15.1 C
Bhubaneswar
Thursday, December 18, 2025
Homeଓଡିଶାପୁରୀରୁ ଗଡ଼ିଲା ସୁପର୍ ପ୍ରିମିୟମ୍ ବସ୍‌

ପୁରୀରୁ ଗଡ଼ିଲା ସୁପର୍ ପ୍ରିମିୟମ୍ ବସ୍‌

-ଭିସିରେ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
-୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଚାଲିବ
-ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି

ପୁରୀ: ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ଉନ୍ନତମାନର ବସ୍ ସେବା ଯୋଗାଇଦେବା ଲକ୍ଷ୍ୟରେ ପୁରୀଠାରୁ ତିରୁପତି, ଅଯୋଧ୍ୟା, ଉଜ୍ଜ୍ୱୟିନୀ, ହାଇଦ୍ରାବାଦ୍ ଓ ଭିଲାଇ ପର୍ଯ୍ୟନ୍ତ ସୁପର୍ ପ୍ରିମିୟମ୍ ବସ୍ ସେବା ସହ ଇଣ୍ଟେଲିଜେଣ୍ଟ ଏନ୍‌ଫୋର୍ସମେଣ୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍ ବା (ଆଇଇଏମ୍‌ଏସ୍‌)ର ଶୁଭାରମ୍ଭ ହୋଇଛି। ମଙ୍ଗଳବାର ଅପରାହ୍ଣରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଳତୀ ପାଟପୁର ବସ୍‌ଷ୍ଟାଣ୍ଡ୍ ଠାରୁ ଏହି ବସ୍ ସେବା ଓ ଆଇଇଏମ୍‌ଏସ୍‌ର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ। ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏ ବର୍ଷକ ମଧ୍ୟରେ ପ୍ରାୟ ସବୁ ପୂରଣ କରିଛନ୍ତି। ସରକାର ଆଜି ୮ଟି ସୁପର୍ ପ୍ରିମିୟମ୍ ବସ୍ ସେବା ଆରମ୍ଭ କରିଛନ୍ତି। ତେବେ ପୁରୀକୁ ଗୁରୁତ୍ୱ ଦେଇ ୫ଟି ବସ୍ ପୁରୀରୁ ଯାଉଛି। ଏହି ବସ୍ ମାଳତୀ ପାଟପୁରରୁ ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ ହାଇଦ୍ରାବାଦ ଓ ଭିଲାଇକୁ ଯିବ ବୋଲି ଡା. ପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ବିନୀତ ଅଗ୍ରୱାଲ, ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଓ ଡା. ଦେବେନ୍ଦ୍ର ନାଥ ତରାଇ ପ୍ରମୁଖ ଯୋଗଦେଇ ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କର ଗମନାଗମନ ସୁଖଦ ଓ ଶୃଙ୍ଖଳିତ ହୋଇପାରିବ ବୋଲି କହିଥିଲେ।

ଏହି ଆରାମଦାୟକ ବସ୍ ସେବାରେ ମହିଳାମାନଙ୍କ ପାଇଁ ଶତକଡ଼ା ୫୦ଭାଗର ରିହାତି ରହିଛି। ଏହି ବସ୍ ମାଳତୀ ପାଟପୁରରୁ ତିରୁପତି, ଅଯୋଧ୍ୟା ଓ ଉଜ୍ଜୟିନୀକୁ ପ୍ରତି ସପ୍ତାହରେ ଥରେ ଏବଂ ହାଇଦ୍ରାବାଦ ଓ ଭିଲାଇକୁ ଦୈନିକ ଯିବାଆସିବା କରିବ ବୋଲି ପୁରୀ ପରିବହନ ନିଗମ ମ୍ୟାନେଜର୍ ରଶ୍ମି ସାମଲ ସୂଚନା ଦେଇଥିଲେ। ଅପରପକ୍ଷରେ ଆଇଇଏମ୍‌ଏସ୍ ବ୍ୟବସ୍ଥା ଦ୍ୱାରା ବେଗ ନିୟନ୍ତ୍ରଣ ସହ ଦୁର୍ଘଟଣାକୁ ପ୍ରତିହତ କରାଯାଇପାରିବ। ପୂର୍ବରୁ ପୁରୀରୁ ଉତ୍ତରା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବେଳେ ବର୍ତ୍ତମାନ ପୁରୀରୁ କୋଣାର୍କ ଓ କୋଣାର୍କରୁ ପିପିଲି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ସିସିଟିଭି ମାଧ୍ୟମରେ ନିର୍ଦ୍ଧାରିତ ବେଗଠାରୁ ଅଧିକ ଗତିରେ ଗଲେ ତାହାର ଚିହ୍ନଟ କରି ସିଧାସଳଖ ଉଲ୍ଲଘଂନକାରୀଙ୍କ ପାଖକୁ ଚାଲାଣ ପହଞ୍ଚିଯିବ ବୋଲି ଆର୍‌ଟିଓ ରବିନ ପଟ୍ଟନାୟକ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ.ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନୋଡାଲ୍ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର, ଏସ୍‌ଡିପିଓ ଆର୍‌ଏନ୍ ଭଞ୍ଜ, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପରିବହନ ବିଭାଗର ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking