ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନୀତୀଶ କୁମାର ସରକାର ସୋମବାର ୩.୧୭ ଲକ୍ଷ କୋଟି ଟଙ୍କାର ଚୂଡ଼ାନ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ମଙ୍ଗଳବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ବିଧାନସଭାରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷକରି ସେ ବିରୋଧୀ ଦଳ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ୍ କରିଥିଲେ। ନୀତୀଶ କହିଥିଲେ, ପୂର୍ବରୁ ବିହାରରେ କ’ଣ ଥିଲା? ବିଶେଷକରି ୧୯୯୪ରୁ ୨୦୦୫ ଯାଏ ଯେତେବେଳେ ଆରଜେଡି କ୍ଷମତାରେ ଥିଲା ସେତେବେଳେ ରାଜ୍ୟର କିଛି ବି ବିକାଶ ହୋଇନଥିଲା। କିନ୍ତୁ ସେ (ନୀତୀଶ ନିଜେ) ବିହାର ମୁଖ୍ୟମନ୍ତ୍ରୀ ହେବା ସମୟରେ ବିହାରରେ ଡାକ୍ତରଖାନା ନିର୍ମାଣ କରାଯାଇଛି, ରାସ୍ତା ନିର୍ମାଣ କରାଯାଇଛି, ଏବଂ ପୋଲିସ ଫୋର୍ସ ସଂଖ୍ୟା ବୃଦ୍ଧି କରାଯାଇଛି।
ପୂର୍ବରୁ ବିହାର ପଛୁଆ ରାଜ୍ୟ ଭାବେ ବିବେଚିତ ହେଉଥିଲା, କିନ୍ତୁ ବିହାର ଏବେ ଏକ ବିକାଶଶୀଳ ରାଜ୍ୟ ହୋଇପାରିଛି। ଏବେ ୪ ଘଣ୍ଟା ମଧ୍ୟରେ ବିହାରର ଯେକୌଣସି ପ୍ରାନ୍ତରୁ ପାଟନାରେ ପହଞ୍ଚିବା ସମ୍ଭବ ହୋଇପାରୁଛି। ଲାଲୁଙ୍କ ଆରଜେଡି ଶାସନ କାଳରେ ବିହାରରେ କିଛି ହୋଇନଥିଲା, କେବଳ ଜାତି ଓ ଧର୍ମକୁ ନେଇ ବିବାଦ ଲାଗି ରହିଥିଲା। ତଥାପି ସେ (ନୀତୀଶ ନିଜେ) ଲାଲୁଙ୍କୁ ସମର୍ଥନ କରିଥିଲେ ଏବଂ ଲାଲୁ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ଏପରିକି ତାଙ୍କ ନିଜ ଲୋକେ ତାଙ୍କୁ ପ୍ରଶ୍ନ କରୁଥିଲେ ଯେ, ସେ କାହିଁକି ଏପରି କରୁଛନ୍ତି, କିନ୍ତୁ ସେ ନିଜ ଲୋକଙ୍କ କଥା ଶୁଣିନଥିଲେ ଏବଂ ଲାଲୁଙ୍କୁ ସମର୍ଥନ କରିଥିଲେ।
କେବଳ ଲାଲୁ କାହିଁକି ତାଙ୍କୁ (ତେଜସ୍ୱୀ) ମଧ୍ୟ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଇଛନ୍ତି ବୋଲି ନୀତୀଶ ତେଜସ୍ୱୀଙ୍କୁ କହିଛନ୍ତି। ଏହି ଅବସରରେ ତେଜସ୍ୱୀ ବିଧାନସଭାରେ ନୀତୀଶଙ୍କୁ କଟାକ୍ଷ କରି କିଛି କହିଥିଲେ ଯାହାର ଜବାବରେ ନୀତୀଶ ତାଙ୍କୁ କହିଥିଲେ ଯେ, ‘ତୁମେ ପିଲାଲୋକ, ବିହାରର ରାଜନୀତି ସମ୍ପର୍କରେ କିଛି ବି ଜାଣିନାହଁ, ବାସ୍ତବରେ ମୁଁ ହିଁ ତୁମ ବାପା (ଲାଲୁ)ଙ୍କୁ ଗଢିଥିଲି, ଆଉ ତୁମକୁ ବି ଗଢ଼ିଛି। ତୁମେ ଦୁଇଥର ଗଡ଼ବଡ଼ କରିଥିଲ, ସେଥିପାଇଁ ହଟାଇବାକୁ ବାଧ୍ୟ ହୋଇଥିଲି।’ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଓ ସ୍ଲୋଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଆମେ ଏକାଠି ଅଛୁ ଏବଂ ଏବେ ଏକାଠି ରହିବୁ।










