ନୂଆଦିଲ୍ଲୀ: ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ପାଇଁ ଲକ୍ଷ୍ନୌ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ତଥାପି ସହରରେ ଭିକାରୀଙ୍କ ସଂଖ୍ୟା ଢେର ଅଧିକ । ତେବେ ଏମାନଙ୍କ ଆୟ ସାଧାରଣ ଧାରଣାଠୁ ବହୁ ଉର୍ଦ୍ଧ୍ୱରେ । ବେସାହାରା କିମ୍ବା ଅସହାୟ ଶବ୍ଦ ଏମାନଙ୍କ କ୍ଷେତ୍ରରେ ଲାଗୁ ହୁଏ ନାହିଁ । କାରଣ ସହରର ଅଧିକାଂଶ ଭିକାରୀଙ୍କ ଆୟ ଦରମାଭୋଗୀ କର୍ମଚାରୀଙ୍କ ଅପେକ୍ଷା ବହୁତ ଅଧିକ । କିଛି ଭିକାରୀ ଆରାମଦାୟକ ଜୀବନ ନିର୍ବାହ କରୁଛନ୍ତି । ସେମାନଙ୍କ ବ୍ୟାଙ୍କ୍ ବାଲାନ୍ସ ସାଧାରଣ ଲୋକଙ୍କଠୁ ମଧ୍ୟ ଢେର ଅଧିକ । ସହରରେ ଭିକ୍ଷାବୃତ୍ତି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ କରାଯାଇଥିବା ଏକ ବିସ୍ତୃତ ସର୍ଭେ ଓ ଅଭିଯାନରୁ ଏଭଳି ଏକ ଅବିଶ୍ୱସନୀୟ ସତ ସାମ୍ନାକୁ ଆସିଛି ।
ନଗର ନିଗମ ଓ ସମାଜ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଡିଷ୍ଟ୍ରିକ୍ଟ ଅର୍ବାନ ଡେଭ୍ଲପମେଣ୍ଟ୍ ଏଜେନ୍ସି (ଡିୟୁଡିଏ) ଦ୍ୱାରା ଏହି ସର୍ଭେ ପରିଚାଳିତ ହୋଇଥିଲା । ଭିକ୍ଷାବୃତ୍ତି ସ୍ତରକୁ ବୁଝିବା ସହିତ ଏଥିରେ ସମ୍ପୃକ୍ତ ଲୋକଙ୍କୁ ସମାଜ ସେବା ଓ ସହାୟତାରେ ଯୋଡ଼ିବାକୁ ଚେଷ୍ଟା କରିବା ଅଧ୍ୟୟନର ଉଦ୍ଦେଶ୍ୟ ଥିଲା । ଏହି ବିସ୍ତୃତ ରିପୋର୍ଟ ଲକ୍ଷ୍ନୌର ଭିକାରୀଙ୍କ ଆର୍ôଥକ ଆୟ ଉପରେ ଆଲୋକପାତ କରିବା ସହିତ ଏହି ସହରୀ ଘଟଣାର ଜଟିଳତା ଓ ସ୍ତର ଉପରୁ ପରଦା ଉଠାଇଛି । ସର୍ଭେରେ ଲକ୍ଷ୍ନୌର ବିଭିନ୍ନ କ୍ଷେତ୍ରରେ ରହୁଥିବା ଓ ଭିକ୍ଷାବୃତ୍ତି କରୁଥିବା ମୋଟ୍ ୫,୩୧୨ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ଏମାନଙ୍କର ଜଟିଳ ଜନସାଂଖ୍ୟକ ଓ ଆର୍ôଥକ ତଥ୍ୟ ସଂଗ୍ରହ କରିବା ସର୍ଭେର ଉଦ୍ଦେଶ୍ୟ ଥିଲା ।
ଭିକାରୀଙ୍କ ଆର୍ôଥକ ସ୍ଥିତି ଉପରେ ଆଲୋକପାତ କରିବା ସହିତ ସେମାନଙ୍କ ପୃଷ୍ଠଭୂମି ଓ ଉଦ୍ଦେଶ୍ୟ ଉପରେ ମଧ୍ୟ ଏହା ଫୋକସ୍ କରିଥିଲା । ସର୍ଭେରୁ ମିଳିଥିବା ତଥ୍ୟ ମଧ୍ୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିଲା କିଛି ଭିକାରୀଙ୍କ ମାସିକ ଆୟ । ସାଧାରଣ ଧାରଣା ତୁଳନାରେ ଭିକ୍ଷାବୃତ୍ତି କରୁଥିବା ଅନେକ ବ୍ୟକ୍ତିଙ୍କ କହିବା ଅନୁସାରେ, ଭିକ୍ଷାବୃତ୍ତିରୁ ଭଲ ରୋଜଗାର ହୁଏ । ଗର୍ଭବତୀ ଭିକାରୀଙ୍କୁ ସହଜରେ ସହାନୁଭୂତି ମିଳେ । ସେମାନେ ଭିକ୍ଷାବୃତ୍ତିରୁ ଦିନକୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଅନ୍ୟ ଭିକାରୀ ଓ ପିଲାମାନେ ସାଧାରଣତଃ ଦିନକୁ ୯୦୦-୨୦୦୦ ଟଙ୍କା ରୋଜଗାର କରନ୍ତି । ଦୈନିକ ଏହି ପ୍ରକାର ଆୟ ସହିତ କିଛି ଭିକାରୀ ମାସକୁ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି, ଯାହା ମଧ୍ୟମ-ସ୍ତରୀୟ କର୍ମଚାରୀଙ୍କ ଆୟଠୁ ଅଧିକ । ଟଙ୍କା ସହିତ ବଦାନ୍ୟ ବ୍ୟକ୍ତି ଓ ଦାତବ୍ୟ ସଂସ୍ଥାଙ୍କ ତରଫରୁ ସେମାନଙ୍କୁ ମାଗଣା ଖାଦ୍ୟ, ପୋଷାକ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳେ । ଏହା ଦ୍ୱାରା ସେମାନଙ୍କ ଆୟ ଟଙ୍କା ଖର୍ଚ୍ଚ ହୁଏ ନାହିଁ, ସେମାନେ ଟଙ୍କା ସଞ୍ଚୟ କରିପାରନ୍ତି ।