31.1 C
Bhubaneswar
Tuesday, March 24, 2026
Homeଓଡିଶାସୋଆ ଆଇ.ଏଚ୍‌.ଏସ୍‌.ଇ ପକ୍ଷରୁ ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ

ସୋଆ ଆଇ.ଏଚ୍‌.ଏସ୍‌.ଇ ପକ୍ଷରୁ ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଯୁକ୍ତ ୨ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ (ଆଇ.ଏଚ୍‌.ଏସ୍‌.ଇ) ଓ ଶିକ୍ଷା ସୋପାନ ପକ୍ଷରୁ ମିଳିତ ଭାବେ ରବିିବାର ଦିନ ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବା ସହ ଶିକ୍ଷକମାନେ କିଭଳି ଭାବେ ପ୍ରାକ୍ଟିକାଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ ସେ ନେଇ ଆଲୋଚନା କରାଯାଇଥିଲା। ଓଡିଶାର ବିଭିନ୍ନ ସ୍କୁଲ ଓ କଲେଜରେ ବିଜ୍ଞାନ ପଢାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଆଇଟି କାନପୁରର ପଦାର୍ଥ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ପଦ୍ମଶ୍ରୀ ହରିଶ ଚନ୍ଦ୍ର ବର୍ମା ଯୋଗ ଦେଇ କହିଥିଲେ ଯେ କେବଳ ପୁସ୍ତକ ପ୍ରସୂତ ଜ୍ଞାନ ଆହରଣ କରିବା ଯଥେଷ୍ଟ ନୁହେଁ ବରଂ ଏଥି ସହିତ ବାହ୍ୟ ଜ୍ଞାନ ଆହରଣ କରିବା ଜରୁରୀ। ଚିରାଚରିତ ଢଙ୍ଗରେ ଚାଲିଥିବା ବିଜ୍ଞାନ ପାଠ୍ୟକ୍ରମକୁ ପ୍ରକୃତି ସହ କେମିତି ପଢା ଯାଇପାରିବ ଏହା ଉପରେ ଗୁରୁତ୍ୱ ଦିଆଯାଉ ବୋଲି ପ୍ରଫେସର ବର୍ମା କହିଥିଲେ। ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକରୁ ଲାଭ କରୁଥିବା ଜ୍ଞାନ ଛାଡି ନିଜ ଭିତରେ ଥିବା ଚିନ୍ତାଧାରାକୁ କିପରି ବିକଶିତ କରିବେ ଓ ପ୍ରକୃତି ସହିତ ସେମାନେ କିପରି ଯୋଡି ହେବେ ଏଥି ପ୍ରତି ଶିକ୍ଷକ ଶିକ୍ଷୟତ୍ରୀମାନେ ବିଶେଷ ଧ୍ୟାନ ଦେବା ଦରକାର। ବିଜ୍ଞାନ ସମାଜ ସହିତ ଓତଃପ୍ରୋତ ଭାବରେ ଜଡିତ। ବିଜ୍ଞାନର ଏକ ଅଂଶ ହେଉଛି ପଦାର୍ଥ ବିଜ୍ଞାନ। ଗୋଟିଏ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଢି ତୋଳି ଥାଆନ୍ତି। ପ୍ରଥମେ ଏକ ଶିକ୍ଷକ ଏହି ବିଷୟରେ ଜ୍ଞାନ ଆହରଣ କଲେ ସେ ନିଜର ଛାତ୍ରଛାତ୍ରୀକୁ ଶିକ୍ଷା ପ୍ରଦାନ କରିପାରିବ ବୋଲି ପ୍ରଫେସର ବର୍ମା କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଲମ୍ବୋଦର ପ୍ରସାଦ ସିଂ କହିଥିଲେ ଯେ ପ୍ରକୃତି କିଛି ନୂଆ ଶିଖିବାକୁ ପ୍ରେରଣା ଦେଇଥାଏ। ନିଜର ମନୋବୃତି ଓ ଆଗ୍ରହ ଦ୍ୱାରା ଅସମ୍ଭବକୁ ବି ସମ୍ଭବପର କରିହୁଏ। ତେଣୁ ସଦାସର୍ବଦା ଛାତ୍ରଛାତ୍ରୀ ଓ ଶିକ୍ଷକ କିଛି ନୂଆ ଶିଖିବା ପାଇଁ ଚିନ୍ତା କରିବା ଜରୁରୀ ବୋଲି ପ୍ରଫେସର ସିଂ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି କଲିକତାର ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍‌ଇଆର୍‌)ର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର କ୍ୱାଟଂମ୍ ସାଇନସ୍ ଆଣ୍ଡ କ୍ୱାଟଂମ୍ ଟେକ୍‌ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ମୁଖ୍ୟ ଅତିଥି ପ୍ରଫେସର ବର୍ମା ଓଡିଶାର ବିଭିନ୍ନ ସ୍କୁଲ୍‌ରୁ ଯୋଗ ଦେଇଥିବା ନବମ ଓ ଦଶମ ଶ୍ରେଣୀର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଆଲୋଚନା କରିଥିଲେ। ସେହିପରି ଦ୍ୱିତୀୟ ଦିନରେ ପ୍ରଫେସର ବର୍ମା ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଆଇ.ଏଚ୍‌.ଏସ୍‌.ଇ.ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ପୁରେନ୍ଦ୍ର ଚରଣ ଦାଶ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କହିଥିଲେ। ଓଡିଶା ଅନ୍ୱେଷିକାର ପ୍ରୋ- କୋର୍ଡିନେଟର ଡକ୍ଟର ଜୟଶ୍ରୀ ମହାପାତ୍ର ମଧ୍ୟ ବିଭିନ୍ନ ପ୍ରକାର ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ଶେଷରେ ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ୍ କୋର୍ଡିନେଟର ଡକ୍ଟର ଗୌରୀଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking