ବାଂଲାଦେଶ: ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ଓ ଅସ୍ବାଭାବିକ ମୌସୁମୀ ଯୋଗୁଁ ୨୦୨୪ରେ ବାଂଲାଦେଶରେ ୪୦୦ରୁ ଅଧିକ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି। ମଶାବାହିତ ସଂକ୍ରମଣ ପାଇଁ ଦେଶରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସଙ୍କଟ ଚିନ୍ତାର କାରଣ ପାଲଟିଛି। ଏବେ ୯୦ଟି ଦେଶରେ ସକ୍ରିୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଏ କ୍ଷେତ୍ରରେ ବାଂଲାଦେଶର ସ୍ଥିତି ଉଦ୍ବେଗଜନକ ରହିଛି ଏବଂ ଚଳିତ ବର୍ଷ ଏ ବାବଦ ମୃତ୍ୟୁସଂଖ୍ୟା ୪୦୭ ଛୁଇଁଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଏହା ସହିତ ୭୮,୫୯୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତବର୍ଷ ବାଂଲାଦେଶରେ ଡେଙ୍ଗୁରେ ୧୭୦୫ ମୃତ୍ୟୁ ହୋଇଥିବାବେଳେ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଥିଲେ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହସ୍ପିଟାଲରେ ଡେଙ୍ଗୁ ରୋଗୀ ଭର୍ତ୍ତି ଯୋଗୁଁ ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି । ଲୋକଙ୍କୁ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ଆଖପାଖ ଅଞ୍ଚଳରେ ପାଣି ଜମା ନ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି । ଗ୍ରାମାଞ୍ଚଳ ଲୋକେ ଠିକ୍ ସମୟରେ ଚିକିତ୍ସା ନ କରାଉ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ଗୁରୁତର ନ ହେବା ପର୍ୟ୍ୟନ୍ତ ରୋଗୀ ପରୀକ୍ଷା କରାଉ ନଥିବାରୁ ଏଭଲି ସମସ୍ୟା ଦେଖାଦେଇଛି ।