25.1 C
Bhubaneswar
Monday, February 23, 2026
Homeଓଡିଶାଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା; ୱେବସାଇଟ୍‌ରେ ରିଭାଇଜ୍‌ଡ ମେରିଟ ଲିଷ୍ଟ ଅପ୍‌ଲୋଡ୍ କର: ହାଇକୋର୍ଟ

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା; ୱେବସାଇଟ୍‌ରେ ରିଭାଇଜ୍‌ଡ ମେରିଟ ଲିଷ୍ଟ ଅପ୍‌ଲୋଡ୍ କର: ହାଇକୋର୍ଟ

କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)ର ସଚିବ ସତ୍ୟବ୍ରତ ରାୟ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ସୋମବାର ହାଜର ହୋଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଓପିଏସ୍‌ସି ୱେବସାଇଟ୍‌ରେ ଡେଣ୍ଟାଲ ସର୍ଜନ ନିଯୁକ୍ତିର ରିଭାଇଜ୍‌ଡ ମେରିଟ ଲିଷ୍ଟ ଅପ୍‌ଲୋଡ୍ ପାଇଁ ଆଦେଶ ଦେଇଛନ୍ତି। ଉକ୍ତ ଲିଷ୍ଟରେ ୧୧୦୪ ଜଣଙ୍କ ମେଧା ତାଲିକା ରହିବ। ଏଥିସହ ଡେଣ୍ଟାଲ ସର୍ଜନ ପାଇଁ ୨୦୧୭ ବିଜ୍ଞପ୍ତି ବଳରେ କେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ତା’ର ତାଲିକା ସତ୍ୟପାଠ ଆକାରରେ ଆଗାମୀ ଶୁଣାଣିରେ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ପରବର୍ତ୍ତି ଶୁଣାଣି ନିମନ୍ତେ ଅ।ଗାମୀ ନଭେମ୍ବର ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀ ଅନୁସାରେ, ଡେଣ୍ଟାଲ ସର୍ଜନ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ଓପିଏସ୍‌ସି ପକ୍ଷରୁ ୧୭୧ ଜଣଙ୍କ ମେରିଟ୍ ଲିଷ୍ଟ ପଠାଯାଇଥିଲା। ତନ୍ମଧ୍ୟରୁ ୫ ଜଣ ଚାକିରିରେ ଯୋଗ ନଦେବାରୁ ରାଜ୍ୟ ସରକାର ଆଉ ୫ ଜଣଙ୍କ ନାମ ପଠାଇବା ନିମନ୍ତେ ଓପିଏସ୍‌ସିକୁ ଚିଠି ଦେଇଥିଲେ। ତଦନୁସାରେ ଆଉ ୫ ଜଣଙ୍କ ନାମ ଓପିଏସ୍‌ସି ସରକାରଙ୍କୁ ପଠାଇଥିଲା। ହେଲେ ୨୦୨୨ରେ ବିଶେଷଜ୍ଞ କମିଟି ପରାମର୍ଶରେ ସଂଶୋଧନ କରାଯାଇ ୮ ଜଣଙ୍କ ନାମ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟରୁ ବାଦ୍ ପଡ଼ିଥିଲା। ଏଥିସହ ପୁଣି ୩ ଜଣଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣଙ୍କ ତାଲିକା ମଧ୍ୟରୁ ବାଦ ହୋଇଥିଲା। କଟ୍ ଅଫ୍ ମାର୍କ ଆଧାରରେ ବାଦ୍ ପଡ଼ିଥିବା ୧୧ ଜଣ ୨୦୧୭-୧୮ରୁ ବିଭିନ୍ନ ହସ୍‌ପିଟାଲରେ ସର୍ଜନ ଭାବେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଏହି ୧୧ ଜଣଙ୍କ ନିଯୁକ୍ତି ଉପରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ଓପିଏସ୍‌ସିକୁ ଆଦେଶ ଦେଇଥିଲେ। ଏହି ୧୧ ଜଣ ସର୍ଜନଙ୍କୁ ଚାକିରିରୁ ଛଟେଇ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବା ନେଇ ଓପିଏସ୍‌ସି ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ନଭେମ୍ବର ୨୦ ତାରିଖ ବୁଧବାର ହାଇକୋର୍ଟ ମାମଲାର ଶୁଣାଣି କରି ରିଭାଇଜ୍‌ଡ୍ ମେରିଟ୍ ଲିଷ୍ଟ ପ୍ରଦାନ ପାଇଁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ବାରମ୍ବାର ଆଦେଶ ସତ୍ତ୍ୱେ ଓପିଏସ୍‌ସି ପକ୍ଷରୁ ରିଭାଇଜଡ୍ ମେରିଟ୍ ଲିଷ୍ଟ ପ୍ରଦାନ କରାଯାଉନଥିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ ଆଜି ତାରିଖରେ ସମ୍ପୂର୍ଣ୍ଣ ରିଭାଇଜଡ୍ ମେରିଟ୍ ତାଲିକା ସହ ଅଦାଲତରେ ବ୍ୟକ୍ତିଗତ ହାଜର ପାଇଁ ଓପିଏସ୍‌ସି ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking