28.1 C
Bhubaneswar
Sunday, March 29, 2026
Homeଓଡିଶାଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଏବେ ରାଜ୍ୟବାସୀଙ୍କ ମୁଣ୍ଡବିନ୍ଧାର କାରଣ: ବିଜେଡି

ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଏବେ ରାଜ୍ୟବାସୀଙ୍କ ମୁଣ୍ଡବିନ୍ଧାର କାରଣ: ବିଜେଡି

 ମୁଦ୍ରାସ୍ଫୀତି ବୃଦ୍ଧିରେ ନୂଆ ରେକର୍ଡ
 ଖାଦ୍ୟ ସାମଗ୍ରୀ ମୁଦ୍ରାସ୍ଫୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ
 ଉଜ୍ୱଳା ଯୋଜନା ଏବେ ଧୂଆଁବାଣ
ଭୁବନେଶ୍ୱର, : ଅତ୍ୟାବଶକୀୟ ଜିନିଷର ଅହେତୁକ ଦର ବୃଦ୍ଧି ପ୍ରସଙ୍ଗରେ ବିଜୁ ଜନତା ଦଳ ତରଫରୁ ଜାନୁଆରୀ ୬ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଏକ ଗଣ ବିକ୍ଷୋଭ ହେବାକୁ ଥିବା ବେଳେ, ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଓ ଛାତ୍ର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି।
ଶ୍ରୀମତୀ ଛୁରିଆ କହିଥିଲେ, ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ଜନ ସାଧାରଣଙ୍କୁ ଅତିଷ୍ଠ କଲାଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ମୁଦ୍ରାସ୍ଫୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ନଅ ମାସରେ ସବୁଠାରୁ ଅଧିକ। ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ଫୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ। ପନି ପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ମଧ୍ୟ ୬.୬୮ ପ୍ରତିଶତକୁ ଛୁଇଁଛି। ଦେଶରେ ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଉଜ୍ୱଳା ଯୋଜନା ମହିଳା ମାନଙ୍କୁ ଧୂଆଁରୁ ମୁକ୍ତି ମିଳିବ ବୋଲି କୁହା ଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ଏହା ଏକ ନିର୍ବାଚନୀ ଧୂଆଁବାଣ ଥିଲା ବୋଲି ଜଣା ପଡ଼ିଥିଲା।
ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଓଡ଼ିଶାର ମୁଦ୍ରାସ୍ଫୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଓଡିଶାର ମୁଦ୍ରାସ୍ଫୀତି ୬.୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ରାଜ୍ୟ ମାନଙ୍କ ଭିତରେ ମୁଦ୍ରାସ୍ଫୀତି ବୃଦ୍ଧି ତାଲିକାରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରେ ସାତଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି। ଛତିଶଗଡ଼, ବିହାର, ଓଡିଶା ଓ ୟୁପି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ପଞ୍ଚମ ସ୍ଥାନରେ ଅଣ ବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି। ମଧ୍ୟପ୍ରଦେଶ, ଗୁଜରାଟ ଓ ହରିଆନା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି।
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ମାନେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଦରଦାମ ବୃଦ୍ଧି ଯୋଗୁ ଜନ ସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ବରଂ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ରାଜ୍ୟ ସରକାର ଜନ ସାଧାରଣଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି।
ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ସେହିପରି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହିସାବରେ ଦେଶର ପେଟ୍ରୋଲ ଓ ଡିଜେଲ ଦର ସ୍ଥିର କରାଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ହେଲେ  ଆନ୍ତର୍ଜାତୀୟ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ଦେଶରେ ପେଟ୍ରୋଲ ଡିଜେଲ ଦର ବଢ଼ୁଛି ବା ଅପରିବର୍ତ୍ତିତ ରହୁଛି। ସରକାର ଯେ ଦରଦାମ ନିୟନ୍ତ୍ରଣ ପାଇଁ ଆଦୌ ଚିନ୍ତିତ ବା ଚେଷ୍ଟିତ ନୁହଁନ୍ତି, ଏଥିରୁ ସ୍ପଷ୍ଟ ହେଉଛି। ତେଣୁ ଏହି ଅହେତୁକ ଦରବୃଦ୍ଧିର ପ୍ରତିବାଦରେ, ଆସନ୍ତା କାଲି ଏକ ଗଣ ବିକ୍ଷୋଭ କରାଯିବ। ଦରବୃଦ୍ଧି ନିୟନ୍ତ୍ରଣକୁ ଆଣିବାରେ ସରକାର ବିଫଳ ହେଲେ ଆଗାମୀ ଦିନରେ ରାଜ୍ୟର ପ୍ରତି ବ୍ଲକ ଓ ପ୍ରତି ପଞ୍ଚାୟତ ସ୍ତରରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking