22.1 C
Bhubaneswar
Friday, February 13, 2026
Homeଓଡିଶାଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ଆସର ଆୟୋଜିତ

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ଆସର ଆୟୋଜିତ

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ସଂଗୀତ ଜଗତର ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଜୟନ୍ତୀ ଉପଲକ୍ଷେ ଆଜି ଓଡ଼ିଶୀ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଓଡ଼ିଶୀ ଆସର” ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର, ସଂଗୀତ ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ନିମାକାନ୍ତ ରାଉତରାୟ, ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ, ଗୁରୁ ଲୀନା ନନ୍ଦ ପ୍ରମୁଖ ଗୁରୁ ସିଂହାରୀ ଶ୍ୟାମସୁନ୍ଦରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ବନ୍ଦିତା ରାୟ ଓ ସାଥୀ (ଭୁବନେଶ୍ୱର) ଏବଂ ଅଚ୍ୟୁତ ମହାରଣା ଓ ସାଥୀ (ପୁରୀ) ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଦ୍ୱାରା ରଚିତ ଓଡ଼ିଶୀ ସଂଗୀତକୁ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରିଥିଲେ।

ପ୍ରାରମ୍ଭିକ ପରିବେଷଣରେ କଣ୍ଠଶିଳ୍ପୀ ବନ୍ଦିତା ‘ଚାହିଁଦେଲି କିଞ୍ଚିତରେ’ (ରାଗ-ଆଶାବରୀ),‘କେ ମୂରଲୀ ବଜାଉଛି’ (ରାଗ-ବଜ୍ରକାନ୍ତୀ) ଓ ‘ମନ୍ଦହାସିନୀରେ କୁନ୍ଦ ପସନ୍ଦ ଦଶନା’ (ରାଗ- ବିଲାହାରୀ) ଆଦି ସଂଗୀତ ପରିବେଷଣ କରିଥିବାବେଳେ ଗୁରୁ ଅଚ୍ୟୁତ ମହାରଣା ‘ସାଜସଜ’ (ରାଗ-ମୁଖାରୀ) ‘ଚାହଁ ଚାହଁ ଦୂତୀ’ (ରାଗ-ମିଶ୍ର କାଫି) ଏବଂ ‘ବାରିଜାଖି ମନରୁ ମାନ’ (ରାଗ-ମିଶ୍ର ପିଲୁ) ଆଦି ସଂଗୀତକୁ ପରିବେଷଣ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଆଜି ଅନୁଷ୍ଠିତ ହୋଇଥିବା ଓଡ଼ିଶୀ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଓଡ଼ିଶୀ ଆସର” ଦର୍ଶକ ମହଲରେ ବେଶ ଆଦୃତି ଲାଭ କରିପାରିଛି। ଓଡ଼ିଶୀ ନୃତ୍ୟ ଓ ସଂଗୀତର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରତି ମାସରେ ଓଡ଼ିଶୀ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking