17.1 C
Bhubaneswar
Monday, December 8, 2025
Homeଓଡିଶାଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ "ଓଡ଼ିଶାରେ ବିସ୍ମୃତ ଖାଦ୍ୟ, ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ଏବଂ...

ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ “ଓଡ଼ିଶାରେ ବିସ୍ମୃତ ଖାଦ୍ୟ, ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ଏବଂ ଏହାର ସ୍ଥାୟିତ୍ଵ” ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ “ଓଡ଼ିଶାରେ ବିସ୍ମୃତ ଖାଦ୍ୟ / ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ଏବଂ ଏହାର ସ୍ଥାୟିତ୍ଵ” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରାଯାଇଛି । ଗତ ନଭେମ୍ବର ମାସରେ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ । ଯେଉଁଥିରେ ବିଭିନ୍ନ ଦେଶରୁ ବିଶେଷଜ୍ଞ, କୃଷି ବୈଜ୍ଞାନିକମାନେ ଯୋଗଦେଇଥିଲେ ।ସାରା ରାଜ୍ୟରେ ପାରମ୍ପରିକ ଫସଲ କିସମ ଏବଂ ଖାଦ୍ୟର ସଂରକ୍ଷଣ, ଚାଷ, ମୂଲ୍ୟ ବୃଦ୍ଧି, ବ୍ୟବସାୟିକରଣ ଏବଂ ସଚେତନତା ସୃଷ୍ଟି ଉପରେ ଧ୍ୟାନ ଦେଇ ସେଗୁଡିକୁ ପୁନରୁଦ୍ଧାର କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଯାହାଦ୍ଵାରା ବିଶେଷକରି ଜନଜାତି ସମ୍ପ୍ରଦାୟର ଚାଷୀମାନେ ଆର୍ଥିକ ସ୍ତରରେ ଅଧିକ ସଶକ୍ତ ହୋଇପାରିବେ । ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମାର୍ଗଦର୍ଶନରେ କରାଯାଇଥିବା ଏହି ଯୋଜନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଛି । ଓଡ଼ିଶା ହେଉଛି ଫସଲ, ଖାଦ୍ୟ ବିବିଧତା ଏବଂ ଅନେକ କୃଷି-ପରିବେଶ ସମୃଦ୍ଧ ରାଜ୍ୟ ।ଯେଉଁଥିରେ କୋରାପୁଟ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ଏକ ମହତ୍ଵପୂର୍ଣ୍ଣ କୃଷିଭିତ୍ତିକ ବିଶ୍ଵସ୍ତରୀୟ କେନ୍ଦ୍ରସ୍ଥଳୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି ।

ଓଡ଼ିଶାରେ ୬୪ ପ୍ରକାରର ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି ଏବଂ କୃଷି ଜୈବ ବିବିଧତାର ସମ୍ପ୍ରଦାୟଭିତ୍ତିକ ସଂରକ୍ଷଣର ସମୃଦ୍ଧ ଐତିହ୍ୟ ରହିଛି । ଓଡ଼ିଶାର ଜନଜାତି ସମ୍ପ୍ରଦାୟର ଲୋକମାନେ ବହୁ ପୁରାତନ କାଳରୁ ବିଭିନ୍ନ ପାରମ୍ପରିକ ଫସଲ ଯଥା କନ୍ଦା, ଡାଲି, ତୈଳବୀଜ, ଶାଗ, ବନ୍ୟଜାତ ଫଳମୂଳ ଚାଷ ଓ ଖାଦ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ । ଏହି ଯୋଜନା ଦେଶୀ ବିହନ ଓ ବୃକ୍ଷରାଜି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସ୍ଵର୍ଗତଃ ପଦ୍ମଶ୍ରୀ କମଳା ପୂଜାରୀ, ସୁଶ୍ରୀ ସାବରମତୀ, ପ୍ରଫେସର ରାଧାମୋହନ ଏବଂ ଶ୍ରୀ ପଟ୍ଟାୟତ ସାହୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି ।

ବିସ୍ମୃତ ଖାଦ୍ୟଶସ୍ୟର ଜର୍ମପ୍ଲାଜମ/ଆନୁବଂଶିକ ସଂଗ୍ରହ ଓ ମୂଲ୍ୟାନ୍ଵୟନ ଏବଂ ଖାଦ୍ୟ ସଂସ୍କୃତି ସମ୍ବନ୍ଧୀୟ ତଥ୍ୟାବଳୀ ପ୍ରସ୍ତୁତ କରିବା, ରାଜ୍ୟ ସମ୍ବଳ କେନ୍ଦ୍ର ମାଧ୍ୟମରେ ଗୋଷ୍ଠୀ ପରିଚାଳିତ ବିହନ ବ୍ୟାଙ୍କ, ସଂରକ୍ଷକ ଚାଷୀ/ ସମ୍ବଳ କେନ୍ଦ୍ର ମାଧ୍ୟମରେ ଗୋଷ୍ଠୀଗତ ସଂରକ୍ଷଣ ଓ ବ୍ୟାପକତା, ବିଲୁପ୍ତପ୍ରାୟ ଭୂ -ପ୍ରଜାତି/ଶସ୍ୟ ଚାଷକୁ ପ୍ରୋତ୍ସାହନ, ବିସ୍ମୃତ ଖାଦ୍ୟର ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଓ ଖାଦ୍ୟ ପ୍ରସ୍ତୁତିକୁ ପ୍ରୋତ୍ସାହନ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିସ୍ମୃତ ଖାଦ୍ୟଶସ୍ୟକୁ ନେଇ ସଚେତନତା ସୃଷ୍ଟି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ବା କୃଷକ ଉତ୍ପାଦକ ସଂଗଠନ କିମ୍ବା ସଂସ୍ଥାଗୁଡିକ ମାଧ୍ୟମରେ ବ୍ୟବସାୟିକରଣକୁ ବ୍ୟାପକ କରିବା, ଚାଷୀଙ୍କ ଫସଲ ଓ ଖାଦ୍ୟ ସ୍ଵତନ୍ତ୍ରତା ସମ୍ପର୍କିତ ଅଧିକାରକୁ ବିଚାରକୁ ନେଇ ବିସ୍ମୃତ ଶସ୍ୟ/ ଖାଦ୍ୟର ବିଭିନ୍ନ ଦିଗ ଉପରେ ଗବେଷଣା ଏବଂ ବିଭିନ୍ନ ହିତାଧିକାରୀଙ୍କ ସହ ସହଭାଗୀତା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ ।

ଏହି ଯୋଜନା ଆସନ୍ତା ୫ ବର୍ଷ(୨୦୨୫-୨୬ ରୁ ୨୦୨୯-୩୦) ପାଇଁ ଓଡ଼ିଶାର କୃଷି ଜୈବ ବିବିଧତାର କେନ୍ଦ୍ରସ୍ଥଳୀଭାବେ ପରିଚିତ ୧୫ଟି ଜିଲ୍ଲାର ୨୫ଟି ବ୍ଲକରେ କାର୍ଯ୍ୟକାରୀ କରାଯିବା ନେଇ ପରିକଳ୍ପନା କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ବିଲୁପ୍ତପ୍ରାୟ ଫସଲ ଚାଷର ପ୍ରୋତ୍ସାହନ ଦ୍ଵାରା ପ୍ରାୟ ୬୦ ହଜାର ଚାଷୀ ସିଧାସଳଖ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି । ବିଭିନ୍ନ ବିଲୁପ୍ତପ୍ରାୟ ଫସଲର ପାରମ୍ପରିକ ଜ୍ଞାନ ସମ୍ପର୍କରେ ତଥ୍ୟାବଳୀ ପ୍ରସ୍ତୁତ କରିବା ପାଇଁ ଏକ ଅନନ୍ୟ ପଦକ୍ଷେପଭାବେ “କମଳା ପୂଜାରୀ ସହଭାଗୀତା ଗବେଷଣା ବୃତ୍ତି” ପ୍ରଦାନ କରାଯିବା ନିମନ୍ତେ ମଧ୍ୟ ଯୋଜନା କରାଯାଇଛି । ଏହାଦ୍ଵାରା ଅନେକ ଭୂ-ପ୍ରଜାତି ଏବଂ ରନ୍ଧନ ପ୍ରଣାଳୀ ସମ୍ବନ୍ଧରେ ତଥ୍ୟାବଳୀ ପ୍ରସ୍ତୁତି, ସେଗୁଡ଼ିକର ଉପଲବ୍ଧତା ବୃଦ୍ଧି, ପୁଷ୍ଟିକର ତଥ୍ୟାବଳୀ ସଂଗ୍ରହ, ଏକ ମୁକ୍ତ ଡିଜିଟାଲ୍ ଜ୍ଞାନ ପ୍ଲାଟଫର୍ମ ପ୍ରସ୍ତୁତ କରିବା ଏବଂ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ପୁନରୁଦ୍ଧାର କରିବା ଦିଗରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ମଡେଲ୍ ଭାବରେ ସ୍ଥାନିତ କରିବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମତବ୍ୟକ୍ତ କରିଛନ୍ତି ।ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଶାର କୃଷି ଐତିହ୍ୟର ସଂରକ୍ଷଣ, କୃଷକଙ୍କ ଜୀବନଜୀବିକାର ବିକାଶ ପାଇଁ ସହାୟତା ପ୍ରଦାନ ଏବଂ ଖାଦ୍ୟ ଓ ପୁଷ୍ଟି ନିରାପତ୍ତାକୁ ପ୍ରୋତ୍ସହିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking