19.1 C
Bhubaneswar
Saturday, November 23, 2024
Homeଓଡିଶାଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଉଦ୍ୟମ ଜାରି: ମୁଖ୍ୟମନ୍ତ୍ରୀ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଉଦ୍ୟମ ଜାରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳା ଓ ସଂସ୍କୃତିରେ ଓଡ଼ିଶା କେବଳ ଦେଶରେ ନୁହେଁ, ସାରା ପୃଥିବୀରେ ପ୍ରସିଦ୍ଧ। ଓଡ଼ିଶାର ପ୍ରତି ଗାଁରେ, ପ୍ରତି ଗଳିକନ୍ଦିରେ ଭରି ରହିଛି କଳା ଓ ସଂସ୍କୃତିର ସ୍ୱତନ୍ତ୍ର ଝଲକ୍‌। ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଓଡିଶୀ ନୃତ୍ୟ ଏକ ଶାସ୍ତ୍ରୀୟ ନୃତ୍ୟ। ଓଡ଼ିଶୀ ସଙ୍ଗୀତକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଆମ ଉଦ୍ୟମ ଜାରି ରହିବ। ଭାଷା ଓ ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଜାତିର ଅସ୍ମିତା। ଯାବତୀୟ ଘନଘଟା, ସଂଘର୍ଷ, ଆହ୍ୱାନ ଓ ଆକ୍ରମଣକୁ ଭ୍ରୁକ୍ଷେପ ନକରି ଆମ ଓଡ଼ିଆ ଜାତି ଗର୍ବର ସହ ମୁଣ୍ଡ ଟେକି ଠିଆହେବା ଶିଖିଛି। ଏ ଜାତି ହାରିବାର ହଜାର କାରଣ ଭିତରୁ ଜିତିବାର କଳାକୁ ଆୟତ୍ତ କରିବା ଶିଖିଛି। ଏଣୁ ଏହି ବୀରଭୋଗ୍ୟା ମାଟିର ଉତ୍ତର ଦାୟାଦ ଭାବେ ଆପଣମାନେ ଓଡ଼ିଶା ମାଟିର ବାସ୍ନାକୁ ଓଡ଼ିଶା ବାହାରେ ବିଞ୍ଚିବାର ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନେଉଥିବାରୁ ଆପଣମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଉଛି। ତିନି ଦିନିଆ ଓଡ଼ିଶା ପର୍ବରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଉତ୍ସବର ଶୋଭା ଏବଂ ଭବ୍ୟତାକୁ ବହୁଗୁଣରେ ବୃଦ୍ଧି କରିଛି। ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ଯେଉଁ ହଜାର ହଜାର ଓଡିଆ ଭାଇ ଭଉଣୀମାନେ, ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବର୍ଷ ଧରି ରହିଆସୁଛନ୍ତି, ଏହି ମହୋତ୍ସବ ଦିଲ୍ଲୀରେ ରହି ଓଡ଼ିଶାକୁ ଅନୁଭବ କରିବାର ଏକ ସୁନ୍ଦର ପ୍ରୟାସ। ବେଶ ପୋଷାକ କି କାର୍ଯ୍ୟଧାରା ଯାହା ହେଉଥାଉନା କାହିଁକି, ହୃଦୟରେ ଓଡ଼ିଆପଣ ସବୁବେଳେ ବସା ବାନ୍ଧି ରହିଛି। ଓଡ଼ିଆ ଚେତନା ଆପଣଙ୍କ ଆତ୍ମାର ଗହଣା।

ଓଡ଼ିଆ ପ୍ରେମ ଆପଣଙ୍କ ରକ୍ତରେ ଘର କରିଥିବା ଏକ ମିଠା ଅଳଙ୍କାର। ଓଡ଼ିଆ ଚଳଣି ଆପଣଙ୍କ ମନର ମାନସାଙ୍କ। ଆମେ ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମିରେ ଜନ୍ମ ଲାଭ କରିଛୁ ଏବଂ ମହାନ ଓଡ଼ିଆ ଭାଷା ଓ ସଂସ୍କୃତିର ଉପାସକ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଏହି ସମୃଦ୍ଧ ପରମ୍ପରାକୁ ଆପଣମାନେ ଏବଂ ଅନ୍ୟାନ୍ୟ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀମାନେ ଯେପରି ପ୍ରଚାର ପ୍ରସାର କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମର ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ନିଜେ ଉପସ୍ଥିତ ଅଛନ୍ତି। ଗତକାଲି ମଧ୍ୟ ସେ ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ। ଏହା ପ୍ରମାଣିତ କରୁଛି ଯେ ସେ ଓଡ଼ିଶାକୁ କେତେ ଭଲ ପାଆନ୍ତି ଏବଂ ଓଡ଼ିଶାର ମହାପୁରୁଷଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ, କେତେ ଉତ୍ସାହୀ ଅଛନ୍ତି। ଏହା ହେଉଛି ଜଣେ ଉଚ୍ଚକୋଟୀର ମଣିଷର ପରିଚୟ। ସେ ଯେଉଁ ପଦରେ ଥାଆନ୍ତୁ ନା କାହିଁକି, ନିଜ ମାଟି ମା’ର ପରିଚୟକୁ କୌଣସି ପରିସ୍ଥିତିରେ ଭୁଲନ୍ତି ନାହିଁ। ରାଷ୍ଟ୍ରପତିଙ୍କୁ ମୁଁ ଏଥିପାଇଁ ଗଭୀର କୃତଜ୍ଞତା ଜଣାଉଛି। ଆମେ ସମସ୍ତେ ଜାଣିଛୁ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଅତି ମହାନ୍‌।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପ୍ରାଣକେନ୍ଦ୍ର। ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ ସବୁକିଛି ବିକଶିତ ହୋଇଛି। ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଠାକୁର। କିନ୍ତୁ, ଦୁଃଖର ବିଷୟ, ପୂର୍ବ ସରକାରଙ୍କ ସମୟରେ ଜଗନ୍ନାଥଙ୍କ ନାମକୁ ଯେପରି ଭାବେ ବ୍ୟବସାୟକରଣ କରି ଭୋଟ୍ ପାଇଁ ଅପବ୍ୟବହାର କରିଥିଲେ, ତାହାର ଉଚିତ୍ ଜବାବ ଜନସାଧାରଣ ଦେଇସାରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ତା ପରଦିନ ସକାଳୁ, ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ମୁଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଓଡ଼ିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲୁ। ପ୍ରଭୁଙ୍କ ସେବା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସହିତ ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲୁ। ୨୦୦ କୋଟି ଟଙ୍କାରେ ଏକ ସ୍ୱତନ୍ତ୍ର ଓଡିଆ ଅସ୍ମିତା କର୍ପସ ପାଣ୍ଠି ଗଠନ କରାଯାଇଛି। କଳାକାରଙ୍କୁ ସହାୟତା ଦେବା ପାଇଁ ୭୨ କୋଟି ଟଙ୍କା ଏବଂ କିର୍ତ୍ତୀରାଜି ଗୁଡିକର ସଂରକ୍ଷଣ ପାଇଁ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଏହା ସହିତ ସ୍ୱତନ୍ତ୍ର ଓଡିଆ ଅସ୍ମିତା ଭବନ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ତାଳ ପତ୍ର ପୋଥୀର ସଂରକ୍ଷଣ ପାଇଁ ଏକ ବିଶ୍ୱସ୍ତରୀୟ ମ୍ୟୁଜିୟମ ପ୍ରତିଷ୍ଠା ଆଦି ଅନେକ କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ। ଓଡ଼ିଶାର ସାଂସ୍କୃତିକ ମର୍ଯ୍ୟାଦାର ସୁରକ୍ଷା ପାଇଁ ଆମ ସରକାର ପ୍ରତ୍ୟେକ ସ୍ତରରେ ପ୍ରତିଶ୍ରୁତିବଦ୍ଧ ଭାବରେ କାମ କରୁଛି ଓ କରିଚାଲିବ। କଳା ଓ ସଂସ୍କୃତି ସହିତ ଆମର ଆର୍ôଥକ ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସମାଜର ସବୁ ସ୍ତରର ଲୋକଙ୍କ ବିକାଶ ନହେଲେ, କେବଳ ସଂସ୍କୃତିକୁ ନେଇ ଆମେ ବେଶୀ ଆଗକୁ ଯାଇପାରିବା ନାହିଁ। ସେଥିପାଇଁ ଆମ ସରକାର ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ଜାନୁଆରୀ ୨୦୨୫ ମସିହା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନ୍ ଲେଭ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଆମେ ଚାହୁଁ, ଏଥିରେ ବିଶ୍ୱର ବଡ ବଡ କମ୍ପାନୀ ମାନେ ଓଡିଶାକୁ ଆସନ୍ତୁ ଏବଂ ଶିଳ୍ପ ପ୍ରତିଷ୍ଠା କରନ୍ତୁ। ଏବେ ମୁଁ ସିଙ୍ଗାପୁରରୁ ଫେରିଛି। ସେଠାରେ ସବୁ ପ୍ରତିଷ୍ଠିତ ବିଶ୍ୱ ପ୍ରସିଦ୍ଧ କମ୍ପାନୀମାନଙ୍କ ସହିତ ନିଜେ ଆଲୋଚନା କରିଛି। ସେମାନେ ସମସ୍ତେ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଖୁବ୍ ଆଗ୍ରହୀ। ପୂର୍ବରୁ ମୁଁ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ରୋଡ୍ ସୋ କରିଆସିଛି। ଆପଣ ମାନେ ଦେଖିବେ, ଏହି ପାଞ୍ଚବର୍ଷ ମଧ୍ୟରେ ଓଡିଶାରେ ଏକ ଶିଳ୍ପ ବିପ୍ଳବ ଆସିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣଙ୍କ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଶିଳ୍ପ ବିପ୍ଲବ ଆଣିବାରେ ନିଶ୍ଚୟ ସଫଳ ହେବ। ପ୍ରଧାନମନ୍ତ୍ରୀ ମୋଦୀଜୀ ଓଡିଶାକୁ ଖୁବ୍ ଭଲପାଆନ୍ତି। ଓଡିଶାର ବିକାଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି। ସେ ବାରମ୍ବାର କହିଛନ୍ତି ବିକାଶର ରେଳ ଗାଡିରେ ଓଡିଶା ହେବ ପ୍ରଥମ ବଗି। ଓଡିଶା ହେବ ଦେଶର ଗ୍ରୋଥ ଇଞ୍ଜିନ୍‌। ଆମ ସରକାର ଆସିବା ପରଠାରୁ କେବଳ ରେଲୱେ ଓ ରୋଡ୍ କ୍ଷେତ୍ରରେ ଓଡିଶା ପାଇଁ କେନ୍ଦ୍ର ସରକାର ୪୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆଗାମୀ ପାଞ୍ଚ ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ସରକାରୀ ପୁଞ୍ଜି ବିନିଯୋଗ ହେବ। ତେଣୁ, ଓଡ଼ିଶାର ଅର୍ଥନୀତି ଖୁବ୍ ଉଜ୍ଜଳ ହେବ, ଏଥିରେ ସନ୍ଦେହ ନାହିଁ। ଓଡ଼ିଶା ରାଷ୍ଟ୍ର ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆମ ସରକାର ଓଡ଼ିଶାକୁ ଏକ ବିକଶିତ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଶପଥ ନେଇଛନ୍ତି ଏବଂ ଏଥିପାଇଁ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ଆପଣମାନେ ମଧ୍ୟ ଏହି ଦିଗରେ ନିଜ ନିଜ ସୁଚିନ୍ତିତ ମତାମତ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking