25.1 C
Bhubaneswar
Saturday, December 6, 2025
Homeଓଡିଶାସତ୍ୟବାଦୀ ଥିଲା ଓଡ଼ିଆ ନବଜାଗରଣ ଓ ଜାତୀୟ ଚେତନାର କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ସତ୍ୟବାଦୀ ଥିଲା ଓଡ଼ିଆ ନବଜାଗରଣ ଓ ଜାତୀୟ ଚେତନାର କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର । ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ । ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ୱତନ୍ତ୍ରତାର ବାର୍ତ୍ତାବହକ ଥିଲେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାକ୍ଷୀଗୋପାଳ ଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।

ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମଗ୍ର ଓଡ଼ିଶାକୁ ଶିକ୍ଷାର ଜ୍ୟୋତିରେ ଆଲୋକିତ କରୁଥିବା ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ବିଦ୍ୟାଳୟର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବର୍ତ୍ତମାନର ପିଢ଼ିକୁ ଅବଗତ କରାଇବା ପାଇଁ ବକୁଳ ବନରେ ଏହାର ମୌଳିକ ଢାଞ୍ଚା ଅନୁରୂପ ଶିକ୍ଷା ପରିବେଶ ବିକଶିତ କରାଯିବ । ବକୁଳ ବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ଓ ବିକାଶ କରାଯାଇ ଏହାକୁ ଏକ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ବୋଲି ସେ କହିଥିଲେ । ସେ ପୁଣି କହିଥିଲେ, ଏଥିସହିତ ସାକ୍ଷୀଗୋପାଳ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ମଧ୍ୟ ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସେ ସମୟରେ ଓଡ଼ିଶାର ଏକ ମଣିଷ ତିଆରି କାରଖାନା । ପଣ୍ଡିତ ଗୋପବନ୍ଧୁଙ୍କ ତତ୍ତ୍ୱାବଧାନରେ ଗୁରୁମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ଫଳରେ ଏହି ବନ ବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ଆଦର୍ଶ ଶିକ୍ଷାକେନ୍ଦ୍ର ଭାବରେ ପରିଗଣିତ ହେଉଥିଲା । ଏହି ବିଦ୍ୟାଳୟ ଛାତ୍ରମାନଙ୍କୁ ଚରିତ୍ରବାନ୍‍, ସେବା ପରାୟଣ ଓ ସ୍ୱାର୍ଥତ୍ୟାଗୀ କରି ଗଢ଼ି ତୋଳୁଥିଲା ଫଳରେ ସେମାନେ ମାନବ ସେବାକୁ ପ୍ରକୃତ ସେବା ଭାବେ ଗ୍ରହଣ କରୁଥିଲେ ।  ସତ୍ୟବାଦୀ ମହୋତ୍ସବରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବିଶ୍ୱ ବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ମହୋତ୍ସବରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉନ୍ନତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସତ୍ୟବାଦୀ ଠାରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତ୍ୱରାନିତ କରାଯିବ । ଏହାକୁ ଓଡ଼ିଆ ଭାଷା ସାହିତ୍ୟର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ । ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସତ୍ୟବାଦୀର ଇତିହାସକୁ ଅବତାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶ ସ୍ୱାଧୀନତାର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ପଞ୍ଚସଖା ସତ୍ୟବାଦୀ ବନ ବିଦ୍ୟାଳୟ ପରିଚାଳନା କରିବା ସହିତ ନିଜ ନିଜ ଲେଖନୀ ଚାଳନା ବଳରେ ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ଏଠାରୁ ଇନ୍ଧନ ଯୋଗାଉଥିଲେ । ପ୍ରାଚୀନ ଗୁରୁକୁଳ ଆଦର୍ଶରେ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ ଆଭିମୁଖ୍ୟ ରଖିଥିବା ଏହି ବନ ବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ଅଟଳ ମନୋବୃତ୍ତି, ନୀଳକଣ୍ଠଙ୍କ ସାଙ୍ଗଠନିକ ଶକ୍ତି, ଗୋଦାବରୀଶଙ୍କ ଶିକ୍ଷାଦାନର ଆଦର୍ଶ, କୃପାସିନ୍ଧୁଙ୍କ ଐତିହ୍ୟ ଓ ପରମ୍ପରା ପ୍ରତି ଅଗାଧ ବିଶ୍ୱାସ ଏବଂ ଆଚାର୍ଯ୍ୟ ହରିହରଙ୍କ ଋଷିପ୍ରାଣତା ଓ ପିତୃସୁଲଭ ବାତ୍ସଲ୍ୟ ମନୋଭାବ ଶିଷ୍ୟମାନଙ୍କୁ ବାନ୍ଧି ରଖିଥିଲା ଓ ଅନୁପ୍ରାଣିତ କରୁଥିଲା । ଓଡ଼ିଆ ଭାଷା ସାହିତ୍ୟକୁ ମଧ୍ୟ ସତ୍ୟବାଦୀର ଅବଦାନ ଅତୁଳନୀୟ । ସତ୍ୟବାଦୀ ସାହିତ୍ୟ ଥିଲା ଓଡ଼ିଆ ଜାତି ଗଠନର ପ୍ରେରଣା ଓ ପ୍ରୋତ୍ସାହନ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ୮ ମାସ ମଧ୍ୟରେ ଆମ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । ସୁଭଦ୍ରା ଯୋଜନାରେ ୯୮ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇଥିବା ୭୦ ରୁ ଉର୍ଦ୍ଧ୍ୱ ଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନଙ୍କୁ ପୁରୀର ସୌନ୍ଦର୍ଯ୍ୟ ବିମୋହିତ କରିଛି । ବିକଶିତ ଓ ସମୃଦ୍ଧ ଓଡ଼ିଶାର ଏକ ପ୍ରମୁଖ ଅଂଶ ପୁରୀ ଜିଲ୍ଲାର ବିକାଶରେ ସତ୍ୟବାଦୀର ପ୍ରମୁଖ ଭୂମିକା ରହିବ । ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ଓ ମୌଳିକ ସୁବିଧା ସୁଯୋଗର ବିକାଶ କରାଯାଇ ସତ୍ୟବାଦୀକୁ ବିକଶିତ ଓଡ଼ିଶା ଗଠନର ମୁଖ୍ୟ ସ୍ରୋତରେ ସାମିଲ କରାଯିବ । କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ୱିତ ପାତ୍ର, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‍ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସତ୍ୟବାଦୀର ବିକାଶ ସହିତ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ପୁରଣ ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking