15.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶସାଉଦିଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀଦଣ୍ଡ

ସାଉଦିଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀଦଣ୍ଡ

ରିୟାଦ୍‌: ଚଳିତ ବର୍ଷ ସାଉଦି ଆରବରେ ପ୍ରାୟ ୧୦୦ରୁ ଅଧିକ ବିଦେଶୀ ନାଗରିକଙ୍କୁ ଫାଶୀ ଦିଆଯାଇଛି। ଗତ ତିନି ବର୍ଷ ମଧ୍ୟରେ ସାଉଦି ଆରବରେ ଫାଶୀ ଦିଆଯାଇଥିବା ସଂଖ୍ୟା ତୁଳନାରେ ଏହା ପ୍ରାୟ ୩ ଗୁଣ ଅଧିକ ରହିଛି।
ସୂଚନାଯୋଗ୍ୟ, ଶନିବାର ନଜରାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଜଣେ ୟେମେନ ନାଗରିକଙ୍କୁ ଫାଶୀ ଦିଆଯାଇଥିଲା। ଏହା ପରେ ଚଳିତ ବର୍ଷ ଅର୍ଥାତ୍ କେବଳ ୨୦୨୪ରେ ହିଁ ସାଉଦି ସରକାରଙ୍କ ପକ୍ଷରୁ ମୃତ୍ୟୁଦଣ୍ଡ ପାଇଥିବା ବିଦେଶୀ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି। ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଏମାନଙ୍କୁ ମୃତ୍ୟୁଦଣ୍ଡରେ ସାଉଦି ସରକାର ଦଣ୍ଡିତ କରିଥିଲେ। ତେବେ ୨୦୨୨ ଏବଂ ୨୦୨୩ରେ ସାଉଦି ଆରବ ପ୍ରାୟ ୩୪ ବିଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା। ଇଉରୋପୀୟ-ସାଉଦି ସଂଗଠନ ମାନବ ଅଧିକାର ସଂଗଠନ ଇଏସ୍‌ଓଏଚ୍‌ଆର ଆଇନ ନିର୍ଦ୍ଦେଶକ ତାହା ଅଲ-ହାଜି କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ପ୍ରଥମଥର ପାଇଁ ସାଉଦି ଆରବ ଏତେ ସଂଖ୍ୟକ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ସେହିପରି ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁଯାୟୀ ମୃତ୍ୟୁଦଣ୍ଡ ଦେବା କ୍ଷେତ୍ରରେ ସାଉଦି ଆରବ ଚୀନ୍ ଏବଂ ଇରାନ ପରେ ୩ୟ ସ୍ଥାନରେ ରହିଛି।
ତେବେ ସାଉଦି ଆରବରେ ଫାଶୀଖୁଣ୍ଟରେ ଝୁଲିଥିବା ବିଦେଶୀ ନାଗରିକଙ୍କ ମଧ୍ୟରେ ପାକିସ୍ତାନ, ୟେମେନ, ସିରିଆ, ନାଇଜେରିଆ, ଇଜିପ୍ଟ, ଜୋର୍ଡାନ ଏବଂ ଇଥିଓପିଆର ନାଗରିକ ଅଛନ୍ତି। ଏଥିମଧ୍ୟରୁ ପାକିସ୍ତାନରୁ ୨୧, ୟେମେନରୁ ୨୦, ସିରିଆରୁ ୧୪, ନାଇଜେରିଆରୁ ୧୦, ଇଜିପ୍ଟରୁ ୯, ଜୋର୍ଡାନରୁ ୮ ଏବଂ ଇଥିଓପିଆର ୭ଜଣ ଅଛନ୍ତି। ଏତଦ୍‌ବ୍ୟତୀତ ସୁଦାନ, ଭାରତ ଏବଂ ଆଫଗାନିସ୍ତାନରୁ ୩ ଜଣ ଲେଖାଏ ଏବଂ ଶ୍ରୀଲଙ୍କା, ଇରିଟ୍ରିଆ ଏବଂ ଫିଲିପାଇନ୍ସର ଜଣେ ଲେଖାଏ ନାଗରିକଙ୍କୁ ଫାଶୀ ଦିଆଯାଇଛି। ତେବେ ସାଉଦି ସରକାରଙ୍କ ଏପ୍ରକାର କଠୋର ନିୟମ ଏବଂ ଆଇନ୍ ଉପରେ ମତବ୍ୟକ୍ତ କରି ବିଶ୍ୱସ୍ତରୀୟ ଅନେକ କୂଟନୀତିଜ୍ଞ ତଥା କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ, ବିଦେଶୀ ଅଭିଯୁକ୍ତମାନେ କଦାପି ନ୍ୟାୟ ପାଇବେ ନାହିଁ। ଦୋଷୀ ବିଦେଶୀ ନାଗରିକମାନେ ବଡ଼ ଡ୍ରଗ୍ସ ଡିଲରଙ୍କ ଶିକାର ହୁଅନ୍ତି । ଗିରଫ ସମୟଠାରୁ ଫାଶୀ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏପରିକି ସେମାନଙ୍କୁ ସେମାନଙ୍କ ପକ୍ଷ କିମ୍ବା ଯୁକ୍ତି ରଖିବାକୁ ମଧ୍ୟ ସଠିକ୍ ସୁଯୋଗ ମିଳିନଥାଏ। ଏପରିସ୍ଥଳେ ନିଜ ନିର୍ଦ୍ଦୋଷତା ସମ୍ପର୍କରେ ଜଣେ କିପରି ପ୍ରମାଣ ଦେଇପାରିବ। ସାଉଦି ସରକାରଙ୍କ ଏପ୍ରକାର ଫାଶୀ ଦଣ୍ଡ ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଅନେକ ମାନବାଧିକାର ସଂସ୍ଥା ତୀବ୍ର ସମାଲୋଚନା କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking