16.1 C
Bhubaneswar
Thursday, February 5, 2026
Homeଖେଳଆସନ୍ତାକାଲି ଆଇପିଏଲ୍ କ୍ୱାଲିଫାୟର୍‌-୧ : ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଆସନ୍ତାକାଲି ଆଇପିଏଲ୍ କ୍ୱାଲିଫାୟର୍‌-୧ : ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। କ୍ୱାଲିଫାୟର୍‌-୧ରେ ଗୁରୁବାର ଟେବୁଲ୍ ଟପର୍ ପଞ୍ଜାବ କିଙ୍ଗ୍‌ସ ଦ୍ୱିତୀୟ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ମୁଲ୍ଲାନ୍‌ପୁରରେ ଭେଟିବ। ଶୀର୍ଷ ଦୁଇରେ ସ୍ଥାନ ହାସଲ କରିବା ପରେ ଏହି ଦୁଇ ଟିମ୍‌ର ଫାଇନାଲ୍ ଖେଳିବା ସମ୍ଭାବନା ରହିଛି। କାରଣ ପ୍ରଥମ କ୍ୱାଲିଫାୟର୍‌ରେ ପରାଜୟ ସତ୍ତ୍ୱେ ଫାଇନାଲ୍‌ରେ ସ୍ଥାନ ହାସଲ ପାଇଁ ଆଉ ଗୋଟିଏ ସୁଯୋଗ ମିଳିବ।

ପଞ୍ଜାବ କିଙ୍ଗ୍‌ସ ୨୦୧୪ ପରେ ପ୍ରଥମ ଥର ପାଇଁ ପ୍ଲେଅଫ୍‌ରେ ସ୍ଥାନ ହାସଲ କରିଛି। ଏହାର ଶ୍ରେୟ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟର୍ ଓ ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ଯୋଡ଼ିକୁ ମିଳିଛି। ଦୁହେଁ ଟିମ୍‌କୁ ଏକ ନୂଆ ରୂପ ଦେଇଛନ୍ତି। ଅନ୍ୟପକ୍ଷରେ ଆର୍‌ସିବିକୁ ନକ୍‌ଆଉଟ୍ ପର୍ଯ୍ୟାୟରେ ବହୁବାର ପରାଜିତ ହେବାକୁ ପଡ଼ିଛି। ଚଳିତ ଥର ଟିମ୍ ଟାଇଟଲ୍ ମରୁଡ଼ିରେ ସମାପ୍ତି ଘଟାଇବା ଲକ୍ଷ୍ୟରେ ରହିଛି। ଆୟର୍‌-ପଣ୍ଟିଂଙ୍କ ଯୋଡ଼ି ପଞ୍ଜାବ ଟିମ୍‌ରେ ଚମତ୍କାର ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ଏହା ଏକ ଶକ୍ତିଶାଳୀ ଟିମ୍ ଭାବେ ଉଭା ହୋଇଛି। ଟିମ୍ ଲିଗ୍ ପର୍ଯ୍ୟାୟରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉନ୍ନତ ପ୍ରଦର୍ଶନ କରିଛି। ସମସ୍ତ ଖେଳାଳି ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସଫଳ ହୋଇଛନ୍ତି। ପ୍ରଭସିମ୍‌ରନ୍ ସିଂହ ଓ ପ୍ରିୟାଂଶ ଆର୍ଯ୍ୟଙ୍କ ଓପ୍ନିଂ ଯୋଡ଼ି ଶ୍ରେୟସ୍ ଆୟର୍ ଓ ଜୋଶ୍ ଲିଙ୍ଗ୍‌ଲିଶ୍‌ଙ୍କ ପରି ଖେଳାଳିଙ୍କ ପାଇଁ ମଞ୍ଚ ପ୍ରସ୍ତୁତ କରିଛି। ଫିନିଶନ୍ ଶଶାଙ୍କ ସିଂହ ଲଗାତାର ନିଜର ପ୍ରଦର୍ଶନରେ ସୁଧାର କରିଥିବା ବେଳେ ଅଷ୍ଟ୍ରେଲୀୟ ଖେଳାଳି ମାର୍କସ୍ ଷ୍ଟୋଇନିସ୍ ନିଜ ବ୍ୟାଟିଂ କ୍ଷମତା ବଳରେ ବ୍ୟାଟିଂ ଲାଇନ୍‌କୁ ଅଧିକ ଶକ୍ତିଶାଳୀ କରିଛନ୍ତି।

ତେବେ ଚିନ୍ତାର ବିଷୟ ହେଉଛି ଟିମ୍‌ର ବୋଲିଂ ବିଭାଗ। ବିଶେଷକରି ସାଉଥ୍ ଆଫ୍ରିକୀୟ ଫାଷ୍ଟ୍ ବୋଲର୍ ମାର୍କୋ ଜାନ୍‌ସେନ୍ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଏହି ଚିନ୍ତା ଆହୁରି ବୃଦ୍ଧି ପାଇଛି। ଜାନ୍‌ସେନ୍ ପାୱାର୍‌ପ୍ଲେ ଏବଂ ଡେଥ୍ ଓଭର୍‌ରେ ମହତ୍ତ୍ୱର୍ପୂର୍ଣ୍ଣ ପ୍ରଦର୍ଶନ କରୁଥିଲେ। ତାଙ୍କ ଅନୁପସ୍ଥିତି ଆଗାମୀ ସମୟରେ ନିଶ୍ଚିତ ଭାବେ ଟିମ୍ ଅନୁଭବ କରିବ। କାଇଲ୍ ଜାମିସନ୍ ନିଜ ପ୍ରଥମ ମ୍ୟାଚ୍‌ରେ କିଛିଟା ଆଶା ଜନ୍ମାଇଥିଲେ। ତେବେ ତାଙ୍କୁ ଉନ୍ନତ ବୋଲିଂ କରିବାକୁ ହେବ। ଅଲ୍‌ରାଉଣ୍ଡର୍ ଅଜମତୁଲ୍ଲାହ ଓମରଜାଇ ମଧ୍ୟ ଜାନ୍‌ସେନ୍‌ଙ୍କ ସ୍ଥାନ ନେଇପାରନ୍ତି। ସ୍ପିନ୍ ବିଭାଗରେ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍‌ଙ୍କୁ ହରପ୍ରୀତ୍ ବ୍ରାର୍‌ଙ୍କ ସହ ସଠିକ୍ ବୋଲିଂ କରିବାକୁ ହେବ। ଅର୍ଶଦୀପ୍ ସିଂହ ଫ୍ରାଞ୍ଚାଇଜି ପାଇଁ ବହୁ ସମୟ ଧରି ଉନ୍ନତ ବୋଲିଂ କରିଆସିଛନ୍ତି ଏବଂ ନକ୍‌ଆଉଟ୍ ପର୍ଯ୍ୟାୟରେ ତାଙ୍କଠାରୁ ଅଧିକ ଆଶା କରାଯାଇପାରେ।

ଟୁର୍ଣ୍ଣାମେଣ୍ଟ୍‌ର ଅନ୍ତିମ ପର୍ଯ୍ୟାୟରେ କେତେକ ଖେଳାଳିଙ୍କ ଆଘାତକୁ ନେଇ ଆର୍‌ସିବି ମଧ୍ୟ ଚିନ୍ତିତ ଥିଲଶ। ତେବେ ଫାଷ୍ଟ୍ ବୋଲର୍ ଜୋଶ୍ ହେଜଲ୍‌ଉଡ୍ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଆଶା କରାଯାଇଥିବା ବେଳେ ଟିମ୍ ଡେଭିଡ୍ ମଧ୍ୟ ଚୟନ ପାଇଁ ଉପଲବ୍ଧ ହେବେ। ଫଳରେ ଟିମ୍‌ରେ ଅଧିକ ସନ୍ତୁଳନ ଆସିବ। ଆର୍‌ସିବି ଗତ କିଛି ବର୍ଷ ଧରି ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ଉପରେ ନିର୍ଭରଶୀଳ ରହୁଥିଲା। କିନ୍ତୁ ଜିତେଶ ଶର୍ମାଙ୍କ ପରି ଖେଳାଳି ମଧ୍ୟକ୍ରମରେ ନିଜ କ୍ଷମତା ପ୍ରଦର୍ଶନ କରିବା ପରେ ଏଥିରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଜିତେଶ ମଙ୍ଗଳବାର ନିଜ ଆଇପିଏଲ୍ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଛନ୍ତି ଏବଂ ଏହା ପ୍ଲେଅଫ୍‌ରେ ତାଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବ।

ଫିଲ୍ ସଲ୍ଟ୍ ପାୱାରପ୍ଲେରେ ନିଜର ସର୍ବଶ୍ରେଷ୍ଠ ବ୍ୟାଟିଂ କରିବା ଏବଂ ପୂରା ସିଜନ୍‌ରେ ବିରାଟ କୋହଲି ଯେପରି ବ୍ୟାଟିଂ କରିଆସିଛନ୍ତି ତାହା ବଜାୟ ରଖିବା ଟିମ୍ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ହେବ। କୋହଲି ବର୍ତ୍ତମାନ ସୁଦ୍ଧା ୬୦୨ ରନ୍ କରିଛନ୍ତି, ଯାହା ଚଳିତ ସିଜନ୍‌ର ଆର୍‌ସିବି ପାଇଁ ସର୍ବାଧିକ। ଲିଗ୍ ଚରଣରେ ଆର୍‌ସିବି ଏହି ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସ୍ ବିପକ୍ଷ ନିଜ ବିଜୟରୁ ପ୍ରେରଣା ନେବାକୁ ଚେଷ୍ଟା କରିବ। ଏଠାରେ ପିଚ୍‌ର ବ୍ୟବହାର ବର୍ତ୍ତମାନ ପର୍ଯ୍ୟନ୍ତ ଅପ୍ରତ୍ୟାଶିତ ରହିଛି। ଏଠାରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ କେବଳ ଥରେ ୨୦୦ ରନ୍ ହୋଇଛି। ଏହା ସତ୍ତ୍ୱେ ପଞ୍ଜାବ କିଙ୍ଗ୍‌ସକୁ ନିଜ ଘରୋଇ ପଡ଼ିଆ ଉପରେ ଭରସା ରହିବ। କାରଣ ଗତ ମାସରେ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷରେ ଟିମ୍ ୧୧୧ ରନ୍‌ର ଲକ୍ଷ୍ୟକୁ ସଫଳତାର ସହ ଡିଫେଣ୍ଡ୍ କରିଥିଲା। ଉଭୟ ଟିମ୍ ଏହି ପ୍ରଥମ ପାହାଚରୁ ହିଁ ଫାଇନାଲ୍‌ରେ ସ୍ଥାନ ହାସଲ ପାଇଁ ଉଦ୍ୟମ କରିବେ। ଏହି ମ୍ୟାଚ୍‌ର ପରାଜିତ ଟିମ୍ ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ଥିବା ଏଲିମିନେଟର୍‌ର ବିଜେତାକୁ ଭେଟିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking