27.1 C
Bhubaneswar
Saturday, December 6, 2025
Homeଓଡିଶାଶ୍ରମମନ୍ତ୍ରୀଙ୍କ ଅଚାନକ ନୟାପଲ୍ଲୀ ଶ୍ରମିକ ହାଟ ପରିଦର୍ଶନ

ଶ୍ରମମନ୍ତ୍ରୀଙ୍କ ଅଚାନକ ନୟାପଲ୍ଲୀ ଶ୍ରମିକ ହାଟ ପରିଦର୍ଶନ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ଲୋକଙ୍କ ଦ୍ୱାର ନିକଟରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେବଳ ଅଭିଯୋଗ ଶୁଣିବା ନୁହେଁ ବରଂ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ମଧ୍ୟ କରାଯାଉଛି । ସେବା, ସମର୍ପଣ ଓ ସୁଶାସନର ବିଚାରଧାରା ଆଧାରରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ସମାଜରେ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ମଧ୍ୟ ଯେପରି ସମସ୍ତ ସରକାରୀ ସୁବିଧା ଓ ସରକାରୀ ଯୋଜନା ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯାଉଛି । ବର୍ତ୍ତମାନର ରାଜ୍ୟ ସରକାର ବାସ୍ତବରେ ଲୋକଙ୍କ ସରକାର । ଗରିବଙ୍କ ପାଇଁ ସମ୍ବେଦନଶୀଳ ସରକାର । ସବା ତଳ ପାହାଚରେ ଥିବା ଲୋକଙ୍କ ପାଇଁ ସଦା ସମର୍ପିତ ସରକାର । ଶ୍ରମିକ ଭାଇଭଉଣୀମାନଙ୍କର ସମସ୍ୟାଗୁଡିକ ବାସ୍ତବ କ୍ଷେତ୍ରରେ ହୃଦୟଙ୍ଗମ କରି ସେଗୁଡ଼ିକର  ସମାଧାନ  ଦିଗରେ  ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସକାଳେ ଅଚାନକ ନୟାପଲ୍ଲୀ ଶ୍ରମିକ ହାଟ ପରିଦର୍ଶନ କରିଥିଲେ ।  ଶ୍ରମ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ସରକାରୀ ଯୋଜନା ଓ ତା’ର ସୁଫଳ ଶ୍ରମିକମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ ଏବଂ ସେମାନଙ୍କ ଜାଗରୁକତା ଦେଖିବା ଶ୍ରମମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନର ମୁଖ୍ୟ ଆଭିମୁଖ୍ୟ ଥିଲା ।

ଶ୍ରମିକ ହାଟରେ ଶ୍ରମିକମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ବିଶଦ ଭାବେ ପଚାରି ବୁଝିଥିଲେ ।  ବହୁ ଶ୍ରମିକଙ୍କ ଏପର୍ଯ୍ୟନ୍ତ ଲେବର କାର୍ଡ ନ ଥିବା ବିଷୟରେ ସେ ଅବଗତ ହୋଇଥିଲେ । ଶ୍ରମିକ ଭାବେ ପଞ୍ଜୀକୃତ ନ ହେଲେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ଶିକ୍ଷା ସହାୟତା, ବିବାହ ସହାୟତା, ମାତୃତ୍ୱକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ଆଦି ଯେଉଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ସେଗୁଡିକ ପାଇବାରୁ ସେମାନେ ବଞ୍ଚିତ ହେବେ ବୋଲି ମନ୍ତ୍ରୀ ବୁଝାଇଥିଲେ । ଶ୍ରମିକଙ୍କ ପାଇଁ ସେଠାରେ ହେଲ୍ପ ଡ଼େସ୍କ ଖୋଲାଯାଇ ତୁରନ୍ତ ସେମାନଙ୍କ ପଞ୍ଜୀକରଣ କରି ଶ୍ରମିକ କାର୍ଡ ପ୍ରଦାନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ଆବେଦନପତ୍ରକୁ ଗ୍ରହଣ କରିବା ଏବଂ ତା ଉପରେ ତୁରନ୍ତ ପଦକ୍ଷେପ ନେବା, ଶ୍ରମିକ ଭାଇଭଉଣୀମାନଙ୍କର ସମସ୍ୟା ଶୁଣିବା ସହିତ ଏହାର ତ୍ୱରିତ ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ସମସ୍ତ ଶ୍ରମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ମନ୍ତ୍ରୀ ଡୁମଡୁମାସ୍ଥିତ ବହୁମୁଖୀ ଶ୍ରମିକ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଶ୍ରମିକମାନଙ୍କ ଠାରୁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଗ୍ରହଣ କରି ତା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ଶ୍ରମ ଆୟୁକ୍ତ  ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ,  ଯୁଗ୍ମ ଶ୍ରମ ଆୟୁକ୍ତ ଭୁବନେଶ୍ୱର ଶ୍ରୀ ପ୍ରଣବ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଶ୍ରୀ  ପ୍ରଭାକର ବିଶ୍ୱାଳ , ଜିଲ୍ଲା ଶ୍ରମ ଅଧିକାରୀ ( କଲ୍ୟାଣ ) ଶ୍ରୀମତୀ ମୋନାଲିସା ଜେନା ସମେତ ଖୋର୍ଦ୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ  ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ କୌଣସି ଶ୍ରମମନ୍ତ୍ରୀ ପୂର୍ବରୁ ଶ୍ରମିକ ହାଟ ପରିଦର୍ଶନ କରି ନ ଥିବା ବେଳେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏହି ପରିଦର୍ଶନ ଶ୍ରମିକମାନଙ୍କ ଦ୍ଵାରା ବେଶ ଆଦୃତ ଓ ପ୍ରଶଂସିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking