ଜୟପୁର: ରାଜସ୍ଥାନର ଦେୱଲି-ଉନିଆରା ଉପ-ନିର୍ବାଚନର ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା, ପୁଲିଂ ଅଧିକାରୀ ତଥା ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଅମିତ ଚୌଧୁରୀଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଗିରଫ ହୋଇଛନ୍ତି। ସ୍ଥାନୀୟ ପୁଲିସ୍ ଆଜି ତାଙ୍କୁ ଏକ ନାଟକୀୟ ଢ଼ଙ୍ଗରେ ଗିରଫ କରିଥିବା ଜାଣିବାକୁ ମିଳିଛି। ନରେଶ ମୀନାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହେବା ପରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ପୁଲିସ୍ କହିଥିଲା। କିନ୍ତୁ ସେ ସହଜରେ ଆତ୍ମ ସମର୍ପଣ କରିବାକୁ ରାଜି ହୋଇନଥିଲେ। ଫଳରେ ପୁଲିସର ଏକ ଟିମ୍ ଆଜି ତାଙ୍କୁ ବହୁ କଷ୍ଟରେ ଉଠାଇନେଇଛି। ପୁଲିସ୍ ତାଙ୍କୁ ଗିରଫ କରୁଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ମୀନା ଚିତ୍କାର କରି ସେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହୁଥିବାର ଦେଖିବା ଓ ଶୁଣିବାକୁ ମିଳିଛି। ଟୋଙ୍କ୍ ଜିଲ୍ଲା ପୁଲିସ୍ ସୁପରିଟେଣ୍ଡେଣ୍ଟ୍ ବିକାଶ ସାଙ୍ଗୱାନ୍ କହିଛନ୍ତି, ବୁଧବାର ରାଜସ୍ଥାନର ଟୋଙ୍କ ଜିଲ୍ଲାର ଦେୱଲି- ଉନିଆରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ଏହି ସମୟରେ ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସ୍ଡିଏମ୍) ଅମିତ ଚୌଧୁରୀଙ୍କ ମଧ୍ୟରେ କେତେକ ପ୍ରସଙ୍ଗରେ କଥା କଟାକଟି ହୋଇଥିଲା। ପ୍ରକୃତରେ ତାଙ୍କ ନିର୍ବାଚନ ପ୍ରତୀକ ଚିହ୍ନ ଇଭିଏମ୍ରେ ଦୃଶ୍ୟମାନ ହେଉନଥିବା ନେଇ ନରେଶ ଅଭିଯୋଗ ଆଣିଥିଲେ। ଏହାପରେ ଏହାକୁ ନେଇ ଏସ୍ଡିଏମ୍ଙ୍କ ସହିତ ମୀନାଙ୍କର ଯୁକ୍ତିତର୍କ ହୋଇଥିଲା। ଗାଁ ଲୋକେ ଭୋଟ ବର୍ଜନ କରିଥିଲେ ସୁଦ୍ଧା ଏସ୍ଡିଏମ୍ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଫେକ୍ ଭୋଟିଂ କରୁଥିବା ସେ ଅଭିଯୋଗ ଆଣିଥିଲେ। ଏହାପରେ ଉତ୍କ୍ଷିପ୍ତ ହୋଇ ମୀନା ଏସ୍ଡିଏମ୍ଙ୍କୁ ଟଣାଘୋଷରା କରିବା ସହ ଚାପୁଡ଼ା ମାରିଥିଲେ। ତେବେ ଏନେଇ ମାମଲା ରୁଜୁ ହେବା ପରେ ପୁଲିସ୍ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇ ତାଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲେ। କିନ୍ତୁ ସେ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ନରେଶ ମୀନାଙ୍କୁ ଏକ ପୁଲିସ୍ ଅପରେସନ୍ ଦ୍ୱାରା ଗିରଫ କରାଯାଇଛି। ବରିଷ୍ଠ ଅଧିକାରୀ ଏବଂ ପୂରା ପୁଲିସ୍ ଟିମ୍ ପ୍ରତିରକ୍ଷା ପୋଷାକ ପିନ୍ଧି ତାଙ୍କୁ ଟେକି ନେଇଆସିଛନ୍ତି। ପୁଲିସ୍କର୍ମୀଙ୍କୁ ଏହି ଗିରଫଦାରି ସମୟରେ କିଛି ମାତ୍ରାରେ ଲାଠି ପ୍ରୟୋଗ ବି କରିବାକୁ ପଡ଼ିଛି। ହିଂସା ଏବଂ ଉତ୍ତେଜନା ମଧ୍ୟରେ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଗାଁରେ ପ୍ରବେଶ କରି ଅଭିଯୁକ୍ତ ନରେଶ ମୀନାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସାଙ୍ଗୱାନ୍ କହିଛନ୍ତି। ରାଜନେତା ନରେଶ ମୀନାଙ୍କୁ ଗିରଫ କରିବା ପରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। କିଛି ମାତ୍ରାରେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଛି। ପୁଲିସ ଉପରକୁ ଗାଁ ଲୋକେ ତଥା ମୀନାଙ୍କ ସମର୍ଥକମାନେ ଟେକା ପଥର ଫିଙ୍ଗିବା ସହ ପୁଲିସ୍ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ବ୍ୟାପକ ହିଂସା ଭିତରେ ପୁଲିସ ଶେଷ ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନାଙ୍କୁ ଗିରଫ କରିଛି। ନରେଶ ମୀନା ନିଜ ସମର୍ଥକଙ୍କ ସହ ସମରବତା ଗାଁରେ ଧାରଣାରେ ବସିଥିବା ବେଳେ ତାଙ୍କୁ ପୁଲିସ ଉଠାଇ ନେଇଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ସମ୍ପୂଣ୍ର୍ଣ ଅଞ୍ଚଳରେ ତୀବ୍ର ଉତ୍ତେଜନା ବଳବତ୍ତର ରହିଛି।










