ମସ୍କୋ: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୧୦୦୦ତମ ଦିନ ପୂରଣ ହୋଇଛି। ଏହି ସମୟ ସୁଦ୍ଧା ରୁଷ୍ ପକ୍ଷରୁ ହୋଇଥିବା ଆକ୍ରମଣରେ ସମ୍ପୂର୍ଣ୍ଣ ୟୁକ୍ରେନ୍ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି। ଏହାସତ୍ତ୍ୱେ ୟୁକ୍ରେନ୍ ଅସ୍ତ୍ରତ୍ୟାଗ କରିନାହିଁ କିମ୍ବା ରୁଷ୍ ସମ୍ମୁଖରେ ମୁଣ୍ଡ ନୂଆଇଁନାହିଁ। ଓଲଟା ନିଜ ସାମର୍ଥ୍ୟ ମୁତାବକ ୟୁକ୍ରେନ୍ ସେନା ଏପରିକି ସାଧାରଣ ନାଗରିକମାନେ ମଧ୍ୟ ରୁଷ୍ର ଦୁର୍ଦ୍ଦଶ ସେନା ସମ୍ମୁଖରେ ଲଢ଼େଇ ଜାରି ରଖିଛନ୍ତି, ସୁଯୋଗ ଦେଖି ରୁଷ୍ ଉପରେ ଛୋଟମୋଟର ପ୍ରତିଆକ୍ରମଣ ମଧ୍ୟ କରୁଛନ୍ତି। କିନ୍ତୁ ୧୦୦୦ ଦିନର ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ୟୁକ୍ରେନ୍ ପକ୍ଷରୁ ଆଜି (ମଙ୍ଗଳବାର) ରୁଷ୍ ମାଟିରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନ୍ ସେନା ପ୍ରଥମ ଥର ପାଇଁ ଆମେରିକା ନିର୍ମିତ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଟିଏସିଏମ୍ଏସ୍ ମିସାଇଲ) ଜରିଆରେ ରୁଷ୍ ଉପରେ ଆକ୍ରମଣ କରିଛନ୍ତି। ତେବେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଆଜିର ଏହି ଆକ୍ରମଣରେ ରୁଷ୍ର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ସୂଚନା ମିଳିପାରିନାହିଁ।
ଅନ୍ୟପକ୍ଷେ ଆମେରିକା, ୟୁକ୍ରେନ୍କୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଟିଏସିଏମ୍ଏସ୍ ମିସାଇଲ) ଦେବା ଏବଂ ଏସବୁକୁ ରୁଷ୍ ବିରୋଧରେ ପ୍ରୟୋଗ ପୂର୍ବକ ଆକ୍ରମଣ କରିବାକୁ ଅନୁମତି ଦେବାକୁ ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ମଧ୍ୟ ନୂଆ ପରମାଣୁ ନୀତିରେ ସ୍ୱାକ୍ଷର କରିଛନ୍ତି। ଏହାର ଅର୍ଥ ଆମେରିକାର ଏପ୍ରକାର ସହଯୋଗ ଏବଂ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣକୁ ଅନୁମତି ଦିଆଯିବାକୁ ରୁଷ୍ ଏବେ ସିଧାସଳଖ ଯୁଦ୍ଧ ଭାବେ ବିବେଚନା କରୁଛି। ପାଶ୍ଚାତ୍ୟ ରାଷ୍ଟ୍ର ରୁଷ୍-ୟୁକ୍ରେନ୍ ଯୁଦ୍ଧରୂପୀ ନିଆଁରେ ଘିଅ ଢ଼ାଳିବା କାର୍ଯ୍ୟ କରିଥିବା ରୁଷ୍ ଅଭିଯୋଗ କରିଛି। ଯଦିଓ ପୁତିନ, ୟୁକ୍ରେନ୍ର ଏପ୍ରକାର ଭୟାବହ ଆକ୍ରମଣ ପରେ ମଧ୍ୟ ଶାନ୍ତ ରହିଛନ୍ତି, କିନ୍ତୁ ସେ ପରମାଣୁ ଆକ୍ରମଣଜନିତ ପ୍ରସ୍ତାବରେ ସ୍ୱାକ୍ଷର କରିବା ପରିସ୍ଥିତିକୁ ଅଧିକ ଚିନ୍ତାଜନକ କରିଦେଇଛି।
ରିପୋର୍ଟ ଅନୁସାରେ ପୁତିନ୍ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଂଶୋଧିତ ପରମାଣୁ ନୀତିରେ ଦସ୍ତଖତ କରିଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ଯଦି କୌଣସି ଦେଶ ଆଣବିକ ସଶସ୍ତ୍ର ଦେଶ ସାହାଯ୍ୟରେ ରୁଷ୍ ଉପରେ ଆକ୍ରମଣ କରେ, ତେବେ ଏହା ଦେଶ ଉପରେ ମିଳିତ ଆକ୍ରମଣ ଭାବରେ ବିବେଚନା କରାଯିବ ଏବଂ ସେହି ପରିସ୍ଥିତିରେ ରୁଷ୍ ସରକାର ଆଣବିକ ଅସ୍ତ୍ର ବ୍ୟବହାର କରିବାରେ ସକ୍ଷମ ହେବେ। ତେବେ ଏହି ପରିସ୍ଥିତିରେ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ସିଧାସଳଖ କହିବାକୁ ଗଲେ ସଂଶୋଧିତ ଆଣବିକ ନୀତିରେ ପୁତିନ୍ ଦସ୍ତଖତ କରିବା ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ନିଷ୍ପତ୍ତିର ପ୍ରତିକ୍ରିୟା ଭାବରେ ବିବେଚନା କରାଯାଉଛି। ପ୍ରକାଶ, ରୁଷ୍ର ନୂତନ ଆଣବିକ ନୀତିରେ ଏକ ବ୍ୟବସ୍ଥା ଅଛି ଯେ, ଯଦି ନିଜ ଦେଶ ଉପରେ ଏକ ବଡ଼ ଧରଣର ଆକ୍ରମଣ ହୁଏ, ତେବେ ରୁଷ୍ ଏହାର ଉତ୍ତରରେ ଆଣବିକ ଅସ୍ତ୍ର ବ୍ୟବହାର କରିପାରିବ।
ପ୍ରକାଶ, ଦିନକ ପୂର୍ବେ ଆମେରିକା ପକ୍ଷରୁ ୟୁକ୍ରେନ୍କୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଟିଏସିଏମ୍ଏସ୍ ମିସାଇଲ୍) ସହ ଆକ୍ରମଣ କରିବାକୁ ଅନୁମତି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆମେରିକାର ଅନୁମୋଦନ ତଥା ସାହସ ପାଇବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭି.ଜେଲେନ୍ସ୍କି ମଧ୍ୟ ନିଜ ସେନାକୁ ଏହି ସାମରିକ ଉପକରଣ ବ୍ୟବହାର ପୂର୍ବକ ଆକ୍ରମଣ କରିବାକୁ ଅନୁମତି ଦେଇଛନ୍ତି। ଏହାର ଅର୍ଥ ଆମେରିକାର ଏହି ଅନୁମୋଦନ ସହିତ ରୁଷ୍ର ସାମରିକ ବେସ, ସାମରିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରସ୍ଥଳୀଗୁଡ଼ିକ ଏବେ ୟୁକ୍ରେନର ଟାର୍ଗେଟ୍ରେ ସିଧାସଳଖ ଆସିଯାଇଛି। ଏହା ରୁଷିଆ-ୟୁକ୍ରେନ ଯୁଦ୍ଧର ସମ୍ପୂର୍ଣ୍ଣ ଚିତ୍ର ବଦଳାଇପାରେ।