19.1 C
Bhubaneswar
Wednesday, December 24, 2025
Homeଓଡିଶା୨୦୨୩-୨୪ ଶିକ୍ଷାବର୍ଷରେ ନୂତନ ଶିକ୍ଷାର୍ଥୀଙ୍କ ସଂଖ୍ୟା ଦେଶରେ କମିଥିବା ବେଳେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ...

୨୦୨୩-୨୪ ଶିକ୍ଷାବର୍ଷରେ ନୂତନ ଶିକ୍ଷାର୍ଥୀଙ୍କ ସଂଖ୍ୟା ଦେଶରେ କମିଥିବା ବେଳେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ ବୃଦ୍ଧି ଘଟିଛି

 ନବୀନ ସରକାରଙ୍କ ଉତ୍ତମ ଶିକ୍ଷା ନୀତିର ସୁଫଳ
 ଶୂନ ଶିକ୍ଷାର୍ଥୀ ବିଦ୍ୟାଳୟ ସଂଖ୍ୟା ୩୩ରୁ ୮କୁ ହ୍ରାସ
 ରାଜ୍ୟରେ ସରକାରୀ ସ୍କୁଲର ଶିକ୍ଷାର୍ଥୀଙ୍କ ସଂଖ୍ୟା ଘରୋଇ ସ୍କୁଲର ଶିକ୍ଷାର୍ଥୀଙ୍କ ସଂଖ୍ୟା ଠାରୁ ଢେର ଅଧିକ
ଭୁବନେଶ୍ୱର,: ନିକଟରେ ପ୍ରକାଶିତ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସଂସ୍ଥା ୟୁନିଫାଏଡ଼ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ୍‌ର ରିପୋର୍ଟ ଅନୁଯାୟୀ ଓଡିଶା ୨୦୨୧-୨୨ ଶିକ୍ଷାବର୍ଷ ତୁଳନାରେ ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାୟ ୧ ଲକ୍ଷ ଅଧିକ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବାକୁ ସମର୍ଥ ହୋଇଛି। ଉଲ୍ଲେଖଯୋଗ୍ୟ, ଦେଶରେ ନୂତନ ଶିକ୍ଷାର୍ଥୀଙ୍କ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ କମୁଥିବା ବେଳେ, ଓଡିଶା ନୂତନ ଶିକ୍ଷାର୍ଥୀଙ୍କ ସଂଖ୍ୟାକୁ ବୃଦ୍ଧି କରିବାରେ ସଫଳ ହୋଇଛି। ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ଦେଶର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ ସରକାରୀ ସ୍କୁଲରେ ପଢ଼ୁଥିବା ଶିକ୍ଷାର୍ଥୀଙ୍କ ସଂଖ୍ୟା ଘରୋଇ ସ୍କୁଲରେ ପଢ଼ୁଥିବା ଶିକ୍ଷାର୍ଥୀଙ୍କ ଠାରୁ ଢେର ଅଧିକ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏହି ରିପୋର୍ଟକୁ ଆଧାର କରି ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଓଡ଼ିଶାର ଏହି ଉପଲବ୍ôଧ ନବୀନ ସରକାରଙ୍କ ଉପଯୁକ୍ତ ଶିକ୍ଷାନୀତିର ପରିଣାମ ବୋଲି ଦର୍ଶାଯାଇଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ବିବୃତିରେ କହିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ ମଧ୍ୟ ନିଜ ସରକାରଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ୱାର ୨୪ ବର୍ଷର ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି। କିନ୍ତୁ ନବୀନ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାମ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ରିପୋର୍ଟରେ ବାରମ୍ୱାର ପ୍ରତିଫଳିତ ହେଉଛି। ନିକଟରେ ପ୍ରକାଶିତ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏହି ରିପୋର୍ଟ ରାଜ୍ୟରେ ଗତ ଶିକ୍ଷାବର୍ଷରେ ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇଛନ୍ତି ବୋଲି ସ୍ପଷ୍ଟ ହୋଇଛି।
ଏହି ରିପୋର୍ଟ ଅନୁଯାୟୀ ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୬୧,୬୯୩ ବିଦ୍ୟାଳୟରେ ୭୭.୫ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ୬୧,୮୯୧ ବିଦ୍ୟାଳୟରେ ୭୬.୪ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଥିଲେ। ୨୦୨୩-୨୪ ଶିକ୍ଷାବର୍ଷରେ ସମଗ୍ର ଦେଶରେ ଶିକ୍ଷାର୍ଥୀଙ୍କ ନାମଲେଖା ସଂଖ୍ୟା ପ୍ରାୟ ୩୭ ଲକ୍ଷକୁ ହ୍ରାସ ପାଇଥିବା ବେଳେ ଏହା ଓଡ଼ିଶାରେ ପ୍ରାୟ ୧ ଲକ୍ଷକୁ ବୃଦ୍ଧି ପାଇଛି। ଏହି ରିପୋର୍ଟ ଅନୁଯାୟୀ ଓଡିଶାରେ ନାମ ଲେଖାଉଥିବା ଶିକ୍ଷାର୍ଥୀଙ୍କ ପ୍ରତିଶତ ଠାରୁ ରାଜ୍ୟର ବିଦ୍ୟାଳୟ ସଂଖ୍ୟାର ପ୍ରତିଶତ ଅଧିକ ରହିଛି। ସମଗ୍ର ଦେଶରେ ଓଡିଶା ସମେତ ମାତ୍ର ୯ଟି ରାଜ୍ୟରେ ଏଭଳି ସ୍ଥିତି ରହିଛି।
ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷରେ ଶୂନ ଶିକ୍ଷାର୍ଥୀ ଥିବା ସ୍କୁଲ ସଂଖ୍ୟା ୩୩ ଥିଲା, ଯାହା ୨୦୨୩-୨୪ ବେଳକୁ ୮କୁ ଖସିଆସିଛି। ସେହିପରି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡିଶାରେ ଘରୋଇ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ସଂଖ୍ୟା ସରକାରୀ ବିଦ୍ୟାଳୟ ଠାରୁ କମ୍ ରହିଛି। ରାଜ୍ୟରେ ସମୁଦାୟ ୪୮,୬୭୧ଟି ସରକାରୀ ବିଦ୍ୟାଳୟ ଥିବାବେଳେ ଏଥିରେ ପ୍ରାୟ ୫୨ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି। ସେହିପରି ରାଜ୍ୟରେ ପ୍ରାୟ ୬୦୪୨ଟି ଘରୋଇ ବିଦ୍ୟାଳୟ ଥିବା ବେଳେ ଏଥିରେ ପ୍ରାୟ ୧୪.୮ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking