ଭୁବନେଶ୍ୱର: କସ୍ତୁରବା ନାରୀ ମହଲଠାରେ ଗତକାଲି ଆରମ୍ଭ ହୋଇଥିବା ସିପିଆଇର ଦୁଇଦିନିଆ ରାଜ୍ୟ ସାଙ୍ଗଠନିକ ସମ୍ମେଳନ ଆଜି ଉଦ୍ଯାପିତ ହୋଇଯାଇଛି। ସିପିଆଇର ପ୍ରତିଷ୍ଠା ଶତବାର୍ଷିକୀ ସମାରୋହ ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇ ଏକବର୍ଷ ବ୍ୟାପୀ ସମଗ୍ର ରାଜ୍ୟରେ ପାଳନ କରାଯାଇ ଓଡ଼ିଶାର ଜନଗଣଙ୍କ ସ୍ୱାର୍ଥରେ ଉତ୍ସର୍ଗ କରିବା ପାଇଁ ଏହି ସାଙ୍ଗଠନିକ ସମ୍ମେଳନରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ୱାଧୀନତା ସଂଗ୍ରାମର ଅଗ୍ନିଗର୍ଭରୁ ଜାତ ସିପିଆଇ ଅନେକ ଜନପକ୍ଷଧର ସମସ୍ୟାନେଇ ଦୁର୍ବାର ଆନ୍ଦୋଳନ ଜରିଆରେ ଯେଉଁ ସମସ୍ତ ସଫଳତା ହାସଲ କରିଛି ସେହି ଗୌରବମୟ ଐତିହ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଦେଶର ସମ୍ବିଧାନ ସମ୍ମତ ଧର୍ମନିରପେକ୍ଷତା ଓ ସଂସଦୀୟ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧତାକୁ ଆଗେଇ ନେବାକୁ ସମ୍ମେଳନରେ ଦୃଢ଼ତା ପ୍ରକାଶ ପାଇଛି। ଦେଶକୁ ସାମ୍ପ୍ରଦାୟିକ ଫାସିବାଦୀ ଶକ୍ତିଙ୍କ କବଳରୁ ରକ୍ଷା କରିବାର ସଂଗ୍ରାମକୁ ସଫଳ କରିବା ଲାଗି ସିପିଆଇର ସଭ୍ୟସଂଖ୍ୟା ବୃଦ୍ଧି ପାଇଁ ସ୍ୱତନ୍ତ୍ର ଅଭିଯାନ, ଗଣପାଣ୍ଠି ସଂଗ୍ରହ ଅଭିଯାନ, ପାର୍ଟି ମୁଖପତ୍ରର ପ୍ରସାର, ଆଦର୍ଶଗତ ଶିକ୍ଷା ଶିବିର ସାଙ୍ଗକୁ ‘ଜନସେବା ଦଳ’ ସଂଗଠିତ କରିବା ଏବଂ ଶ୍ରମିକ-କୃଷକ ଶ୍ରେଣୀର ଦୁର୍ବାର ସଂଗ୍ରାମକୁ ଶକ୍ତିଶାଳୀ କରିବା ଜରିଆରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଯାଥା ଆୟୋଜନ କରିବା ପ୍ରଭୃତି କାର୍ଯ୍ୟକ୍ରମ ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଏହି ସମ୍ମେଳନରେ ଯୋଗଦେଇ ପାର୍ଟି ପ୍ରତିଷ୍ଠା ଶତବାର୍ଷିକୀ ପାଳନ ଅବସରରେ ସମଗ୍ର ଦେଶରେ ପ୍ରସ୍ତୁତି ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦର୍ଶାଇବା ସହିତ ସ୍ୱାଧୀନତା ସଂଗ୍ରାମବେଳେ ବ୍ରିଟିଶ ଶାସକଙ୍କ ସହିତ ହାତମିଳାଇଥିବା ସାମ୍ପ୍ରଦାୟିକତାବାଦୀ ସଂଗଠନ ଆର୍ଏସଏସ ସ୍ୱାଧୀନତା ପରବର୍ତ୍ତି ଦେଶ ଗଠନ ଓ ପ୍ରଗତିକୁ ବିରୋଧ କରୁଥିବା ଜନବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ ଜନସାଧାରଣଙ୍କ ଅବଗତ କରାଇବା ସହିତ ଦେଶର ସାମ୍ବିଧାନିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ସିପିଆଇର ପ୍ରତିବଦ୍ଧତା ସମ୍ପର୍କରେ ସମ୍ମେଳନରେ ଅବତାରଣ କରିଥିଲେ।
ସିପିଆଇର ଏହି ସାଙ୍ଗଠନିକ ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଆସି ଯୋଗଦେଇଥିବା ଦୁଇଶହରୁ ଊର୍ଦ୍ଧ୍ୱ କମ୍ୟୁନିଷ୍ଟ ପାର୍ଟି କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରି ପାର୍ଟିର ଶତବାର୍ଷିକୀ ସମାରୋହକୁ ସଫଳ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଗାମୀଦିନରେ ନେତୃତ୍ୱକାରୀ ଭୂମିକା ଗ୍ରହଣ କରିବା ପାଇଁ ରାଜ୍ୟ ସମ୍ପାଦକମଣ୍ଡଳୀରେ ଆଶିଷ କାନୁନ୍ଗୋ, ରାଜ୍ୟ ସମ୍ପାଦକ ଏବଂ ସଦସ୍ୟ ଭାବରେ ସର୍ବସାଥୀ ଅଭୟ ସାହୁ, ଅଶୋକ ଦାଶ, କ୍ଷୀରୋଦ ସିଂହଦେଓ, ଡ. ପ୍ରଶାନ୍ତ ମିଶ୍ର, ପ୍ରକାଶ ପାତ୍ର, ଜୟନ୍ତ ଦାସ, ନାରାୟଣ ରେଡ୍ଡି, ବିଜୟ ଜେନା, ରମଣୀରଞ୍ଜନ ରାଉତରାୟ ଓ ଦାମୋଦର ବେହେରାଙ୍କୁ ନେଇ ରାଜ୍ୟ ସମ୍ପାଦକମଣ୍ଡଳୀର ପୁନର୍ଗଠନ କରାଯାଇଥିଲା। ଶେଷରେ ଲାଲ ପତାକା ଅବତରଣ କରାଯାଇ ଆନ୍ତର୍ଜାତିକ ଗାନ ପରେ ରାଜ୍ୟ ସାଂଗଠନିକ ସମ୍ମେଳନ ଉଦ୍ଯାପନ ହୋଇଥିଲା।