20.1 C
Bhubaneswar
Thursday, December 18, 2025
Homeଓଡିଶାପୋଲିସ ମିତ୍ରଙ୍କ ହତ୍ୟା ଘଟଣାରେ, ପରିବାରକୁ ୧ କୋଟିର କ୍ଷତିପୂରଣ ଦାବୀ କଲା ବିଜେଡି

ପୋଲିସ ମିତ୍ରଙ୍କ ହତ୍ୟା ଘଟଣାରେ, ପରିବାରକୁ ୧ କୋଟିର କ୍ଷତିପୂରଣ ଦାବୀ କଲା ବିଜେଡି

 ପୋଲିସ ମିତ୍ରକୁ ସୁରକ୍ଷା ପ୍ରଦାନ କରି ନପାରିବା ପୋଲିସର ବିଫଳତା
 ସାଧାରଣ ଲୋକଙ୍କ ସୁରକ୍ଷା ଆଜି ପ୍ରଶ୍ନବାଚୀ
 ହତ୍ୟାକାରୀଙ୍କ ସହିତ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଉ
ଭୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଗତକାଲି ଘଟିଥିବା ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କ ବିଭତ୍ସ ହତ୍ୟା ଘଟଣାରେ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଖୋଜି ବାହାର କରିବାର ଆବଶ୍ୟକ ଅଛି ବୋଲି କହିବା ସହିତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି।
ଶ୍ରୀ ଅନନ୍ତ ନାରାୟଣ ଜେନା କହିଥିଲେ, ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଜଣେ ପୋଲିସ ମିତ୍ରଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି। ଜଣେ ପୋଲିସ ମିତ୍ରଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପୋଲିସ ବିଫଳ ହେବା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ। ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଯଦି ଜଣେ ପୋଲିସ ମିତ୍ରଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ ହେଉଛି ତାହେଲେ ସାଧାରଣ ଲୋକଙ୍କୁ ପୋଲିସ କିପରି ସୁରକ୍ଷା ପ୍ରଦାନ କରିବ।
ଶ୍ରୀ ଜେନା ଆହୁରି କହିଥିଲେ, ଏହି ହତ୍ୟା ଘଟଣାରୁ ରାଜ୍ୟରେ ବ୍ରାଉନ ସୁଗାର ବେପାର ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି ସ୍ପଷ୍ଟ ହେଉଛି। ଗତ କାଲି ହତ୍ୟାରେ ବ୍ରାଉନ ସୁଗାର ବେପାରରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଛି। ପୋଲିସ ଜଣେ ପୋଲିସ ମିତ୍ରକୁ ସୁରକ୍ଷା ଦେବାରେ ବିଫଳ ହୋଇଛି, ଯେଉଁଥିପାଇଁ ରାଜ୍ୟବାସୀଙ୍କ ମନରେ ପୋଲିସ ପ୍ରତି ଥିବା ଭରସାରେ ଆଞ୍ଚ ଆସିଛି। ତେଣୁ, ମୃତକ ସହଦେବଙ୍କ ପରିବାରକୁ ରାଜ୍ୟ ପୋଲିସ ତରଫରୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ବୋଲି ବିଜୁ ଜନତା ଦଳ ତରଫରୁ ଆମେ ଦାବୀ କରୁଛୁ।

ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ଏଭଳି ଏକ ବିଭତ୍ସ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିବାରୁ, ଭୁବନେଶ୍ୱର ମେୟର ଭାବେ ମୁଁ ଲଜ୍ଜିତ ଓ ମର୍ମାହତ। ସହଦେବ ନାୟକ ସଫେଇ କର୍ମଚାରୀ ସଙ୍ଘର ସଭାପତି ଭାବେ ଭୁବନେଶ୍ୱରକୁ ପରିଷ୍କାର ପରିଛନ୍ନ ରଖିବା କାର୍ଯ୍ୟରେ ନେତୃତ୍ୱ ନେଉଥିଲେ। ତାଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ଓ ତାଙ୍କ ପତ୍ନୀଙ୍କୁ ଚାକିରୀ ଦିଆଯାଉ।
ଶ୍ରୀ ସୁଶାନ୍ତ ରାଉତ କହିଥିଲେ, ସହରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଆସିବାକୁ ଥିବା ବେଳେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ, ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେଣୁ ପୋଲିସ ଘଟଣାର ରହସ୍ୟକୁ ଉନ୍ମୋଚନ କରିବା ସହିତ ଷଡ଼ଯନ୍ତ୍ରକାରୀଙ୍କୁ ମଧ୍ୟ ଲୋକଲୋଚନକୁ ଆଣୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking