27.1 C
Bhubaneswar
Thursday, December 26, 2024
Homeଓଡିଶାଝାଡ଼ଖଣ୍ଡ ଷଢ଼େଇକଳା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର

ଝାଡ଼ଖଣ୍ଡ ଷଢ଼େଇକଳା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର

ଭୁବନେଶ୍ୱର : ବିଜେପି ସରକାର ଅର୍ଥ ହେଉଛି ବିକାଶର ସରକାର। ବର୍ଷେ ତଳେ ଛତିଶଗଡ଼ରେ ଡବଲ୍‌ଇଞ୍ଜିନ ସରକାର ହୋଇଛି। ଓଡ଼ିଶାରେ ଗତ ୫ ମାସ ହେଲା ଡବଲ୍ ଇଞ୍ଜିନ ସରକାର ଚାଲିଛି। ଏବେ ସମୟ ଆସିଛି ଝାଡ଼ଖଣ୍ଡରେ ଡବଲ ଇଞ୍ଜିନର ସରକାର ହେବ। ଲୋକେ ମନବଳାଇ ସାରିଛନ୍ତି। ଜେଏମ୍‌ଏମ୍ ସରକାରର ଏକ୍ସପାଏରୀ ତାରିଖ ପାଖେଇ ପାଖେଇ ଆସୁଛି। ଆଉ ୧୨ ଦିନ ପରେ ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ଟାଏ ଟାଏ ବାଏ ବାଏ କହି ବିଦାୟ ଦେବା। ଝାଡ଼ଖଣ୍ଡର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଷଢ଼େଇକଳା ନିର୍ବାଚନ ମଣ୍ଡଳୀର ରାଜନଗରରେ ଆୟୋଜିତ ନିର୍ବାଚନୀ ସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଭାବେ ରଣହୁଙ୍କାର ଦେଇଛନ୍ତି।

ଏହାଛଡ଼ା ସେ କହିଛନ୍ତି ଯେ, ବିଜେପିର ସଂକଳ୍ପପତ୍ର ହେଉଛି ମୋଦିଜୀଙ୍କ ଗ୍ୟାରେଣ୍ଟି। ଓଡ଼ିଶାରେ ୧୦୦ ଦିନ ଭିତରେ ସଂକଳ୍ପପତ୍ରରେ ଥିବା ସବୁ ଦାବି ପୂରଣ କରିଛୁ। ଠିକ୍ ସେମିତି ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ହେବା ପରେ ସଂକଳ୍ପପତ୍ରରେ ଦିଆଯାଇଥିବା ସବୁ ଦାବି ପୂରଣ କରାଯିବ। ନଭେମ୍ୱର ୨୩ରେ ଝାଡ଼ଖଣ୍ଡରେ ନୂଆ ସକାଳ ଆସିବ। ନୂଆ ସରକାର ଗଠନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଠାକାର ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ବଡ଼ ଭୂମିକା ରହିବ। ତେଣୁ ଚମ୍ପାଇଙ୍କୁ ବଡ଼ ବ୍ୟବଧାନରେ ବିଜୟୀ କରାଇ ଝାଡ଼ଖଣ୍ଡ ବିଧାନସଭାକୁ ପଠାଇବା ପାଇଁ ଆମେ ଶପଥ ନେବା ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଝାଡ଼ଖଣ୍ଡ ରାଜ୍ୟ ଆଦିବାସୀଙ୍କ ବିକାଶ କରିବା ପାଇଁ ଗଠନ କରାଯାଇଥିଲା। ଆଉ ଏଠାରେ ବିଜେପି ସରକାର ଗଢ଼ିଥିଲା। ଆଶ୍ଚର୍ଯ୍ୟର କଥା ଆଜି ଆଦିବାସୀଙ୍କ ଜନସଂଖ୍ୟା କମି କମି ଯାଉଛି। ଆଦିବାସୀଙ୍କ ଜମିକୁ ହରଣଚାଲ କରାଯାଉଛି। ଜେଏମ୍‌ଏମ୍‌ର ହେମନ୍ତ ସୋରେନ ଓ କଂଗ୍ରେସ ମିଳିତ ଭାବେ ଆଦିବାସୀଙ୍କ ଜମିକୁ ହଡ଼ପ୍ କରୁଛନ୍ତି। ଆଦିବାସୀଙ୍କଠାରୁ ଜମିକୁ ନେଇ ବାଂଲାଦେଶୀ ଓ ରୋହିଙ୍ଗିଆମାନଙ୍କୁ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଭାରତର ୩ ଭଉଣୀ ବୋଲି ଅଭହିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଭାରତରେ ଉତ୍ପାଦିତ ପ୍ରାୟ ସବୁ ଖଣିଜ ଦ୍ରବ୍ୟ ଏହି ତିନି ରାଜ୍ୟରେ ରହିଛି। ହେଲେ ଛତିଶଗଡ଼ର କଂଗ୍ରେସ ସରକାର ସେହି ଖଣିଜ ସମ୍ପତ୍ତି ଲୁଟ୍ କରୁଥିଲା। ଠିକ୍ ସେମିତି ଓଡ଼ିଶାରେ ବିଜେଡି ସରକାର ଲମ୍ୱା ସମୟ ଧରି ରହି ଖଣିଜ ସମ୍ପତ୍ତି ଲୁଟ୍ କରୁଥିଲା। ହେଲେ ସାଧାରଣ ନିର୍ବାଚନରେ ଓଡ଼ିଶାର ଲୋକ ମନ ବଦଳାଇଲେ। ଆଉ ବିଜେଡି ସରକାରକୁ ହଟାଇ ଦେଲେ। ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାରେ ଏବେ ବିଜେପି ସରକାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଝାଡ଼ଖଣ୍ଡରେ ଏକ ପରିବାରବାଦ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଏ ସରକାରକୁ ହଟାଇବାର ଆବଶ୍ୟକତା ରହିଛି। ଏହି ପ୍ରକ୍ରିୟା ଷଢ଼େଇକଳାରୁ ଆରମ୍ଭ ହେବ। ଆଉ ଚମ୍ପାଇ ସୋରେନଙ୍କୁ ବହୁ ମତରେ ବିଜୟୀ କରାଇ ବିଧାନସଭା ପଠାଇବା। ଝାଡ଼ଖଣ୍ଡ ରାଜନୀତିରେ ଚମ୍ପାଇ ସୋରେନ୍‌ଙ୍କ ଯୋଗଦାନ ବହୁତ ରହିଛି। ଝାଡ଼ଖଣ୍ଡ ଗଠନରେ ତାଙ୍କର ବହୁତ ବଡ଼ ଭୂମିକା ରହିଛି। ଏ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜେଲ୍‌ରୁ ଆସି ଚମ୍ପାଇ ସୋରେନଙ୍କୁ ବହୁତ ଅପମାନିତ କରିଛନ୍ତି। ଆଗାମୀ ନିର୍ବାଚନରେ ତାହାର ଜବାବ୍ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking