାନ୍ତର କରାଯାଇଥିଲା । ସେତେବେଳେ ମଧ୍ୟ ଆମେରିକା ବାଂଲାଦେଶରେ ସମାନ ଅଭିଯାନ ଚଳାଇଥିଲା ଏବଂ ଦର୍ଶାଇବାକୁ ଚେଷ୍ଟା କରିଥିଲା ଯେ ଶେଖ୍ ହସିନା ଜାଲିଆତି କରି ନିର୍ବାଚନ ଜିତିଥିଲେ । ଆମେରିକା ଏବେ ଭାରତରେ ମଧ୍ୟ ସମାନ ପରୀକ୍ଷଣ କରିବାକୁ ଚାହୁଁଛି, ଯେଉଁଥିରେ ବିରୋଧୀ ଦଳ ଆମେରିକାକୁ ପୂର୍ଣ୍ଣ ସମର୍ଥନ କରୁଛି । ତେବେ ଯାହା ବି ହେଉ, ଭାରତରେ, ଭାରତୀୟଙ୍କ ସତର୍କତା ଏବଂ ବିରୋଧୀ ଦଳ ଉପରେ ଜନସାଧାରଣଙ୍କ ଭରସା, ବିଶ୍ୱାସର ଅଭାବ ଯୋଗୁଁ ସେମାନେ କିଛି କରିପାରିବେ ନାହିଁ । ବିରୋଧୀ ଦଳ ଲଗାତାର ନିଜର ବିଶ୍ୱସନୀୟତା ହରାଉଛନ୍ତି ଏବଂ ଭାରତ ବିରୋଧୀମାନେ ବିପକ୍ଷ ଶକ୍ତିଙ୍କଠାରୁ ସାହାଯ୍ୟ ନେଇ ଜୟଚନ୍ଦଙ୍କ ଭୂମିକା ନିର୍ବାହ କରୁଛନ୍ତି । ଏକମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଯେ କ୍ଷମତା ହାସଲ ପାଇଁ ଜଣେ କିପରି ନିଜ ଦେଶ ସହ ବିଶ୍ୱାସଘାତକତା କରିବା ବିଷୟରେ ଚିନ୍ତା ମଧ୍ୟ କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking